ବିଜେପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ । ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ଓ କଂଗ୍ରେସର ଦିଲ୍ଲୀପ ପଣ୍ଡା ଭରିବେ ପ୍ରାର୍ଥୀପତ୍ର, ବିଜୟ ପାଇଁ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଲେଣିି ସବୁ ଦଳ

180

କନକ ବ୍ୟୁରୋ : ଆଜି ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ । ନାମାଙ୍କନ ଭରିବେ ତିନି ପ୍ରମୁଖ ଦଳର ପ୍ରାର୍ଥୀ । ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ଏବଂ କଂଗ୍ରେସର ଦିଲ୍ଲୀପ ପଣ୍ଡା ଉପନିର୍ବାଚନ ପାଇଁ ନିଜର ନାମାଙ୍କନ ଭରିବେ । ଦୁଇ ପୁରୁଣା ମୁହଁ ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆଙ୍କ ସହ କଂଗ୍ରେସର ନୂଆ ମୁହଁ ଦିଲ୍ଲୀପ ପଣ୍ଡାଙ୍କ ମଧ୍ୟରେ ମୁକାବିଲା ଲାଗି କ୍ଷେତ୍ର ପ୍ରସ୍ତୁତ ହୋଇଛି । ଆସନ୍ତା ୨୧ ତାରିଖରେ ବିଜେପୁର ଉପ-ନିର୍ବାଚନ ପାଇଁ ପଡ଼ିବ ଭୋଟ୍ । ମତଦାନର ୩ ଦିନ ପରେ ଅର୍ଥାତ୍ ୨୪ ତାରିଖରେ ଭୋଟ୍ ଗଣତି ହେବ । ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରୁ ଆସନରୁ ଲଢ଼ି ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ତେବେ ନବୀନ ଉଭୟ ହିଞ୍ଜିଳି ଓ ବିଜେପୁରରୁ ବିଜୟୀ ହୋଇଥିଲେ । ପରେ ବିିଜେଡି ସୁପ୍ରିମୋ ବିଜେପୁର ଆସନ ଛାଡ଼ିଥିଲେ, ଫଳରେ ଏଠାରେ ଉପନିର୍ବାଚନ କରାଯାଉଛି ।

ବିଜେପୁର ଲଢ଼େଇ ପାଇଁ ପ୍ରସ୍ତୁତ ତିନି ପ୍ରମୁଖ ଦଳର ନେତା । ରୀତା ସାହୁ ସ୍ୱାମୀ ସୁବଳ ସାହୁଙ୍କ ଦେହାନ୍ତ ପରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥଲେ । ରୀତା ସାହୁ ୨୦୧୮ ଉପ ନିର୍ବାଚନରେ ବିଜେଡି ପାଇଁ ଆଣିଥିଲେ ସବୁଠୁ ବଡ଼ ସଫଳତା । କଂଗ୍ରେସ ଗଡ଼ରେ ରୀତା ହିଁ ପକାଇଥିଲେ ବିଜେଡିର ମୁଳଦୂଆ । ୨୦୧୮ ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶୋକ ପାଣିଗ୍ରାହୀଙ୍କୁ ୪୧ ହଜାର ୯୯୩ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ ରୀତା ସାହୁ । ସେପଟେ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢ଼େଇ କରିଥିବା ସନତ ଗଡ଼ତିଆଙ୍କୁୁ ମୈଦାନକୁ ଓହ୍ଲାଇଛି ବିଜେପି । ସନତ ଗଡ଼ତିଆ ତୃଣମୂଳସ୍ତରର ଜଣେ ଟାଣୁଆ ନେତା । ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢ଼ିଥିଲେ ସନତ ଗଡ଼ତିଆ । ଗତ ନିର୍ବାଚନରେ ସନତ ଗଡ଼ତିଆଙ୍କୁ ମିଳିଥିଲା ମୋଟ୍ ୫୩ ହଜାର ୪୮୨ ଭୋଟ୍ । ମୁଖ୍ୟମନ୍ତ୍ରୀ ୫୯.୭୮% ଭୋଟ୍ ପାଇଥିବା ବେଳେ ସନତ ପାଇଥିଲେ ୨୮.୯୧% ଭୋଟ୍ । ଅନ୍ୟପକ୍ଷରେ ସେପଟେ ଦିଲ୍ଲୀପ ପଣ୍ଡା ହେଉଛନ୍ତି ବରଗଡ଼ ଜିଲ୍ଲା କଂଗ୍ରେସର ଉପସଭାପତି । ତୃଣମୂଳସ୍ତରରେ କଂଗ୍ରେସ ସଂଗଠନକୁ ମଜବୁତ କରିବାରେ ଦିଲ୍ଲୀପ ନେଇଛନ୍ତି ବଡ଼ ଭୂମିକା । ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରିପୁନାଥ ସେଠ୍ ମାତ୍ର ୧୪ ହଜାର ୩୪୪ ଭୋଟ୍ ପାଇ କଂଗ୍ରେସକୁ ଅମାନତ ହରାଇଥିଲେ । ତେଣୁ ୨୦୧୯ ଉପ-ନିର୍ବାଚନରେ ଦିଲ୍ଲୀପଙ୍କ ଉପରେ ଆସ୍ଥା ରଖିଛି କଂଗ୍ରେସ ।