୭୭ ବର୍ଷରେ ପାଦ ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହେଲେ ପାଳିବେନି ଜନ୍ମଦିନ । ନବୀନ ନିବାସ ନ ଆସିବାକୁ ସୁଭେଚ୍ଛୁଙ୍କୁ ଅନୁରୋଧ, ଆଜି ହ୍ରାଇଦ୍ରାବାଦରେ ମେକ ଇନ୍ ଓଡ଼ିଶା କାର୍ଯ୍ୟକମ ଥିବାରୁ ସେଠାକୁ ଯିବେ ନବୀନ

222

କନକ ବ୍ୟୁରୋ : ୭୭ ବର୍ଷରେ ପାଦ ରଖିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହେଲେ ଜନ୍ମଦିନ ମନାଇବେ ନାହିଁ ନବୀନ । ତେଣୁ ଆଜି ନବୀନ ନିବାସ ନ ଯିବାକୁ ସୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି ହାଇଦ୍ରାବାଦ ଗସ୍ତରେ ଯିବେ । ସେଠାରେ ମେକ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେବେ । ତେଣୁ ଜନ୍ମଦିନର ସୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆର୍ଶିବାଦ ପାଇଁ ସେ ସର୍ବଦା ଋୁଣି ରହିବେ ବୋଲି କହିଛନ୍ତି । କିନ୍ତୁ ଦଳ ତରଫରୁ ନବୀନଙ୍କ ଜନ୍ମଦିନ ପାଳନ ପାଇଁ ପ୍ରସ୍ତୁତି କରାଯାଇଛି । ଯାଜପୁରରେ ବୈତରଣୀ ନଦୀକୂଳରେ ନବୀନଙ୍କ ଜନ୍ମଦିନ ପାଳନ ପାଇଁ ବଡ଼ ଧରଣର ଆୟୋଜନ କରିଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେଠାରେ ନବୀନଙ୍କ ବଡ ବଡ ହୋଡିଂ ଲଗାଯାଇଥିବା ଦେଖିବାକୁ ମିଳିଛି । ଗତକାଲି ଯାଜପୁରର ଦୁଇ ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ପ୍ରଣବ ବଳବନ୍ତ ରାୟ ଉତ୍ସବ ହେବା ସ୍ଥାନକୁ ଯାଇ ସ୍ଥିତି ଯାଂଚ କରିଛନ୍ତି ।
ନବୀନଙ୍କ ୭୭ ବର୍ଷ ଜୀବନୀ ଭିତରେ ତାଙ୍କର ୨୫ ବର୍ଷରୁ ଅଧିକ ସଫଳ ରାଜେନୈତିକ କ୍ୟାରିୟର ରହିଛି । କେବଳ ଓଡ଼ିଶା ନୁହେଁ ଜାତୀୟ ସ୍ତରରେ ମଧ୍ୟ ନବୀନ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ହେଉ କି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଅବା ଫାଇଭ୍-ଟି ହେଉ ବହୁବାର ମାଷ୍ଟର ଷ୍ଟ୍ରୋକ ଖେଳି ବିଜୟ ପରେ ବିଜୟ ହାସଲ କରିଚାଲିଛନ୍ତି ନବୀନ । ବୟସ ୫୦ ଛୁଇଁବା ପର୍ଯ୍ୟନ୍ତ ରାଜନୀତିର ଅ, ଆ ଜାଣିନଥିବା ନବୀନ ଯେ ଓଡ଼ିଶାରେ ଲଗାତାର ୨୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ ହେବେ ତାହା କେହି କେବେ ସ୍ୱପ୍ନରେ ବି ଆକଳନ କରିନଥିବେ । ୧୯୯୭ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡ଼ିଶା ଆସିଥିଲେ ନବୀନ । ବିଜୁଙ୍କ ନାମରେ ବିଜୁ ଜନତା ଦଳର ଗଠନ ହୋଇଥିଲା ଆଉ ଯାହାର ମଙ୍ଗ ଧରିଥିଲେ ପୁଅ ନବୀନ ପଟ୍ଟନାୟକ । ୧୯୯୭ରେ ଗଞ୍ଜାମ ଜିଲ୍ଲାର ଆସିକା ଲୋକସଭା ଆସନରେ ବଜୟୀ ହୋଇଥିଲେ ନବୀନ । ଏବଂ ଦୁଇ ବର୍ଷ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଥିଲେ । ୨୦୦୦ ମସିହାରେ ରାଜ୍ୟ ଶାସନର ମଙ୍ଗ ଧରିଥିଲେ ନବୀନ । ଆଉ ସେବେଠୁ ଲଗାତାର ୫ ଥର ୨୦୧୯ରେ ବିପୁଳ ବିଜୟ ସହ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ । ସିକିମର ପୱନ ଚାମଲିଙ୍ଗ୍ ଏବଂ ପଶ୍ଚିମବଙ୍ଗର ଜ୍ୟୋତି ବସୁଙ୍କୁ ବାଦ ଦେଲେ ଆଉ କୌଣସି ମୁଖ୍ୟମନ୍ତ୍ରୀ ଭାରତରେ ୨୨ ବର୍ଷ ଧରି ଶାସନରେ ନାହାଁନ୍ତ । ଆଉ ନବୀନ ଏଥରର ୫ ବର୍ଷର ମୁଖ୍ୟମନ୍ତ୍ରୀ ଅବଧି ପୁରୁଣ କଲେ ଦେଶର ସର୍ବାଧିକ ସମୟ ପାଇଁ ମୁଖ୍ୟମନ୍ତ୍ରୀ ବନିଯିବେ । ଅତି ସରଳ ଜୀବନଯାପନ କରୁଥିବା ନବୀନଙ୍କ ନେତୃତ୍ୱକୁ ବହୁତ କମ ଲୋକ ବୁଝିପାରନ୍ତି । ଦଳର ଗୋଟିଏ କ୍ଷମତା କେନ୍ଦ୍ର ଭାବେ ନବୀନ ପ୍ରଥମରୁ ହିଁ ରହିଆସିଛନ୍ତି । ତାଙ୍କ ନେତୃତ୍ୱ ବିରୋଧ କରି ପ୍ୟାରି ମହାପାତ୍ର, ବିଜୟ ମହାପାତ୍ର, ବୈଜୟନ୍ତି ପଣ୍ଡା, ଦାମ ରାଉତ ଭଳି କିଛି ପ୍ରଭାବଶାଳୀ ନେତା ଦଳରୁ ବାଦ ପଡିଥିଲେ ବି ନବୀନଙ୍କ ଭାବମୂର୍ତିରେ ଟିକେ ବି ଆଂଚ ଆସିନି । କୁହାଯାଉଛି ନବୀନ ଜୀବୀତଥିବା ପର୍ଯ୍ୟନ୍ତ ତାଙ୍କର ବିଜୟଧାରାରେ କେହି ରୋକଲଗାଇପାରିବେ ନାହିଁ ।