ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଆଶଙ୍କା । ଏହି ସବୁ ଜିଲ୍ଲାରେ ସତର୍କ ସୂଚନା ଜାରି କଲା ଆଂଚଳିକ ପାଣିପାଗ ବିଭାଗ

45

କନକ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ। ମାଲକାନଗିରି, କୋରାପୁଟ, କେନ୍ଦୁଝର, ବାଲେଶ୍ୱର, ମୟୂଭରଞ୍ଜ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଉକ୍ତ ଜିଲ୍ଲା ବ୍ୟତୀତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀର ଆଶଙ୍କା ରହିଛି। ପାଣିପାଗ କେନ୍ଦ୍ରର କହିବାନୁଯାୟୀ ଓଡ଼ିଶାରେ ଗତକାଲିଠାରୁ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ବର୍ଷା ସାଙ୍ଗକୁ କେତେକ ସ୍ଥାନରେ ପ୍ରବଳ ପବନ ହୋଇଛି।

ଗତ ୧୨ ଘଣ୍ଟାରେ ଢେଙ୍କାନାଳରେ ସର୍ବାଧିକ ୨୮ ମିମି ବର୍ଷା ହୋଇଥିବା ବେଳେ ତାଳଚେରରେ ୨୭, ବାରିପଦାରେ ୨୨.୪, ବାଲେଶ୍ୱରରେ ୪ ମିମି ବର୍ଷା ହୋଇଛି। ଭୁବନେଶ୍ୱର ସମେତ ଚାନ୍ଦବାଲି, ଗୋପାଳପୁର, ମାଲକାନଗିରିର କେତେକ ସ୍ଥାନରେ ହାଲ୍କା ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୫ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓ ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାରେ ଝଡ଼ବର୍ଷା ହେବ। ୬ ତାରିଖରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗକୁ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍.ଆର. ବିଶ୍ୱାସ କହିଛନ୍ତି।