ବ୍ୟାଚଲର ବାଜପେୟୀଙ୍କ ରହସ୍ୟ ଖୋଲିଲେ ନିକଟତମ ବନ୍ଧୁ ଗୋରେଲାଲ ତ୍ରିପାଠୀଙ୍କ ପୁଅ । କହିଲେ ବିବାହରୁ ବର୍ତ୍ତିବା ପାଇଁ ନିଜକୁ ୩ଦିନ ଘରେ ବନ୍ଦ କରିଥିଲେ ବାଜପେୟୀ

36

କନକ ବ୍ୟୁରୋ: ବ୍ୟାଚଲର ବାଜପେୟୀ । ରାଷ୍ଟ୍ରନେତା ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିତ୍ୱର ଅନେଦ ଦିଗ ଭିତରୁ ଗୋଟିଏ ସବୁବେଳେ ଚର୍ଚ୍ଚାରେ ରହିଆସିଥିଲା । ତାହା ହେଉଛି ସେ ଆଜୀବନ ଅବିବାହିତ ଥିଲେ । ବାଜପେୟୀଙ୍କ ଅବର୍ତମାନରେ ତାଙ୍କର ଏହି ବ୍ରହ୍ମଚର୍ଯ୍ୟ ବ୍ରତ ପଛର ରହସ୍ୟ ଖୋଲିଛନ୍ତି ବାଜପେୟୀଙ୍କ ଜଣେ ନିକଟତମ ବନ୍ଧୁ ଗୋରେ ଲାଲ ତ୍ରିପାଠୀଙ୍କ ପୁଅ ବିଜୟ ପ୍ରକାଶ । ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆକୁ ଏକ ସାକ୍ଷାତକାର ଦେଇ ବିଜୟ ପ୍ରକାଶ ବାଜପେୟୀଙ୍କ ଜୀବନର ଏହି ଅନାଲୋଚିତ ଅଧ୍ୟାୟ ଉପରେ ଆଲୋକପାତ କରିଛନ୍ତି ।

ବିଜୟ ପ୍ରକାଶ କହିଛନ୍ତି , ‘ବାପା ସବୁବେଳେ କୁହନ୍ତି ଅଟଳଜୀ ଅତିଥୀମାନେ ରହୁଥିବା ଘରେ ନିଜକୁ ବନ୍ଦ କରିଦେଇଥିଲେ । ସେ ତିନି ଦିନ ଧରି ବାହାରକୁ ଆସିଲେନି । ଅଟଳଜୀ ବାପାଙ୍କୁ ଦରଜା ବାହରୁ ବନ୍ଦ କରିଦେବାକୁ କହିଥିଲେ । ଏବଂ ଯେତେବେଳେ ପାଣି, ଖାଇବା କିମ୍ବା ସୌଚାଳୟ ଯିବାର ଥିଲା ସେ କବାଟ ଠକ ଠକ କରୁଥିଲେ ଆଉ ବାପା ଆସି ତାଙ୍କୁ ସାହାଯ୍ୟ କରୁଥିଲେ ।’

୧୯୪୦ର ମଧ୍ୟ ଭାଗରେ ଅଟଳ ବିହାରୀ ବାଜପେୟୀ କାନପୁର ଡିଏଭି କଲେଜରେ ପିଜି କରୁଥିଲେ । ଯେତେବେଳେ ସେ ଜାଣିଲେ ଯେ, ଘରଲୋକେ ତାଙ୍କ ବାହାଘର ପାଇଁ ଝିଅ ଦେଖାଦେଖି କରୁଛନ୍ତି ଅଟଳଜୀ ପଟାରା ବ୍ଲକ ରାଏପୁର ଗାଁରେ ଥିବା ତାଙ୍କ ବନ୍ଧୁ ଗୋରେ ଲାଲ ତ୍ରିପାଠୀଙ୍କ ଘରକୁ ଚାଲିଆସିଥିଲେ । ଏବଂ ତିନିଦିନ ଧରି ଘରୁ ବାହାରକୁ ବାହାରିନଥିଲେ । ହେଲେ ବାହାଘରକୁ କାହିଁକି ଭୟ କରୁଛନ୍ତି ବୋଲି ଗୋରେ ଲାଲ ପଚାରିବାରୁ ଉତରରେ ବାଜପେୟୀ ଯାହା କହିଥିଲେ ତାହା ତାଙ୍କ ବ୍ୟକ୍ତିତ୍ୱର ଆଉଏକ ବିରାଟ ଦିଗକୁ ସାମ୍ନାକୁ ଆଣିଥିଲା । କାରଣ ଅଟଳଜୀ କହିଥିଲେ ଯେ, ‘ ସେ ଦେଶପାଇଁ ନିଜ ଜୀବନ ଉତ୍ସର୍ଗ କରିବାକୁ ଚାହୁଁଛନ୍ତି । ଏବଂ ବିବାହ କଲେ ଏହା ତାଙ୍କ ଲକ୍ଷ୍ୟ ପଥରେ ବାଧକ ହେବ ।’

 

ଆରଏସଏସ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ଗୋରେ ଲାଲଙ୍କ ସହ ଅଟଳଜୀଙ୍କ ବନ୍ଧୁତା ହୋଇଥିଲା । ଏବଂ ଜାତୀୟ ରାଜନୀତିକୁ ଆସିବା ପରେ ମଧ୍ୟ କାନପୁର ଗଲେ ସେ ତାଙ୍କ ବନ୍ଧୁଙ୍କୁ ଦେଖାକରୁଥିଲେ ବୋଲି ଗୋରେ ଲାଲଙ୍କ ପୁଅ କହିଛନ୍ତି । ଅଟଳଜୀଙ୍କ ଜୀବନର ଏହି ଅନାଲୋଚିତ ଦିଗ ସାମ୍ନାକୁ ଆସିବା ପରେ ତାଙ୍କ ବ୍ୟକ୍ତିତ୍ୱକୁ ନେଇ ଅନୁଗାମୀଙ୍କ ଭିତରେ ସମ୍ମାନ ବୃଦ୍ଧି ପାଇଛି ।