୨୮ ଯାଏଁ ଦକ୍ଷିଣ, ଉତ୍ତର, ଉପକୂଳରେ ବର୍ଷା !

56

କନକ ବ୍ୟୁରୋ: ବଙ୍ଗୋପ ସାଗରର ବାଂଲାଦେଶ ଏବଂ ମିଆଁମାର ଉପକୂଳରେ ସୃଷ୍ଟି ହୋଇଥିବା ୨ଟି ଘୂର୍ଣ୍ଣିବଳୟ ଏବେ ଗୋଟିଏ ଘୂର୍ଣ୍ଣିବଳୟରେ ପରିଣତ ହୋଇଛି । ୪୮ ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ସୂଚନାନୁସାରେ, ୨ଟି ଘୂର୍ଣ୍ଣିବଳୟର ମିଶ୍ରଣ ହେବା ପରେ ଗତକାଲି ଏହା ଉତ୍ତର ପୂର୍ବ ବଙ୍ଗୋପ ସାଗରର ବାଂଲାଦେଶରୁ ଅଗରତାଲା ନିକଟରେ କେନ୍ଦ୍ରୀଭୂତ ହୋଇଛି । ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବା ମୁତାବକ, ଏହି ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇପାରେ । ଲଘୁଚାପଟି ଓଡ଼ିଶା ଉପକୂଳ ନିକଟକୁ ବି ଗତି କରିବାର ସମ୍ଭାବନା ଅଧିକ । ବର୍ତ୍ତମାନ ପାଇଁ ଏ ନେଇ କେବଳ ପୂର୍ବାନୁମାନ କରାଯାଉଛି ।

ଆଜି ଘୂର୍ଣ୍ଣିବଳୟର ସ୍ଥିତିରୁ ଏହା କେଉଁ ଦିଗକୁ ଗତି କରିବ ଏବଂ ବର୍ଷା କରାଇବ ତା’ର ରୂପରେଖ ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି । ତେବେ ଏହାର ପ୍ରଭାବରେ ରାଜ୍ୟର ଦକ୍ଷିଣରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଉତ୍ତର, ଉପକୂଳ ଏପରି କି ଆଭ୍ୟନ୍ତରୀଣ ଅଞ୍ଚଳର କିଛି ସ୍ଥାନରେ ବି ବର୍ଷା ହୋଇପାରେ । ଏଭଳି ବର୍ଷା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ।

ତେବେ ଗତ ୨୪ ଘଣ୍ଟାରେ ଗୋପରେ ସର୍ବାଧିକ ୮୦ ମିଲିମିଟର ବର୍ଷା ହୋଇଥିଲା । ସେହିପରି ଗଜପତି ଜିଲ୍ଲାର ନୂଆଗଡ଼, ରାଇକିଆରେ ୫୦ ମି.ମି., ଆସ୍କା, ବାଲିଗୁଡ଼ା, କାକଟପୁର, ସାଲେଭଟାରେ ୩୦ ମି.ମି., କନ୍ଧମାଳ ଜିଲ୍ଲାର କେ.ନୂଆଗଡ଼, ସୋରଡ଼ା, ଅସ୍ତରଙ୍ଗରେ ୨୦ ମି.ମି. ବର୍ଷା ହୋଇଥିଲା । ଆଜି ସନ୍ଧ୍ୟା ସୁଦ୍ଧା ମାଲକାନଗିରିରେ ସର୍ବାଧିକ ୨୨ ମି.ମି. ବର୍ଷା ହୋଇଥିବା ବେଳେ ବାଲେଶ୍ୱର, ସମ୍ବଲପୁର, କେନ୍ଦୁଝର ଆଦି ସ୍ଥାନମାନଙ୍କରେ ସାମାନ୍ୟ ବର୍ଷା ହୋଇଥିବା ଖବର ମିଳିଛି ।