ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ତୀରଥ ସିଂହ ରାଓ୍ଵତ୍ । ଟୁଇଟ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ।

100

କନକ ବ୍ୟୁରୋ: ଆଜି ଅପରାହ୍ଣରେ ବିଜେପି ସାଂସଦ ତୀରଥ ସିଂହ ରାଓ୍ଵତ୍‌ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ଥିବା ତ୍ରିଭେନ୍ଦ୍ର ସିଂହ ରାୱତ୍ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଥିବା ବେଳେ ଆଜି ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ତୀରଥ ସିଂହ ରାଓ୍ଵତ୍‌। ଡେରାଡୁନର ରାଜ ଭବନରେ ତୀରଥ ସିଂ ରାୱତଙ୍କୁ ଶପଥ ଗ୍ରହଣ କରାଇଛନ୍ତି ରାଜ୍ୟପାଳ ବେବି ରାନୀ ମୌର୍ୟ୍ୟ।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ତୀରଥ ସିଂ ରାୱତଙ୍କୁ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଟୁଇଟରେ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ତୀରଥ ସିଂ ରାୱତଙ୍କୁ ଅଭିନନ୍ଦନ। ସେ ତାଙ୍କ ସହିତ ବିସ୍ତୃତ ପ୍ରଶାସନିକ ଏବଂ ସାଂଗଠନିକ ଅଭିଜ୍ଞତା ଆଣିଛନ୍ତି। ମୁଁ ନିଶ୍ଚିତ ଯେ ତାଙ୍କ ନେତୃତ୍ୱରେ ରାଜ୍ୟ ପ୍ରଗତିର ନୂତନ ଉଚ୍ଚତା ଛୁଇଁବ ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ।ତୀରଥ ସିଂ ରାୱତ ପୌରୀ ଗରୱାଲରୁ ବିଜେପିର ଲୋକସଭା ସାଂସଦ ଅଛନ୍ତି। ବୁଧବାର ତାଙ୍କୁ ଉତ୍ତରାଖଣ୍ଡ ବିଜେପି ବିଧାୟକ ଦଳର ନେତା ଭାବେ ମନୋନିତ କରାଯାଇଥିଲା। ଏହାପରେ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ ହେବା ପାଇଁ ତାଙ୍କର ବାଟ ଫିଟିଥିଲା।