ପଶ୍ଚିମବଙ୍ଗରେ ବିଜେପିର ପରିବର୍ତ୍ତନ ରଥଯାତ୍ରାକୁ ଟକ୍କର ଦେବ ଟିଏମସିର ‘ଦିଦିର ଦୂତ’ । ସୋନାରପୁରରେ ଶୁଭାରମ୍ଭ କଲେ ଅଭିଷେକ ବାନାର୍ଜୀ

137

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଚଳିତବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଏହାକୁ ନେଇ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଜୋରଦାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ବିଜେପି ମମତା ସରକାରଙ୍କ ବିରୋଧରେ ପରିବର୍ତ୍ତନ ରଥଯାତ୍ରା ଆରମ୍ଭ କରିଥିବାବେଳେ ଟିଏମସି(ତୃଣମୂଳ କଂଗ୍ରେସ) ‘ଦିଦିର ଦୂତ’ ଯାତ୍ରା ଶୁଭାରମ୍ଭ କରିଛି । ଶନିବାର ଦିନ ସୋନାରପୁରରେ ତୃଣମୂଳ କଂଗ୍ରେସ ସାଂସଦ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀ ‘ଦିଦିର ଦୂତ’ ଯାତ୍ରାର ଶୁଭାରମ୍ଭ କରିଛନ୍ତି ।

‘ଦିଦିର ଦୂତ’ ମାଧ୍ୟମରେ ଭୋଟରଙ୍କୁ, ଦିଦି ଅର୍ଥାତ୍ ମମତା ବାନାର୍ଜୀଙ୍କ ବାର୍ତ୍ତା ପହଞ୍ଚାଇବାକୁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି। ସେହିପରି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରୋତ୍ସାହିତ କରିବା ପାଇଁ ତୃଣମୂଳ କଂଗ୍ରେସ ‘ଦିଦିର ଦୂତ’ ନାମରେ ଆପ୍ ମଧ୍ୟ ଲଞ୍ଚ କରିଛି। ଲୋକମାନେ ମଧ୍ୟ ଏହି ଆପରେ ସେମାନଙ୍କର ସମସ୍ୟା ଏବଂ ମେସେଜ ପଠାଇବାରେ ସକ୍ଷମ ହେବେ, ଯାହାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଦେଖିବେ। ଫେବୃଆରୀ ୪ ରେ ଏହାକୁ ଲଞ୍ଚ କରିବା ପରେ ବର୍ତ୍ତମାନ ପର୍ୟ୍ୟନ୍ତ ଏକ ଲକ୍ଷରୁ ଅଧିକ ଲୋକ ଏହି ଆପକୁ ଡାଉନଲୋଡ୍ କରିଛନ୍ତି ।

 ବିଜେପି ପୂର୍ବରୁ ପାଞ୍ଚଟି ପର୍ୟ୍ୟାୟରେ ପରିବର୍ତ୍ତନ ରଥଯାତ୍ରା ଆରମ୍ଭ କରିଥିଲା । ପ୍ରଥମ ପର୍ୟ୍ୟାୟରେ ଏହି ରଥଯାତ୍ରା ନଦିଆରୁ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଆରମ୍ଭ କରିଥିଲେ । ଫେବୃଆରୀ ୯ରେ, ନଡ୍ଡା ବୀରଭୂମରୁ ତୃତୀୟ ପର୍ଯ୍ୟାୟ ରଥଯାତ୍ରା ଆରମ୍ଭ କରିଥିବାବେଳେ  ଫେବୃଆରୀ ୧୧ ରେ ଗୃହମନ୍ତ୍ରୀ ଅମିତ ଶାହା ଚତୁର୍ଥ ପର୍ଯ୍ୟାୟ ରଥଯାତ୍ରା କୁଚବିହାର ଠାରୁ ଆରମ୍ଭ କରିଥିଲେ। ଅନ୍ତିମ ପର୍ଯ୍ୟାୟରେ ପରିବର୍ତ୍ତନ ରଥଯାତ୍ରା କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ବୁଲି ବୁଲି ସରକାର ପରିବର୍ତ୍ତନ ବାବଦରେ ଭୋଟରଙ୍କୁ କହିବ ।