କନକ ବ୍ୟୁରୋ: ଜେଲରେ ବନ୍ଦୀ ଥିବା ଜମ୍ମୁକାଶ୍ମୀର ଲିବରେସନ୍ ଫ୍ରଣ୍ଟର ମୁଖ୍ୟ ୟାସିନ୍ ମଲ୍ଲିକର ସୁରକ୍ଷାରେ ବଡ ତ୍ରୁଟି । ୪ ଅଧିକାରୀଙ୍କୁ ନିଲମ୍ବନ କଲା ତିହାର ଜେଲ୍ ପ୍ରଶାସନ । ଶନିବାର ୟାସିନ୍ ମଲ୍ଲିକର ସୁରକ୍ଷାରେ ତ୍ରୁଟି ଘଟଣାରେ ତିହାର ଜେଲ ପ୍ରଶାସନ ନିଜର ୪ ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛି । ତେବେ ଆତଙ୍କୀ ଫଣ୍ଡିଂ ମାମଲାରେ ମଲ୍ଲିକ ଏବେ ଆଜୀବନ ଜେଲ ଦଣ୍ଡାଦେଶ କାଟୁଛି ।

Advertisment

ସୂଚନାଯୋଗ୍ୟ ଯେ, ୟାସିନ୍ ମଲ୍ଲିକକୁ ଶୁକ୍ରବାର ସୁପ୍ରିମକୋର୍ଟରେ ହାଜର କରାଯାଇଥିଲା । ୟାସିନ୍ ମଲ୍ଲିକକୁ ଦେଖିବା ପରେ କୋର୍ଟର ଜଜ୍ ଆଶ୍ଚର୍ଯ୍ୟଚକିତ ହେଇଯାଇଥିଲେ । ଜଜଙ୍କ କହିବା କଥା, ୟାସିନ୍ ମଲ୍ଲିକଙ୍କୁ କୋର୍ଟରେ ହାଜର କରିବା ପାଇଁ କୌଣସି ଆଦେଶ ଦିଆଯାଇନଥିଲା । କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର କରିବାର କୌଣସି ଆବଶ୍ୟକତା ମଧ୍ୟ ନଥିଲା । ହେଲେ ଏହାସତ୍ତେ୍ୱ ମଧ୍ୟ ୟାସିନ୍ ମଲ୍ଲିକକୁ କୋର୍ଟରେ କଣ ପାଇଁ ହାଜର କରାଯାଇଥିଲା, ସେ ନେଇ ପ୍ରଶ୍ନ ଉଠିଥିଲା ।

ସଲିସିଟର ଜେନେରାଲ ତୁଷାର ମେହତା ସୁପ୍ରିମକୋର୍ଟର ଜଜ୍ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଦୀପାଙ୍କର ଦତ୍ତଙ୍କ ପୀଠକୁ କହିଥିଲେ ଯେ, ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର କରିବାକୁ ଗୃହ ମନ୍ତ୍ରାଳୟ ଗାଇଡଲାଇନ୍ ପ୍ରସ୍ତୁତ କରି ରଖିଛି । ଏଥିପାଇଁ ଅଦାଲତଠାରୁ ମଧ୍ୟ ଅନୁମତି ନେବାକୁ ପଡିଥାଏ । ହେଲେ ଏହା ନକରି କିପରି ୟାସିନ୍ ମଲ୍ଲିକକୁ କୋର୍ଟରେ ହାଜର କରାଯାଇଛି, ସେ ନେଇ ପ୍ରଶ୍ନ କରିଥିଲେ । ସଲିସିଟର ଜେନେରାଲ ତୁଷାର ମେହତା ଏହି ମାମଲାରେ ବଡ ସୁରକ୍ଷା ତ୍ରୁଟି ଅଭିଯୋଗ କରିଥିଲେ ଏବଂ କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖିଥିଲେ ।

ଏହାପରେ ଦିଲ୍ଲୀ ଜେଲ ବିଭାଗ ଘଟଣାର ବିସ୍ତୃତ ଯାଞ୍ଚ ପାଇଁ ଆଦେଶ ଦେବା ସହିତ ଆଗାମୀ ୩ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି ।