ଆଜି ବହୁ ପ୍ରତିକ୍ଷିତ ଓସିଏ ନିର୍ବାଚନ । ବିଭିନ୍ନ ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ୧୦ଜଣ ପ୍ରାର୍ଥୀ, ଭାଗ୍ୟ ନିର୍ଦ୍ଧାରଣ କରିବେ ୭୩ ଭୋଟର

ଆଜି ବହୁ ପ୍ରତିକ୍ଷିତ ଓସିଏ ନିର୍ବାଚନ ଅନୁଷ୍ଠିତ ହେବ । ସକାଳ ସାଢ଼େ ୯ଟାରୁ ଗେଟ୍ ଖୋଲାଯିବା ପରେ ଦିନ ସାଢ଼େ ୧୧ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ । ଏହାପରେ ଭୋଟ ଗଣତି ହେବା ପରେ ସନ୍ଧ୍ୟା ୬ଟା ସୁଦ୍ଧା ଫଳାଫଳ ଘୋଷଣା କରାଯିବ । ପ୍ରଥମ ଥର ପାଇଁ ଗୋଟିଏ ଲେଖାଏ ପଦବି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ

172

କନକ ବ୍ୟୁରୋ : ଆଜି ବହୁ ପ୍ରତିକ୍ଷିତ ଓସିଏ ନିର୍ବାଚନ ଅନୁଷ୍ଠିତ ହେବ । ସକାଳ ସାଢ଼େ ୯ଟାରୁ ଗେଟ୍ ଖୋଲାଯିବା ପରେ ଦିନ ସାଢ଼େ ୧୧ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ । ଏହାପରେ ଭୋଟ ଗଣତି ହେବା ପରେ ସନ୍ଧ୍ୟା ୬ଟା ସୁଦ୍ଧା ଫଳାଫଳ ଘୋଷଣା କରାଯିବ । ପ୍ରଥମ ଥର ପାଇଁ ଗୋଟିଏ ଲେଖାଏ ପଦବି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ନାମାଙ୍କନ ଦାଖଲ ପରଠୁ ଆପେକ୍ସ କାଉନସିଲ୍ ସଦସ୍ୟ ପାଇଁ କେନ୍ଦ୍ରାପଡାର ଶୁଭାଶିଷ୍ ସେନାପତି ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇ ସାରିଛନ୍ତି । ଏବେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧକ୍ଷ ପାଇଁ ୧୦ଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ । ସଭାପତି ପଦ ପାଇଁ ପ୍ରଦୀପ ଚୌହ୍ୱାନ ଓ ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ପଦ ପାଇଁ ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକ ଓ ଅକ୍ଷୟ କୁମାର ସାମନ୍ତ, ସମ୍ପାଦକ ପାଇଁ ନିରଞ୍ଜନ ପଟ୍ଟନାୟକ ଓ ସଞ୍ଜୟ ବେହେରା, ଯୁଗ୍ମ-ସମ୍ପାଦକ ପଦ ପାଇଁ ସୁଜିତ୍ କୁମାର ପ୍ରଧାନ ଓ ମେହେତାବ ଖାନ୍ ଏବଂ କୋଷାଧକ୍ଷ ପାଇଁ ଅନୀଲ କୁମାର ବିଶ୍ୱାଳ ଓ ବିକାଶ ପ୍ରଧାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ ।

ମୋଟ୍ ୭୩ ଭୋଟର ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଭୋଟରଙ୍କ ମଧ୍ୟରୁ ଭୁବନେଶ୍ୱରକୁ ମିଶାଇ ୩୧ ଜିଲ୍ଲା, ୨୦ କ୍ଲବ୍, ବୋସକୁ ମିଶାଇ ୧୧ ବିଦ୍ୟାଳୟ, ୩ମହାବିଦ୍ୟାଳୟ ପୂର୍ଣ୍ଣ ସଦସ୍ୟ ଭାବେ ଗୋଟିଏ ଲେଖାଏଁ ଭୋଟ୍ ଦେଉଥିବାବେଳେ ରେଭେନ୍ସା, କିଟ୍, ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ, ରାଉରକେଲା ଷ୍ଟିଲ୍ ପ୍ଲାଂଟ, ପୂର୍ବତଟ ରେଳାବାଇରୁ ଜଣେ ଲେଖାଏଁ ଭୋଟ୍ ଦେଇପାରିବେ । ସେହିପରି ତିନି ଆନ୍ତର୍ଜାତିକ ଖେଳାଳି ଦେବାଶିଷ୍ ମହାନ୍ତି, ଶିବସୁନ୍ଦର ଦାସ ଓ ସଞ୍ଜୟ ରାଉଳ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଭୋଟ ଗ୍ରହଣ କେନ୍ଦ୍ରକୁ ଆସିବା ପାଇଁ ନିର୍ବାଚନ ଅଧିକାରୀ ଏମଏଲ୍ ମଜୁମଦାର କେତେକ ନିୟମାବଳୀ ପ୍ରସ୍ତୁତ କରିଛନ୍ତି । ଓସିଏ କ୍ଲବ୍ ପଛପଟ ଗେଟ୍ ଦେଇ ଭୋଟରମାନେ ଭିତରକୁ ପ୍ରବେଶ କରିବେ । ପାଖରେ ସେଂଟ ଜାଭିୟର୍ସ ବିଦ୍ୟାଳୟ ଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଯେପରି ସମସ୍ୟାର ସମ୍ମୁଖୀନ ହେବାକୁ ନପଡେ ସେଥିପାଇଁ ଏଭଳି ନିୟମ କରାଯାଇଛି । ତେବେ କ୍ଲବର ବାହାର ଗେଟ୍ ପାଖରେ ଭୋଟରମାନଙ୍କୁ ଯାଂଚ କରାଯାଇ ସେମାନଙ୍କ ପାଇଁ ଧାର୍ଯ୍ୟ ପାସ ଦିଆଯିବ । ପରେ ସମ୍ମିଳନୀ କକ୍ଷ ଗେଟ୍ ପାଖରେ ଦ୍ୱିତୀୟ ଥର ଯାଂଚର ସମ୍ମୁଖୀନ ହେବେ । ସାଙ୍ଗରେ ଆଣିଥିବା ମୋବାଇଲ୍ , କ୍ୟାମେରା କିମ୍ବା ଅନ୍ୟ କୌଣସି ବୈଦୁତିକ ସରଞ୍ଜାମ ଭିତରକୁ ନେବାକୁ ବାରଣ କରାଯାଇଛି ।