ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ୨୯୧ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଟିଏମସି । ନନ୍ଦୀଗ୍ରାମରୁ ଲଢିବେ ମମତା

411

କନକ ବ୍ୟୁରୋ : ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ହେବ ସବୁଠାରୁ ବଡ ଲଢେଇ । ଟିଏମସି ଛାଡି ବିେଜେପିରେ ଯୋଗଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ଗଡରୁ ଲଢିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଥର ଭାବନୀପୁର ବଦଳରେ ନନ୍ଦିଗ୍ରାମରୁ ପ୍ରାର୍ଥୀ ହେବେ ମମତା । ଆସନ୍ତା ୧୦ ତାରିଖରେ ସେ ଏହି ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବେ । ଏହାସହ ମମତା ତାଙ୍କର ପାରମ୍ପରିକ ଆସନ ଭବାନୀପୁରରୁ ନିର୍ବାଚନ ଲଢିବେ ନାହିଁ । ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ୨୯୧ ପ୍ରାର୍ଥୀଙ୍କ ତାଲିକା ଜାରି କରି ଏହି ଘୋଷଣା କରିଛି ତୃଣମୂଳ କଂଗ୍ରେସ । ଅର୍ଥାତ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ସହ ଏଥର ମମତା ବାନାର୍ଜୀଙ୍କ ମୁହାଁମୁହିଁ ଲଢେଇ ହେବ । 

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ୨୯୧ ଟି ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ତୃଣମୂଳ କଂଗ୍ରେସ । ଏଥର ଦଳ ୧୦୦ ଟି ଆସନରେ ନୂଆ ଚେହେରା ଦେଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରେ ୫୦ ଜଣ ମହିଳା ରହିଛନ୍ତି । ଖାଲି ସେତିକି ନୁହେଁ ରାଜନୈତିକ ଅଭିସନ୍ଧି ରଖି ୪୨ ଜଣ ମୁସଲିମ ସଂପ୍ରଦାୟର ଲୋକଙ୍କୁ ପ୍ରାର୍ଥୀ କରିଛି ତୃଣମୂଳ କଂଗ୍ରେସ । ମୋଟ ୨୯୪ ଆସନରୁ ୨୯୧ ଆସନ ପାଇଁ ପ୍ରର୍ଥୀ ତାଲିକା ଘୋଷଣା ହୋଇଥିଲେ ବି ଉତ୍ତର ବଙ୍ଗଳାର ୩ ଆସନରେ ଟିଏମସି ପ୍ରତିଦ୍ୱନ୍ଦିତା କରିବ ନାହିଁ ବୋଲି ଜଣାପଡିଛି   । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ଭବାନୀପୁର ଆସନ ଛାଡି ନନ୍ଦୀଗ୍ରାମ ଆସନରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି ।

ପ୍ରାର୍ଥୀପତ୍ର ଘୋଷଣା ନେଇ ମମତା ବାନାର୍ଜୀ କରିଥିବା ସାମ୍ବାଦିକ ସମ୍ମିଳନୀରେ ମମତା କହିଛନ୍ତି କି ଭବାନୀପୁର ଆସନରୁ ସୋମଦେବ ଭଟ୍ଟାଚାର୍ଯ୍ୟ ପ୍ରାର୍ଥୀ ହେବେ । ଏହାସହ ଏଥର ନିର୍ବାଚନ ଜିତିଲେ ରାଜ୍ୟରେ ବିଧାନପରିଷଦ ବନାଇବେ । ଏହି ନିର୍ବାଚନରେ ଯେଉଁ ନେତାମାନେ ପ୍ରାର୍ଥୀ ହୋଇପାରି ନାହାନ୍ତି ସେମାନଙ୍କୁ ବିଧାନପରିଷଦରେ ଥଇଥାନ କରାଯିବ ।

କହିରଖୁ କି କେନ୍ଦ୍ର ନିର୍ବାଚନ କମିଶନଙ୍କ ସୂଚନା ମୁତାବକ ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ଏଥର ୮ ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ମାର୍ଚ୍ଚ ୨୭ ତାରିଖରେ ୩୦ ଆସନ ପାଇଁ , ଏପ୍ରିଲ ୧ରେ ୩୦, ଏପ୍ରିଲ ୬ରେ ୩୧, ଏପ୍ରିଲ ୧୦ ରେ ୪୪, ଏପ୍ରିଲ ୧୭ ରେ ୪୫, ଏପ୍ରିଲ ୨୨ ରେ ୪୩, ଏପ୍ରିଲ ୨୬ ରେ ୩୬ ଓ ଏପ୍ରିଲ ୨୯ ରେ ୩୫ ଟି ଆସନରୁ ମତଦାନ ଗ୍ରହଣ କରାଯିବ । ଏହାପରେ ମେ’ ୨ ତାରିଖରେ ଫଳାଫଳ ଘୋଷଣା କରାଯିବ ।

ସୂଚନା ଥାଉକି, ମମତା ବାନାର୍ଜୀ ଦୀର୍ଘ ୧୦ ବର୍ଷ ହେବ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି । ହେଲେ ଏଥର ପ୍ରଥମଥର ପାଇଁ ବିଜେପି ମମତାଙ୍କୁ କଡା ଟକ୍କର ଦେଉଛି । ବିଜେପିର ହିନ୍ଦୁତ୍ୱ ରାଜନୀତିକୁ ଜବାବ୍ ଦେବାକୁ ମମତା ଶିବରାତ୍ରୀ ଦିନ ନନ୍ଦୀଗ୍ରାମରୁ ନାମାଙ୍କନପତ୍ର ଦାଖଲ କରିପାରନ୍ତି ।