ସଂସଦୀୟ କମିଟିରୁ ହଟିବା ପରେ ଗଡକରୀଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା, ତାଙ୍କ ବିରୋଧରେ ମିଥ୍ୟା ଅଭିଯାନ ଚାଲିଛି କହି ଆକ୍ସନ ମୋଡକୁ ଆସିଲେ କେନ୍ଦ୍ରମନ୍ତ୍ରୀ

439

କନକ ବ୍ୟୁରୋ : ସ୍ପଷ୍ଟ କଥା ପାଇଁ ସର୍ବଦା ଚର୍ଚ୍ଚାରେ ଥିବା କେନ୍ଦ୍ର ସଡକ ଓ ପରିବହନମନ୍ତ୍ରୀ ନୀତିନ ଗଡକରୀ ଏକ ଟ୍ୱିଟ କରି କହିଛନ୍ତି କି କିଛି ଲୋକ ଓ କିଛି ସଂସ୍ଥା ସେମାନଙ୍କର ରାଜନୈତିକ ଲାଭ ପାଇଁ ମୋ ବିରୋଧରେ ଘୃଣ୍ୟ ଓ ମନଗଢା ଅଭିଯାନ ଜାରି ରଖିବାକୁ ପ୍ରୟାସ କରୁଛନ୍ତି ।

ଏକ ମିଡିଆ ରିପୋର୍ଟରେ କୁହାଯାଇଥିଲା କି ଗଡକରୀଙ୍କୁ ଆରଏସଏସର ପ୍ରରୋଚନାରେ ବିଜେପି ସଂସଦୀୟ କମିଟିରୁ ବାହାର କରାଯାଇଛି । ଏଭଳି ଖବରକୁ ନେଇ ଗଡକରୀ ତାଙ୍କ ଟ୍ୱିଟରେ କହିଛନ୍ତି କି, ମୁଖ୍ୟସ୍ରୋତ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମର କିଛି ଅଂଶ ଏବଂ ବିଶେଷ କରି କିଛି ବ୍ୟକ୍ତି ସେମାନଙ୍କ ରାଜନୈତିକ ଲାଭ ପାଇଁ ମୋ ବିରୋଧରେ ମନଗଢା ଓ ଘୃଣ୍ୟ ଅଭିଯାନ ଜାରି ରଖିବାକୁ ପ୍ରୟାସ ଚଳାଇଛନ୍ତି ।

ଗଡକରୀ ଆହୁରି କହିଛନ୍ତି କି ବିନା ପ୍ରମାଣରେ ଏକ ସାର୍ବଜନୀନ ପ୍ଲାଟଫର୍ମରେ ମୋ ବିରୋଧରେ ଚଳାଯାଉଥିôବା ଅଭିଯାନକୁ ନେଇ ମୁଁ କେବେ ବି ବିଚଳିତ ହୋଇ ନାହିଁ । ହେଲେ ଏହି ଅଭିଯାନରେ ସଂପୃକ୍ତ ଥିବା ବ୍ୟକ୍ତିମାନେ ଯଦି ଏଭଳି କାର୍ଯ୍ୟକ୍ରମ ଜାରି ରଖନ୍ତି ତେବେ ଦଳ, ସରକାର ଓ ଦଳର କୋଟି କୋଟି କର୍ମୀଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 

ଏହି ଟ୍ୱିଟକୁ ଗଡକରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ବିଜେପି ମୁଖ୍ୟ ଜେ.ପି ନଡ୍ଡା ଏବଂ ଦଳର ଅଫିସିଆଲ ହ୍ୟାଣ୍ଡଲକୁ ମଧ୍ୟ ଟ୍ୟାଗ କରିଛନ୍ତି ।