ପାଣ୍ଡିଆନଙ୍କ ପାଠଶାଳା । ଅଧିକାରୀଙ୍କୁ ପଢାଇଲେ ‘ମୋ ସରକାର’ ପାଠ । ଥାନା ଓ ଡାକ୍ତରଖାନାରେ କିଭଳି ରହିବ ଆଚରଣ, ଅଧିକାରୀଙ୍କୁ ଦେଲେ ମନ୍ତ୍ର ।

1,158

କନକ ବ୍ୟୁରୋ :  ମୋ ସରକାର ମାଧ୍ୟମରେ ଲୋକଙ୍କ ଭଲମନ୍ଦ ବୁଝିବେ ଖୋଦ୍ ମୁଖ୍ୟମନ୍ତ୍ରୀ । ଗାନ୍ଧୀ ଜୟନ୍ତୀ ଅବସରରେ ୫-ଟିକୁ ଭିତ୍ତି କରି ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବ । ଲୋକଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ସିଧା ଫୋନ କରିବେ ଜନତାଙ୍କୁ । ଥାନା ଓ ହସ୍ପିଟାଲରେ ଲୋକଙ୍କୁ ଅଧିକାରୀ କିପରି ବ୍ୟବହାର କରୁଛନ୍ତି । ଥାନାରେ ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଉଛି କି ନାହିଁ, ହସ୍ପିଟାଲରେ କିପରି ସେବା ଉପଲବ୍ଧ କରାଯାଉଛି ? ମୋଟାମୋଟି ଭାବେ ସରକାରୀ ବ୍ୟବସ୍ଥାକୁ ନେଇ ଲୋକଙ୍କ ଅନୁଭବ ବିଷୟରେ ପଚାରି ବୁଝିବେ ନବୀନ ପଟ୍ଟନାୟକ । ତେବେ ଏହି କ୍ରମରେ ମୋ ସରକାର ଯୋଜନା କ’ଣ, ଏହାକୁ ଅତି ସରଳ ଭାବେ ବୁଝାଇଛନ୍ତି ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ ।

ମୋ ସରକାରର ଆଭିମୁଖ୍ୟ କ’ଣ ? କେଉଁ ଉଦ୍ଦେଶ୍ୟ ନେଇ ମୁଖ୍ୟମନ୍ତ୍ରୀ ମୋ ସରକାର ଯୋଜନା ଆରମ୍ଭ କରିଛନ୍ତି ? ଏ ବିଷୟରେ ସମସ୍ତ ଅଧିକାରୀଙ୍କୁ ବୁଝାଇବା ସହ ତାଗିଦ ମଧ୍ୟ କରିଛନ୍ତି ୫-ଟି ସଚିବ । ଗଣତନ୍ତ୍ରରେ ଜନତାଙ୍କ ସ୍ୱାର୍ଥ ହେଉଛି ସର୍ବୋଚ୍ଚ । ନବୀନ ସରକାର, ଜନତାଙ୍କ ସରକାର । ତେଣୁ ମୋ ସରକାର ମୂଳ ଲକ୍ଷ୍ୟ ଜନତାଙ୍କ ସନ୍ତୁଷ୍ଟି । ଏଥିପାଇଁ ପ୍ରଶାସନକୁ ଅଧିକ ଉତ୍ତର ଦାୟୀ ଓ ଲୋକାଭିମୁଖୀ କରିବା ପାଇଁ ଥାନା ଓ ହସ୍ପିଟାଲ ଉପରେ ଗୁରୁତ୍ୱାରୋପ କରିଛନ୍ତି ୫-ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ । ପ୍ରଥମ ଦଫାରେ ଥାନା ଓ ହସ୍ପିଟାଲକୁ ପ୍ରାଥମିକତା ଦେଇଛନ୍ତି ।

ଖୁସିରେ କେହି ଥାନା କିମ୍ବା ହସ୍ପିଟାଲକୁ ଆସନ୍ତି ନାହିଁ । ବିଷାଦ ତଥା ଦୁଃଖ କଷ୍ଟ ଆସିଲେ ହସ୍ପିଟାଲ ଓ ଥାନାକୁ ଆସନ୍ତି ଜନତା । ହସ୍ପିଟାଲ ଓ ଥାନାରେ ଠିକ ସମୟରେ କାର୍ଯ୍ୟାନୁଷ୍ଠାନ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାହାର ପିଲା ନିଖୋଜ ହୋଇଥିଲେ, ଅଥବା କିଏ ମା’ ବାପା ପିଲାଙ୍କୁ ହରାଇଥିଲେ, କିଏ ନିର୍ଯାତନାର ଶିକାର ହୋଇଥିଲେ ତଥା କିଏ ବଳାକ୍ରାର ଶିକାର ହୋଇଥିଲେ ଥାନାକୁ ଆସନ୍ତି । ପୋଲିସ ଉପରେ ଭରସା କରି ନ୍ୟାୟ ପାଇବା ପାଇଁ ଥାନାକୁ ଆସନ୍ତି ସାଧାରଣ ଜନତା । ଏପରିସ୍ଥଳେ ସମସ୍ୟା ସମାଧାନ ଆଶାରେ ଆସିିଥିବା ଲୋକଙ୍କୁ କିପରି ବ୍ୟବହାର କରାଯିବା ଉଚିତ ? ଏସବୁ ଉପରେ ଗୁରୁତ୍ୱାରୋପ କରିଛନ୍ତି ୫-ଟି ସଚିବ ।

ପାଣ୍ଡିଆନ୍ କହିଛନ୍ତି, ମୋ ସରକାର ଯୋଜନାରେ ଥାନାକୁ ଆସୁଥିବା ଲୋକଙ୍କ ଫୋନ୍ ନମ୍ବର ପ୍ରଥମେ ପଞ୍ଜୀକୃତ କରାଯିବ । ମୋ ସରକାର ପୋର୍ଟାଲ ସହ ଏହାକୁ ସଂଯୋଗ କରାଯିବ । ଆଉ ତା’ପରେ ମୋ ସରକାର ପୋର୍ଟାଲରୁ ଅଭିଯୋଗକାରୀଙ୍କ ପାଖକୁ ୨୪ ଘଂଟା ମଧ୍ୟରେ ଏକ ମେସେଜ ଯିବ । ସେହିପରି ଥାନା ଅଧିକାରୀଙ୍କ ଅବହେଳା କ୍ରମେ ଅଭିଯୋଗକାରୀଙ୍କ ମୋବାଇଲ ନମ୍ବର ପଞ୍ଜୀକରଣ ନହୁଏ, ଟୋଲ ଫ୍ରି ନମ୍ବରକୁ କଲ କରିପାରିବେ ବୋଲି କହିଛନ୍ତି ପାଣ୍ଡିଆନ । ରେଜିଷ୍ଟର ହୋଇଥିବା ସମସ୍ତ ନମ୍ବର ମଧ୍ୟରୁ ୧୦ଟି ନମ୍ବରକୁ କଲ କରି ମତାମତ ସଂଗ୍ରହ କରିବେ ମୁଖ୍ୟମନ୍ତ୍ରୀ । ଅଧିକାରୀଙ୍କ ବ୍ୟବହାର ବିଷୟରେ ପଚାରି ବୁଝିବେ ନବୀନ ।

ଜନତାଙ୍କ ସୁବିଧା ନିମନ୍ତେ ଏହି ମତାମତ ବ୍ୟବସ୍ଥା କରାଯାଇଛି । କୌଣସି ଅଭିଯୋଗ ନେଇ ଥାନାକୁ ଯାଉଥିବା ବ୍ୟକ୍ତିଙ୍କର ଯଦି ଅଭିଯୋଗ ରଖାଯାଉନି, ତେବେ ସେ ଏସପିଙ୍କ ନିକଟରେ ଅଭିଯୋଗ କରିପାରିବେ । ଏସପି ଅଭିଯୋଗ ନରଖିଲେ ଡିଆଇଜିଙ୍କ ପାଖରେ ଅଭିଯୋଗ କରିପାରିବେ ।   ଥାନାରେ ଲୋଙ୍କ ଅନୁଭବ କିପରି ଥିଲା ବୁଝିବା ଉଦ୍ଦେଶ୍ୟରେ ମତାମତ ବ୍ୟବସ୍ଥା ଆପଣା ଯାଇଛି । କେବଳ ଏହି ଯୋଜନା ଯୋଜନାରେ ରହିବନି, ସରକାରଙ୍କ ପକ୍ଷରୁ ଏ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ତଦାରଖ ମଧ୍ୟ କରାଯିବ  ବୋଲି କହିଛନ୍ତି ୫-ଟି ସଚିବ । ତେବେ ଲୋକଙ୍କ ଉତ୍ତର ଆଧାରରେ ହିଁ ଅଧିକାରୀଙ୍କ ଭବିଷ୍ୟତ ନିର୍ଣ୍ଣୟ ହେବ । ଉତ୍ତମ ବ୍ୟବହାର କରିଥିବା ଅଧିକାରୀ ପଦୋନ୍ନତି ପାଇବେ । ଏବଂ  ଅବହେଳା କରିଥିବା  ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ମୋ ସରକାର କାର୍ଯ୍ୟକ୍ରମରେ ଭଲ ପ୍ରଦର୍ଶନ କରିଥିବା ଅଧିକାରୀଙ୍କୁ ପ୍ରଶଂସା ସହ ପଦନ୍ନୋତି ମଧ୍ୟ ଦିଆଯିବ । ତେଣୁ ମତାମତ ବ୍ୟବସ୍ଥା ଅଧିକାରୀଙ୍କୁ ପ୍ରେରଣା ଯୋଗାଇବ । ପୂର୍ବର ବ୍ୟବସ୍ଥା ଅଧିକାରୀ କୈ÷ନ୍ଦ୍ରିକ ଥିଲା । ଏବେ କିନ୍ତୁ ‘ମୋ ସରକାର’ ଜନତା କୈନ୍ଦ୍ରିକ ହୋଇଛି । ତେଣୁ ନାମ ଦିଆଯାଇଛି ‘ମୋ ସରକାର’ ଅର୍ଥ ଆମ ସରକାର ।

ବଡ କଥା ହେଉଛି, ଯେବେଠାରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରହିଲେଣି ପାଣ୍ଡିଆନ, ସେବେଠାରୁ ଗଣମାଧ୍ୟମ ଠାରୁ ଏକ ଦୂରତା ରଖି ଆସୁଥିଲେ । ଆଉ ଏହାରି ଭିତରେ ଯେତେବେଳେ ତାଙ୍କୁ ୫-ଟି ସଚିବ ଭାବେ ଦାୟିତ୍ୱ ଦିଆଯାଇଛି, ଠିକ ସେତିକିବେଳେ ସେ ଦେଇଥିବା ବକ୍ତବ୍ୟ ଆଜି ଯଥେଷ୍ଟ ଚର୍ଚ୍ଚା ସାଉଁଟୁଛି । ଦେଖିବାକୁ ବାକି ରହିଲା, ଏହି ପରଳମାର୍ଶ ତୃଣମଦ୍ଭଳ ସ୍ତରରେ କିଭଳି କାର୍ଯ୍ୟକାରୀ ହେଉଛି ଏବଂ ଅଧିକାରୀ ଲୋକାଭିମୁଖ୍ୟ କାର୍ଯ୍ୟ ହାତକୁ ନେଇ ସାହ ମୋ ସରକାର ଅଭିଯାନକୁ ସଫଳ କରିପାରୁଛନ୍ତି କି ନାହିଁ?