ଆଜି ସିଡନୀରେ ଖେଳାଯିବ ଶେଷ ଟି-୨୦ । ଭାରତ ପାଇଁ ‘କର ବା ମର’ ସ୍ଥିତି

ସ୍ପିନରଙ୍କୁ ସୁହାଇବ ପିଚ୍- ଷ୍ଟ୍ରେଲିଆ ଟିମରେ ମିଚେଲ ଷାର୍କ ସାମିଲ

143

କନକ ବ୍ୟୁରୋ: ଆଜି ସିଡନିରେ ଖେଳାଯିବ ଭାରତ ଓ ଅଷ୍ଟ୍ରେଲିଆ ତୃତୀୟ ତଥା ସିରିଜର ଅନ୍ତିମ ଟି-୨୦ ମ୍ୟାଚ । ଶୁକ୍ରବାର ଦ୍ୱିତୀୟ ମ୍ୟାଚକୁ ବର୍ଷା ଧୋଇନେବାରୁ ଆଜିର ମ୍ୟାଚ ଭାରତ ପାଇଁ ବେଶ୍ ଗୁରୁତ୍ୱବହନ କରୁଛି । ଏହି ସିିରିଜରେ ଅଷ୍ଟ୍ରେଲିଆ ଆଗୁଆ ଥିବାରୁ ଆଜିର ମ୍ୟାଚ ଭାରତ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି । ତେବେ ଆଜି ମ୍ୟାଚ ଜିତିଲେ ସିରିଜରେ ଉଭୟ ଦଳ ବରାବର ସ୍ଥିିତିରେ ରହିବେ ।

ଶୁକ୍ରବାର ବର୍ଷା ଯୋଗୁଁ ଭାରତର ବିଜୟ ଆଶା ମଉଳିଯାଇଥିଲା । ଏହା ସହିତ ଲଗାତାର ଅଷ୍ଟମ ଶୃଙ୍ଖଳା ଜିତିବାର ସୁଯୋଗ ମଧ୍ୟ ହାତ ଛଡା କରିଥିଲା ଭାରତୀୟ ଦଳ । ଅନ୍ୟପଟେ ପାକିସ୍ତାନ ନିକଟରୁ ଶୃଙ୍ଖଳା ଜିିତିବା ପରେ ଘରୋଇ ଅଷ୍ଟ୍ରେଲିଆ ଦଳ ଆଜି ମ୍ୟାଚ ଜିତି ଶୃଙ୍ଖଳା ହାତେଇବା ସାଙ୍ଗକୁ ଟେଷ୍ଟ ଶୃଙ୍ଖଳା ପୂର୍ବରୁ ମନୋବଳ ଦୃଢ଼ କରିବା ଲକ୍ଷ୍ୟ ରଖିଛି ।

ଅନ୍ୟପକ୍ଷରେ ଚୂଡାନ୍ତ ଏକାଦଶରେ ୟୁଜ୍‌ବେନ୍ଦ୍ର ଚହଲ୍‌ଙ୍କ ସାମିଲକୁ ନେଇ ଭାରତ ପାଇଁ ଏକମାତ୍ର ବିତର୍କ ରହିଛି। ମେଲ୍‌ବର୍ନ ମ୍ୟାଚ୍‌ରେ ସେ ଖଲିଲ ଅହମ୍ମଦଙ୍କ ବଦଳରେ ଖେଳିବାର ଆଭାସ ଦିଆଯାଇଥିଲେ ମଧ୍ୟ ଶେଷ କ୍ଷଣରେ ଅପରିବର୍ତିତ ଦଳ ଖେଳିଥିଲା। ସେହି ଦୃଷ୍ଟିରୁ ରବିବାର ମ୍ୟାଚ୍‌ରେ ଖଲିଲ ଅହମ୍ମଦ କିମ୍ବା କୃନାଲ ପଣ୍ଡ୍ୟାଙ୍କ ମଧ୍ୟରୁ ଜଣଙ୍କୁ ବସାଇ ଚହଲ୍‌ଙ୍କୁ ଖେଳାଇବାର ସମ୍ଭାବନା ରହିଛି। ‌ତେବେ ସବୁଠୁ ଖୁସିର କଥା ହେଲା ସିଡ୍‌ନିରେ ବର୍ଷା ହେବାର ପୂର୍ବାନୁମାନ ନାହିଁ। ପାଗ ପୂରା ଶୁଖିଲା ରହିବ। ପିଚ୍‌ ମଧ୍ୟ ସ୍ପିନରଙ୍କୁ ସୁହାଇବ ବୋଲି ଜଣାପଡ଼ିଛି।

ପରିସଂଖ୍ୟାନ ଭାରତ ସପକ୍ଷରେ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍‌ନି କ୍ରିକେଟ୍‌ ପଡ଼ିଆରେ ପୂର୍ବରୁ ଏକମାତ୍ର ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯାଇଛି। ୨୦୧୬ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୧୯୮ ରନ୍‌ର ପିଛା କରିଥିବା ଭାରତ ଶେଷ ବଲ୍‌ରେ ହିଁ ବିଜୟ ହାସଲ କରିଥିଲା।