ଥମୁନି ଟୋକନ ତାତି ! ମୋବାଇଲକୁ ମେସେଜ୍ ନଆସିବାରୁ ମାର୍କେଟ ୟାର୍ଡରେ ତାଲା ପକାଇଲେ ଚାଷୀ, ସରକାର ବକେୟା ଅର୍ଥ ଦେଇନଥିବାରୁ ଧାନ ଉଠାଇବାକୁ ନାରାଜ ମିଲ୍ ମାଲିକ ।

225

କନକ ବ୍ୟୁରୋ : ଥମୁନି ଟୋକନ ତାତି । ଚାଷୀଙ୍କ ଠାରୁ ଧାନ କିଣା ନେଇ ରାଜ୍ୟ ସରକାରଙ୍କ ନୂଆ ନିୟମକୁ ବିରୋଧ କରି ପଶ୍ଟିମ ଓଡିଶାରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ବରଗଡର ଅତାବିରାରେ ଚାଷୀ, ମାର୍କେଟ୍ ୟାର୍ଡରେ ତାଲା ପକାଇଦେଇଛନ୍ତି । ସେପଟେ ଗଂଜାମରେ ମିଲ୍ ମାଲିକ, ଧାନ କିଣିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି । କହିିଛନ୍ତି, ସରକାର ଆଗ, ବାକି ରଖିଥିବା ୨୫ କୋଟି ଟଙ୍କା ଦିଅନ୍ତୁ, ତାପରେ ଧାନ କିଣାହେବ ।

ଟଳୁନି ଟୋକନ ଟେନସନ୍ । ଅଫିସରେ ତାଲା ପକାଇଲେ ଚାଷୀ । ରାଜ୍ୟ ସରକାରଙ୍କ ଟୋକନ ବ୍ୟବସ୍ଥା ବିରୋଧରେ ଚାଷୀ ଅସନ୍ତୋଷ ଉଗ୍ର ହେବାରେ ଲାଗିଛି । ବିନା ଟୋକନରେ ଚାଷୀ ଧାନ ବିକିପାରୁନି । ପ୍ରତିବାଦରେ ବରଗଡ ଅତାବିରାର ନିୟନ୍ତ୍ରିତ ବଜାର କମିଟି ଅଫିସରେ ତାଲା ପକାଇଦେଇଛନ୍ତି । ଚାଷୀଙ୍କ ଅଭିଯୋଗ, ଏଯାଏଁ ତାଙ୍କ ପାଖକୁ ମେସେଜ୍ ଆସିନି । କେତେ ଚାଷୀ ତାଲିକାରୁ ବାଦ ପଡିଛନ୍ତି ଏବଂ ସେମାନଙ୍କ ନାଁ ତାଲିକାରେ ଅଛି କି ନାହିଁ, ତାହା ମଧ୍ୟ ଜଣାପଡୁନାହିଁ ।

ମଣ୍ଡିରୁ ଧାନ ନେବେନି ମିଲ ମାଲିକ । ୨୫ କୋଟି ବାକି ରଖିଛନ୍ତି ସରକାର । ପଶ୍ଟିମ ଓଡିଶାରେ ଟୋକନ ବ୍ୟବସ୍ଥାକୁ ନେଇ ଚାଷୀ ଅସନ୍ତୋଷ ତୀବ୍ର ହେଉଥିବା ବେଳେ ଦକ୍ଷିଣ ଓଡିଶାର ଗଂଜାମ ଜିଲ୍ଲାରେ ମିଲ୍ ମାଲିକ, ମଣ୍ଡିରୁ ଆଉ ଧାନ ନେବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି । ମିଲ୍ ମାଲିକଙ୍କ ଅଭିଯୋଗ ହେଉଛି, ସରକାର ଗତ ୩ ବର୍ଷ ହେଲା ସେମାନଙ୍କ ୨୫ କୋଟି ଟଙ୍କା ବାକି ରଖିଛନ୍ତି । ଏଥିସହ ଚଳିତ ବର୍ଷ ମାସେ ପୂର୍ବରୁ ଧାନ ନେବା ପାଇଁ ଚୁକ୍ତି କରିବାକୁ ମିଲରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏଭଳି ସ୍ଥିତିରେ ମିଲ୍ ମାଲିକ ଆଗରୁ ଧାନ ନେଲେ ତାହା ଠିକ ନଥିବ ବୋଲି ଆଶଙ୍କା କରିଛନ୍ତି ମିଲ୍ ମାଲିକ । ଧାନ ବିକ୍ରି ନେଇ ଚଳିିତ ବର୍ଷ ସରକାର ଟୋକନ ବ୍ୟବସ୍ଥା କରିଥିବା ବେଳେ ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି ।