ରାଜ୍ୟସଭା ଯିବେ ପ୍ରସାର ଭାରତୀର ପୂର୍ବ ସିଇଓ ଜବାହର ସରକାର । ଦିନେଶ ତ୍ରିବେଦୀଙ୍କ ସ୍ଥାନରେ ଟିଏମସିରୁ ହେଲେ ଆଶାୟୀ ପ୍ରାର୍ଥୀ ।

147

କନକ ବ୍ୟୁରୋ : ତୃଣମୂଳ କଂଗ୍ରେସ ପାର୍ଟି ପୂର୍ବତନ ଆଇଏଏସ ଅଧିକାରୀ ତଥା ପ୍ରସାର ଭାରତୀର ପୂର୍ବତନ ସିଇଓ ଜବାହର ସରକାରଙ୍କ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ କରିଛି । ଟିଏମସି ପକ୍ଷରୁ ଟ୍ୱିଟ ଯୋଗେ ଏଭଳି ସୂଚନା ଦିଆଯାଇଛି । ଜବାହର ସରକାର କିଛିଦିନ ପାଇଁ ପ୍ରସାର ଭାରତୀୟ ସିଇଓ ଭାବେ କାର୍ଯ୍ୟ କରିଥିଲେ । ଏହାସହ ମୋଦୀ ସରକାରଙ୍କ ଜଣେ କଡା ସମାଲୋଚକ ଭାବେ ସେ ବେସ୍ ଜଣାଶୁଣା । କହିରଖୁ କି ଟିଏମସିର ରାଜ୍ୟସଭା ସାଂସଦ ଦିନେଶ ତ୍ରିବେଦୀଙ୍କ ଇସ୍ତଫା ପରେ ତାଙ୍କ ସ୍ଥାନରେ ସରକାରଙ୍କୁ ପ୍ରାର୍ଥୀ କରିଛି ଦଳ ।
ତୃଣମୂଳ କଂଗ୍ରେସ ପକ୍ଷରୁ କରାଯାଇଥିବା ଟ୍ୱିଟରେ କୁହାଯାଇଛି କି, “ଆମେ ସଂସଦର ଉଚ୍ଚ ସଦନକୁ ଶ୍ରୀ ଜବାହର ସରକାରଙ୍କୁ ମନୋନୀତ କରି ଗର୍ବ ଅନୁଭବ କରୁଛୁ, ଜବାହର ସରକାର ପାଖା ପାଖି ୪୨ ବର୍ଷ ସାର୍ବଜନୀକ ସେବାରେ ସମୟ ବିତାଇଛନ୍ତି ଓ ସେ ପ୍ରସାର ଭାରତୀର ସିଇଓ ଭାବେ ବି କାର୍ଯ୍ୟ କରିଛନ୍ତି, ସାର୍ବଜନୀକ ସେବାରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ଏବେ ପୁଣି ଦେଶ ସେବା କରିବାରେ ସହଯୋଗ କରିବେ ବୋଲି ଆଶା କରୁଛୁ ”

ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ଘୋଷଣା କରିଥିଲେ କି ତୃଣମୂଳ କଂଗ୍ରେସର ପୂର୍ବତନ ରାଜ୍ୟସଭା ସାଂସଦ ଦିନେଶ ତ୍ରିବେଦୀଙ୍କ ପରେ ଖାଲିପଡିଥିବା ରାଜ୍ୟସଭା ଆସନ ପାଇଁ ଅଗଷ୍ଟ ୯ ତାରିଖରେ ଉପନିର୍ବାଚନ ହେବ । ସୂଚନା ଥାଉକି ଦିନେଶ ତ୍ରିବେଦୀ ଫେବୃଆରୀ ମାସରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ ।
ଏହି ଉପନିର୍ବାଚନରେ ଟିଏମସି ଜିତିବାର ସମ୍ଭାବନା ଅଧିକ ରହିଛି । କାରଣ ଦଳ ପାଖରେ ବହୁମତ ରହିଛି । ଅନ୍ୟପଟେ ମାର୍ଚ୍ଚ ମାସରେ ଟିଏମସିରେ ସାମିଲ ହୋଇଥିବା ଯଶୱନ୍ତ ସିହ୍ନାଙ୍କୁ ବି ଟିଏମସି ରାଜ୍ୟସଭା ପଠାଇ ପାରେ ବୋଲି ଅନୁମାନ କରାଯାଉଛି ।