ରାହୁଲ ଗାନ୍ଧୀଙ୍କ ପାଇଁ ଏକାଠି ହେଲେ ବିରୋଧୀ : ଟିଏମସି ,ଜେଡିୟୁ ସମେତ ୧୭ ବିରୋଧୀ ଦଳଙ୍କ ବୈଠକ

854

କନକ ବ୍ୟୁରୋ : ସାରା ଦେଶରେ ଏବେ ରାହୁଲ ଗାନ୍ଧୀଙ୍କୁ ନେଇ ଚର୍ଚ୍ଚା । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟ ପଦ ରଦ୍ଦକୁ ନେଇ ଏକାଠି ହୋଇଛନ୍ତି ବିରୋଧୀ । ଏହାକୁ ବିରୋଧ କରି କଂଗ୍ରେସ ଦେଶବ୍ୟାପି ମୋଦୀ ସରକାର ବିରୋଧରେ ପ୍ରତିବାଦ କରୁଥିବା ବେଳେ ଏହାକୁ ସମର୍ଥନ କରିଛନ୍ତି ଅଧିକାଂଶ ବିରୋଧୀ ଦଳ । ଏପରିକି କଂଗ୍ରେସ ସର୍ବଦା ବିରୋଧ କରି ଆସୁଥିବା ମମତା ବାନାର୍ଜୀଙ୍କ ଟିଏମସି ମଧ୍ୟ ଏହି ପ୍ରସଙ୍ଗରେ କଂଗ୍ରେସକୁ ସମର୍ଥନ ଦେଇଛି ।

କଂଗ୍ରେସ ସାଂସଦମାନେ ଆଜି ସଂସଦକୁ କଳା ପୋଷାକ ପିନ୍ଧି ଆସିଥିବା ଦେଖିବାକୁ ମିଳିଛି । ଅଲଗା ପ୍ରସଙ୍ଗରେ ବିରୋଧୀଙ୍କ ଭିନ୍ନ ମତ ଥିଲେ ବି ଏହି ପ୍ରସଙ୍ଗରେ ସବୁ ବିରୋଧୀ ଏକାଠୀ ଥିବା କହିଛି କଂଗ୍ରେସ । କଂଗ୍ରେସ, ଡିଏମକେ, ଜେଡିୟୁ, ବିଆରଏସ, ସିପିଏମ, ଆରଜେଡି, ଟିଏମସି, ଆପ୍, ଶିବସେନା(ୟୁବିଟି) ଆରଏସପି, ଏନସିପି, ସିପିଆଇ ସମେତ ୧୭ ବିରୋଧ ଦଳ ନେତା ଏକାଠି ହୋଇ ବୈଠକ କରିଛନ୍ତି । ସେପଟେ ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ରାଜ୍ୟସଭାକୁ ୨ଟା ପର୍ଯ୍ୟନ୍ତ ଓ ଲୋକସଭାକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।

ରାହୁଲ ଗାନ୍ଧୀ ସାଂସଦ ପଦ ହରାଇବା ପରେ ଏବେ କଂଗ୍ରେସ ଆକ୍ରାମଣାତ୍ମକ ମୁଡରେ ଆସିଛି କଂଗ୍ରେସ । ଗତକାଲି ସାରା ଦେଶରେ ସତ୍ୟାଗ୍ରହ କରିଥିଲା କଂଗ୍ରେସ । ଆଦାନୀ ଏବଂ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କି ସଂପର୍କ ରହିଛି ବୋଲି ରାହୁଲ ଗାନ୍ଧୀ ପ୍ରଶ୍ନ କରୁଛନ୍ତି । ଏଥିରେ ମୋଦୀ ସରକାର ଭୟଭୀତ ହୋଇଯାଇଛନ୍ତି । ତେଣୁ ରାହୁଲଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କହିଛି କଂଗ୍ରେସ । ଅନ୍ୟପଟେ ଶାସକ ଦଳ ବିଜେପି କହିଛି, ରାହୁଲ ଗାନ୍ଧୀ କୋର୍ଟ ଦ୍ୱାରା ଦଣ୍ଡିତ । ଆଉ ଆଇନ୍ ଅନୁଯାୟୀ ସେ ତାଙ୍କ ପଦ ହରାଇଛନ୍ତି । ମୂଳ ପ୍ରସଙ୍ଗରୁ ହଟି କଂଗ୍ରେସ ଅବାନ୍ତର କଥା କହୁଛି ।