ଆଜି ଓଡ଼ିଶା ଆସିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ନବୀନ ନିବାସର ଅତିଥି ବନିବେ କେସିଆର

ଆଜି ଓଡିଶା ଗସ୍ତରେ ଆସୁଛନ୍ତି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ

76

କନକ ବ୍ୟୁରୋ : ଆଜି ଓଡିଶା ଗସ୍ତରେ ଆସୁଛନ୍ତି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ମିଳିଥିବା ସୂଚନା ଅନୁସାରେ ସେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ନବୀନ ନିବାସରେ ରାତ୍ରୀ ଯାପନ କରିପାରନ୍ତି ବୋଲି ଜଣାପଡିଛି । ତେବେ ମିଳିଥିବା ସୂଚନା ଅନୁସାରେ ନବୀନ ନିବାସରେ କେବଳ ଅତିଥି ବନିବେନି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ବରଂ ପ୍ରଥମ ରାଜନେତା ଭାବରେ ରାତ୍ରୀ ଯାପନ ମଧ୍ୟ କରିପାରନ୍ତି । ତାଙ୍କର ଓଡିଶା ଗସ୍ତ ସମୟରେ ସେ କୋଣାର୍କ ଓ ପୁରୀ ଯିବେ ବୋଲି ସୂଚନା ମିଳିଛି । ଦେଶର ରାଜନୈତିକ ଦୃଶ୍ୟପଟ୍ଟରେ କେସିଆରଙ୍କ ଏହି ଗସ୍ତ ବେଶ ଗୁରୁତ୍ୱ ରଖୁଛି । କାରଣ ନବୀନଙ୍କୁ ଦେଖା କରିବା ପରେ ପରଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ ।

 

ମମତାଙ୍କ ସହ ସାକ୍ଷତ ପରେ ୨୫ ତାରିଖରେ ବିଏସପି ମୁଖ୍ୟ ଏବଂ ସପା ମୁଖ୍ୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ୨୦୧୯ ପୂର୍ବରୁ କେସିଆର୍ ଆଂଚଳିକ ଦଳର ନେତାଙ୍କୁ ଭେଟିବା ହୁଏତ ଏକ ବଡ ବାର୍ତା ନେଇ ଆସୁଛି । କେ. ଚନ୍ଦ୍ରଶେଖର ରାଓ, ନବୀନ ପଟ୍ଟନାୟକ ଏବଂ ମମତା ବାନାର୍ଜୀ, ନିଜ ନିଜ ରାଜ୍ୟରେ କଂଗ୍ରେସ ଓ ବିଜେପିକୁ ଅଟକାଇ ରଖିବାରେ ସଫଳ ହୋଇଥିବା ୩ ପ୍ରମୁଖ ନେତା । ଆଉ ଏହି ତିନି ନେତା ଯଦି ୨୦୧୯ ନିର୍ବାଚନ ପୂର୍ବରୁ ଏକାଠି ଗୋଟିଚାଳନା କରନ୍ତି, ତେବେ ବିଜେପିର ପୂର୍ବାଚଂଳ ଦଖଲକୁ ଏକ ବଡ ଚେକ ଦେଇପାରିବେ ଏଥିରେ କୌଣସି ସନ୍ଦେହ ନାହିଁ ।

 

କୁହାଯାଉଛି-କେସିଆର୍ ମୁଖ୍ୟମନ୍ତ୍ରୀଙ୍କ ସହ ଆଗାମୀ ନିର୍ବାଚନ ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରିବେ । ଆଉ ଏହି ଚର୍ଚ୍ଚା-ଆଲୋଚନା ଭିତରେ ଏକ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ନହେବ, ତାହା ବି କହିବା ମୁସ୍କିଲ । ଉଭୟ ବିଜେପି ଓ କଂଗ୍ରେସଠାରୁ ବିଜେଡି ସମଦୂରତ୍ୱ ବଜାୟ ରଖି ଆସୁଥିବା ବେଳେ କେସିଆର୍ ଜାତୀୟ ରାଜନୀତି ଅପେକ୍ଷା ରାଜ୍ୟ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଆସିଛନ୍ତି । ଆଉ ଯଦି ଆଂଚଳିକ ଦଳର କସରତ ଏକ ନୂଆ ସମୀକରଣ ସୃଷ୍ଟି କରେ, ତେବେ ୨୦୧୯ରେ ଏକ ପ୍ରମୁଖ ଶକ୍ତି ଭାବେ ଉଭା ହେବ ଏଥିରେ କୌଣସି ସନ୍ଦେହ ନାହିଁ । ଓଡ଼ିଶା, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ଦଳ ଗୁଡ଼ିକ ଅପେକ୍ଷା ଆଂଚଳିକ ଶକ୍ତି ଅଧିକ ପ୍ରଭାବଶୀଳ । ଆଉ ଏହି ୩ଟି ରାଜ୍ୟର ରାଜନୈତିକ ଶକ୍ତି ଯଦି ଏକାଠି ହୁଅନ୍ତି, ତେବେ ରାଜ୍ୟର ସ୍ୱାର୍ଥ ପାଇଁ କେନ୍ଦ୍ର ନିକଟରେ ଏକ ବଡ ଧରଣ ମୂଳଚାଳ କରିବାରେ ସମର୍ଥ ହେବେ ।