ଉଦ୍ଧତ ସୁନ୍ଦରୀକୁ ବାଟକୁ ଆଣିବ ନନ୍ଦନ! ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରାଯିବା ପରେ ଅଣାଯିବ ନନ୍ଦନକାନନ

ସୁନ୍ଦରୀକୁ ଧରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି ବନ ବିଭାଗ

110

କନକ ବ୍ୟୁରୋ: ନନ୍ଦନକାନନ ଖୁଆଡ଼ରେ ଏବେ ବି ଜଙ୍ଗଲୀ ମହାବଳ ‘ନନ୍ଦନ’। ୨୦୧୩ରେ ବାଘୁଣୀ ‘ସାରା’ ‌‌ପ୍ରେମରେ ପଡ଼ି ନନ୍ଦନକାନନ ଆଡ଼କୁ ମାଡ଼ି ଆସିଥିବା ‘ନନ୍ଦନ’କୁ କାବୁ କରାଯାଇଥିଲା। ଏହାପରେ ଖୁଆଡ଼ରେ ରଖାଯାଇ ବାଘୁଣୀ ‘ସାରା’ ଓ ‘ମେଘା’ଙ୍କ ସହ ତା’ର ମିଳନ ସଫଳ ହୋଇସାରିଛି। ଇତି ମଧ୍ୟରେ ୨୦୧୬ରେ ମେଘା ଗର୍ଭରୁ ଦୁଇଟି ଶାବକ ଜନ୍ମ ନେଇସାରିଥିବା ବେଳେ ସାରା ଗର୍ଭବତୀ ରହିଛି। ମେଘା, ସାରା ଓ ନନ୍ଦନକୁ ନେଇ ଦୁଇ ବର୍ଷ ତଳେ ସୃଷ୍ଟି ହୋଇଥିବା ତ୍ରିକୋଣୀୟ ‌ପ୍ରେମ କହାଣୀ ଏବେ ବି ଲୋକଙ୍କ ମନରୁ ଲିଭି ନଥିବା ବେଳେ ସାତକୋଶିଆର ଉଦ୍ଧତ ବାଘୁଣୀ ‘ସୁନ୍ଦରୀ’କୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରାଯିବା ପରେ ତାକୁ ନନ୍ଦନକାନନ ଅଣାଯିବ। ନନ୍ଦନ ତାକୁ ବାଟକୁ ଆଣିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ଆଶାପ୍ରକଟ କରିଛନ୍ତି।

ସେପଟେ ସାତକୋଶିଆର ବାଘୁଣୀ ସୁନ୍ଦରୀକୁ ଧରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି ବନ ବିଭାଗ। ବିଭାଗୀୟ ଅଧିକାରୀ, ବିଶେଷଜ୍ଞ ଦଳ ରାତି ଦିନ ଏକ କରି ଘଞ୍ଚ ଜଙ୍ଗଲରେ ବୁଲୁଛନ୍ତି। ମଧ୍ୟପ୍ରଦେଶରୁ ଆସିଥିବା ଟ୍ରାଙ୍କୁଲାଇଜ୍‌ ଟିମ୍‌ ମଧ୍ୟ ଟ୍ରାଙ୍କୁଲାଇଜ୍‌ କାର୍ଯ୍ୟରେ ଲାଗିଛି। ସେମାନଙ୍କୁ ସହାୟତା ପାଇଁ ଚନ୍ଦକା ଅଭୟାରଣ୍ୟରୁ ସାତକୋଶିଆକୁ ଯାଇଛି ତାଲିମପ୍ରାପ୍ତ ହାତୀ ଯଶୋଦା।କିଛି ଦିନ ତଳେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଗଣମାଧ୍ୟମରେ କହିଥିଲେ ସୁନ୍ଦରୀକୁ ଧରାଯିବା ପରେ ନନ୍ଦନକାନନ ଚିଡ଼ିଆଖାନାକୁ ଅଣାଯିବ। ବାଘ ବଂଶବୃଦ୍ଧି ପାଇଁ ବାନ୍ଧବଗଡ଼ରୁ ସୁନ୍ଦରୀକୁ ଆଣାଯାଇଥିଲା। ‌ହେଲେ ତା’ର ସ୍ବଭାବରେ କୌଣସି ପ୍ରକାର ପରିବର୍ତ୍ତନ ଜଣା ପଡ଼ୁନାହିଁ। ତେଣୁ ତା’କୁ ଆଉ ସାତକୋଶିଆ ଭିତରେ ରଖିବାକୁ ଆମେ ଉଚିତ୍‌ ମଣୁନୁ। ଟ୍ରା‌ଙ୍କୁଲାଇଜ୍‌ କରାଯିବା ପରେ ସୁନ୍ଦରୀକୁ ନନ୍ଦନକାନନରେ ରଖାଯିବ। ସୁନ୍ଦରୀ ବାଘ ସଫାରିରେ ରହିବ ନା ତା’ପାଇଁ ସ୍ବତନ୍ତ୍ର ଏନ୍‌କ୍ଲୋଜର ନିର୍ମାଣ କରାଯିବ, ତାହାର ନିଷ୍ପତ୍ତି ପରବର୍ତ୍ତୀ ସମୟରେ ନିଆଯିବ। ଏନେଇ ନେସ୍‌ନାଲ ଟାଇଗର କଞ୍ଜରଭେସନ୍‌ ଅଥରିଟି(ଏନ୍‌ଟିସିଏ)ର ମତାମତ ନିଆଯିବ। ଯଦି ସେମାନେ ସୁନ୍ଦରୀକୁ ନନ୍ଦନକାନନରେ ରଖିବା ପାଇଁ ମନା କରନ୍ତି, ତେବେ ପୁଣିଥରେ ମଧ୍ୟପ୍ରଦେଶର ବାନ୍ଧବଗଡ଼କୁ ଫେରାଇ ଦିଆଯିବ।

ମନ୍ତ୍ରୀ ଶ୍ରୀ ରାଉତରାୟଙ୍କ ସୂଚନା ପରେ ନନ୍ଦନକାନନରେ ସୁନ୍ଦରୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନନ୍ଦନକାନନର ଇତିହାସକୁ ଦେଖିଲେ ଏଠାରେ ଜଙ୍ଗଲୀ ବାଘ ବଂଶ ବୃଦ୍ଧି ଯୋଜନାକୁ ସଫଳ ରୂପାୟନ କରିବାର ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି। ପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା‌ ହେଲା ‘ସୁନ୍ଦରୀ’ ନନ୍ଦନକାନନ ଆସିଲେ ଏଠାରେ ବାଘ ବଂଶ ବୃଦ୍ଧି ଆଉ ପାଦେ ଅଗକୁ ବଢ଼ିପାରିବ। ଦରକାର ପଡ଼ିଲେ ନନ୍ଦନକାନନରେ ୩ ବର୍ଷ ହେଲା ରହିଥିବା ଜଙ୍ଗଲୀ ମହାବଳ ନନ୍ଦନ ସହ ସୁନ୍ଦରୀର ଏକାନ୍ତ ମିଳନରେ ସମ୍ପୂର୍ଣ୍ଣ ଜଙ୍ଗଲୀ ପ୍ରଜାତିର ବାଘ ପ୍ରଜନନ ହୋଇପାରିବ। ‘ସୁନ୍ଦରୀ’ ଔରସରୁ ଜନ୍ମିତ ଶାବକକୁ ଜୀବନ୍ତ ଶିକାର କରି ଖାଇବାକୁ ଦିଆଯିବ। ଏହାପରେ ଶାବକମାନଙ୍କୁ ଜଙ୍ଗଲରେ ଛାଡ଼ି ବଂଶବୃଦ୍ଧି ଯୋଜନାକୁ ସଫଳ ରୂପାୟନ କରାଯାଇପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।
ଆଉ କେତେଜଣ ବିଶେଷଜ୍ଞଙ୍କ କହିବା କଥା ହେଲା, ଏନ୍‌ଟିସିଏ ନିୟମ ଏଥିରେ ପ୍ରତିବନ୍ଧକ ସାଜିପାରେ। ଜଙ୍ଗଲୀ ସୁନ୍ଦରୀକୁ ଜଙ୍ଗଲ ପରିବର୍ତ୍ତେ ନନ୍ଦନକାନନର ଖୁଆଡ଼ରେ ରଖିବାକୁ ଅନୁମତି ମିଳିନପାରେ। ପୂର୍ବରୁ ଜଙ୍ଗଲୀ ମହାବଳ ନନ୍ଦନ ଧରା ହେବା ବେଳେ ମଧ୍ୟ ଏଭଳି ସମସ୍ୟା ଉପୁଜିଥିଲା। ପରବର୍ତ୍ତୀ ସମୟରେ ସିଜେଡ୍ଏକୁ ରାଜି କରାଯାଇ ନନ୍ଦନ ଓ ବାଘୁଣୀ ମେଘାର ମିଳନ କରାଯାଇଥିଲା। ଏବେ ସାରା ସହ ମିଳନ ମଧ୍ୟ ସଫଳ ହୋଇଛି।

ନନ୍ଦନକାନନର ନିର୍ଦ୍ଦେଶକ ହରିଶଙ୍କର ଉପାଧ୍ୟାୟ କହିଛନ୍ତି ଯେ ସାତକୋଶିଆର ବାଘୁଣୀ ସୁନ୍ଦରୀକୁ ନନ୍ଦନକାନନରେ ରଖିବା ନେଇ ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନି। ତଥାପି ଆମେ ପ୍ରସ୍ତୁତ ରହିଛୁ।