କନକ ବ୍ୟୁରୋ : ସେନା ଦିବସରେ ଶକ୍ତି ପ୍ରଦର୍ଶନ । ବେଙ୍ଗାଲୁରୁରେ ପାଳନ ହେଉଥିବା ୭୫ତମ ସେନା ଦିବସରେ ଶକ୍ତି ପ୍ରଦର୍ଶନ କରିଛି ସେନା । ତେବେ ପ୍ରଥମ ଥର ପାଇଁ ଦିଲ୍ଲୀରୁ ବାହାରେ ବେଙ୍ଗାଲୁରୁରେ ପାଳନ ହେଉଛି ଆର୍ମି ଡେ’ । ୧୯୪୯ରେ ପ୍ରଥମ ଥର ପାଳନ ହୋଇଥିଲା ସେନା ଦିବସ । ତା ପରଠାରୁ ଦିଲ୍ଲୀରେ ହିଁ ପାଳନ କରାଯାଉଛି ।

Advertisment

ତେବେ ପ୍ରଥମ ଥର ପାଇଁ ବେଙ୍ଗାଲୁରୁର ଗୋବିନ୍ଦାସ୍ୱାମୀ ଡ୍ରିଲ ଗ୍ରାଉଣ୍ଡରେ ଭାରତୀୟ ସେନା ଦିବସ ପାଳିତ ହୋଇଛି । ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି, ନୂଆ ଆତଙ୍କୀ ସଙ୍ଗଠନ ନିଜ ଉପସ୍ଥିତି ଜାହିର କରିବା ପାଇଁ ଟାର୍ଗେଟ କିଲିଂ କରୁଛନ୍ତି । ଭାରତରେ ସୀମାବର୍ତୀ ଅଂଚଳରେ ଭିତିଭୂମି ସୁଦୃଢ ହେଉଥିବା କହିଛନ୍ତି ସେନା ମୁଖ୍ୟ । ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତୀୟ ସେନା ଏକ ଦୃଢ ପ୍ରତିରକ୍ଷା ଆଭିମୁଖ୍ୟ ଜାରି କରିବା ସହ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଜେନେରାଲ ମନୋଜ ପାଣ୍ଡେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସମସ୍ତ ବୀର ଜବାନ ଓ ସେମାନଙ୍କ ପରିବାରକୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

ଭାରତୀୟ ସୈନିକମାନଙ୍କ ସାହସିକତା ବିରତ୍ୱ ଓ ନିସ୍ୱାର୍ଥପୁର ବଳିଦାନକୁ ଆଜିର ଦିନରେ ସ୍ମରଣ କରାଯାଏ । ଭାରତର ପ୍ରଥମ କମାଣ୍ଡର ଇନ୍ ଚିଫ ଭାବେ ୧୯୪୯ ମସିହା ଜାନୁଆରୀ ୧୫ ତାରିଖରେ ପଦଭାର ଗ୍ରହଣ କରିଥିଲେ ଫିଲ୍ଡ ମାର୍ଶଲ୍ କେ ଏମ୍ କାରିଆପ୍ପା । ତାଙ୍କୁ ଶ୍ରଦ୍ଧାଜ୍ଞଳୀ ଅର୍ପଣ ଉଦ୍ଦେଶ୍ୟରେ ସେନା ଦିବସ ପାଳନ କରାଯାଏ ।