ନାମକୁ ମାତ୍ର ‘ସେଭ୍ ଦ ଟାଇଗର୍’ ର ନାରା ! ଗାଁ ଭିତରକୁ ପଶିଆସିଥିବା ବାଘୁଣୀକୁ ନୃଶଂସ ଭଳି ପିଟିଲେ, ଭିଡିଓ କରି ପିଟୁଥିବାର ଦୃଶ୍ୟକୁ ବିସ୍ତାର ସହ ବର୍ଣ୍ଣନା କଲେ ଗାଁ ଲୋକେ ।

268

ହିଂସ୍ରଜନ୍ତୁ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶି ଆସି ଅନେକ ଧନଜୀବନ ହାନି କରନ୍ତି । କିନ୍ତୁ ମଣିଷ ଯଦି ପ୍ରକୃତିର ସତ୍ୟତାକୁ ନ ବୁଝି ଜେସାକୁ ତେସା ଭଳି ଆଚରଣ ଆପଣାଇବ ତାହେଲେ ପୃଥିବୀର ସନ୍ତୁଳନ ବିଗିଡିବାରୁ କେହି ରୋକି ପାରିବେ ନାହିଁ । ଏଭଳି ଅନେକ ଉଦାହରଣ ଦେଖାଦେଇଛି ଯେଉଁଠି ଭୋକରେ ଆଉଟୁପାଉଟୁ ହୋଇ ଜୀବଜନ୍ତୁ ଜଙ୍ଗଲ ଛାଡି ଗାଁ ମୁହାଁ ହୋଇଯାଆନ୍ତି । ହେବେନି ବା କେମିତି ତଥାକଥିତ ମଣିଷ ଜଙ୍ଗଲକୁ ବି କାଟାକୁଟି କରି କେଉଁଠି ଘର ତ ଆଉ କେଉଁଠି କାରଖାନା ଗଢି ଦେଉଛି । ଏମିତି ସ୍ଥଳେ ବନ୍ୟଜନ୍ତୁ ଯିବେ ବା କୁଆଡେ ଖାଦ୍ୟ ପାଇଁ ଗାଁ ଭିତରକୁ ପଶି ଆସନ୍ତି । କିନ୍ତୁ ମଣିଷ ଏହି ଜୀବମାନଙ୍କ ପାଇଁ କିଛି କରିବା ବଦଳରେ ମାରିଦେବାକୁ ଶ୍ରେୟସ୍କର ମନେ କରୁଛି ।

ଏମିତି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ପିଲଭିଟ୍ ସଂରକ୍ଷିତ ଜଙ୍ଗଲ ନିକଟ ଅଂଚଳରେ । ଗାଁରେ ପଶି ଲୋକଙ୍କୁ ଆକ୍ରମଣ କଲା ବାଘ । ବାଘକୁ ଖୋଜି ଜଙ୍ଗଲରେ ପିଟିପିଟି ମାରିଦେଲେ ଗାଁ ଲୋକେ । ଏଠାରେ ଫିକା ପଡିଗଲା “ସେଭ୍ ଦ ଟାଇଗର୍” ର ନାରା । ମଣିଷ ମାରିବାକୁ ଗାଁରେ ପଶିଥିବା ବାଘକୁ ଗାଁ ନିକଟ ଜଙ୍ଗଲରେ ଖୋଜିବା ପରେ ଶେଷରେ ଠାବ କରିବା ପରେ ତାକୁ ଘେରି ଯାଇଥିଲେ ଲୋକେ । ସମସ୍ତଙ୍କ ହାତରେ ଥିଲା ଲାଠି । ଆଖିବୁଜା ପିଟି ଚାଲିଲେ ବାଘକୁ । ତେବେ ଲୋକଙ୍କ ସଂଘବଦ୍ଧ ଆକ୍ରମଣରୁ ନିଜକୁ ବଂଚାଇ ଖସିପାରିନଥିଲା ବାଘଟି । କାରଣ ଚାରିପଟୁ ଘେରିଥିଲେ ଗାଁ ଲୋକେ । ଶେଷରେ ଗାଁ ଲୋକଙ୍କ ମାଡରେ ଘାଇଲା ହୋଇ ଆଖି ବୁଜିଥିଲା ବାଘଟି । ଖବରପାଇ ବନବିଭାଗ ପ୍ରାୟ ୩ ଘଂଟା ପରେ ପହଁଚି ବାଘର ଶବକୁ ଉଦ୍ଧାର କରିଥିଲା । ଶବ ବ୍ୟବଚ୍ଛେଦରୁ ଜଣାପଡିଛି ବାଘର ପଂଜରା ହାଡ ଭାଙ୍ଗି ହୃତପିଣ୍ଡ ଭିତରେ ପଶି ଯାଇଛି । ଗୋଡର ହାଡ ଭାଙ୍ଗି ଚୁରମାର ହୋଇଯାଇଛି । ଫୁସଫୁସରେ ଲାଗିଛି ଗଭୀର ଆଘାତ । ବାଘ ଦେହର ଅନେକ ସ୍ଥାନରେ ରହିଛି ଗଭୀର ଆଘାତ ଚିହ୍ନ । ଏହି ମାମଲାରେ ୧୯୬୦ ଜଙ୍ଗଲ ଜୀବଜନ୍ତୁ ନିର‌୍ୟାତନା ନିରୋଧ ଆଇନ ଅନୁସାରେ,୩୧ ଗ୍ରାମବାସୀ ଓ ୧୨ ଜଣ ଅଜ୍ଞାତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି ବନବିଭାଗ ।

ପିଲଭିଟ୍ ବ୍ୟାଘ୍ର ଅଭୟାରଣ୍ୟର ନିର୍ଦେଶକଙ୍କ ସୂଚନା ଅନୁସାରେ ମୃତ ବାଘର ବୟସ ପ୍ରାୟ ୫ ବର୍ଷ ହେବ । ଉତ୍ତରପ୍ରଦେଶର ପିଲଭିଟ୍ ନିକଟ ଦେଉରିଆ ଗାଁରେ ଏହି ଘଟଣା ଘଟିଛି । ମାଟିଆନା ଗାଁରେ ଜଣକୁ ବାଘଟି ଆକ୍ରମଣ କରିବା ପରେ ଲୋକେ ତାତି ଉଠିଥିଲେ । ଏହା ପରେ ବାଘକୁ ଖୋଜିବା ଆରମ୍ଭ କରିଥିଲେ । ଶେଷରେ ଦେଉରିଆ ଗାଁ ନିକଟରେ ବାଘକୁ ଦେଖିବା ପରେ ଗୋଡେଇ ଗୋଡେଇ ପିଟିପିଟି ମାରି ଦେଇଥିଲେ । ତେବେ ବାଘକୁ ପିଟୁଥିବା ସମୟରେ ଜଣେ ଗ୍ରାମବାସୀ ମୋବାଇଲ୍ ମାଧ୍ୟମରେ ଏହାର ଭିଡିଓ ଉତ୍ତୋଳନ କରିଥିଲେ ଏବଂ କିଭଳି ଭାବେ ବାଘକୁ ଗ୍ରାମବାସୀ ଠାବ କରି ଉଚିତ୍ ଶାସ୍ତି ଦେଉଛନ୍ତି ଏହାକୁ ବିସ୍ତାର ଭାବରେ ସେ ବର୍ଣ୍ଣନା କରିଥିବାର ମଧ୍ୟ ଦେଖାଯାଇଛି ।