ମହଙ୍ଗା ମାଡ଼ରେ ସାଧାରଣ ଲୋକ ହନ୍ତସନ୍ତ : ରାଜଧାନୀରେ ୧୦୦ ଛୁଇଁଲା ଟମାଟୋ ଦର

120

କନକ ବ୍ୟୁରୋ : ମହଙ୍ଗା ମାଡ଼ରେ ସାଧାରଣ ଲୋକ ହନ୍ତସନ୍ତ ହେଉଥିବା ବେଳେ ରାଜଧାନୀରେ ୧୦୦ ଟଙ୍କା ଛୁଇଁଲା ଟମାଟୋ ଦର । କିଛି ଦିନ ହେଲା ଆକାଶ ଛୁଆଁ ହୋଇଛି ଟମାଟୋ । ଗୋଟିଏ ସପ୍ତାହ ଧରି ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଜି ୧୦୦ ଟଙ୍କା ହୋଇଯାଇଛି ଟମାଟୋର ଦାମ । ମାତ୍ର ୨ ମାସ ତଳେ ଚାଷୀ ଅଭାବୀ ବିକ୍ରି କରୁଥିବାର ଚିତ୍ର ସାମ୍ନାକୁ ଆସିଥିଲା । କିନ୍ତୁ ଏବେ ପୂରା ଓଲଟି ଯାଇଛି ସ୍ଥିତି । ରାଜ୍ୟରେ ଏବେ ଟମାଟୋ ଉତ୍ପାଦନ ହେଉନି ।

ବାହାର ରାଜ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛନ୍ତି ବ୍ୟବସାୟୀ । ରାଜ୍ୟ ବାହାରୁ ଆସୁଥିବାରୁ ନିୟନ୍ତ୍ରଣ ବାହାରକୁ ଆସିଯାଇଛି ଦର । ଟମାଟୋ ଏବେ ନିତିଦିନିଆ ଆବଶ୍ୟକ ପରିବା ହୋଇଯାଇଛି । ତେଣୁ ଏପରି ଦରବୃଦ୍ଧି ଯୋଗୁଁ ଖାଉଟିଙ୍କୁ ବାଧୁଛି । ଉଚ୍ଚା ଦାମ ଯୋଗୁଁ ଅଳ୍ପ ପରିମାଣର ଟମାଟୋ କିଣି କାମ ଚଳାଇ ନେଉଛନ୍ତି ଗ୍ରାହକ । ଏପରିକି ବଜାରକୁ ମଧ୍ୟ ଅଧିକ ପରିମାଣର ଟମାଟୋ ଆସୁନାହିଁ । ଅଳ୍ପ କିଛି ପରିବା ଦୋକାନୀ ଟମାଟୋ ରଖୁଥିବା ଦେଖିବାକୁ ମିଳିଛି । କେବଳ ଟମାଟୋ ନୁହେଁ, ପରିବା ବଜାରରେ ନିଆଁ ଲାଗିଲାଗିଛି । ସବୁ ପରିବା ଦର ବୃଦ୍ଧି ପାଇବାରେ ଲାଗିଛି ।