ଝାରସୁଗୁଡ଼ାରେ କାଲି ଗଣତି ପୂର୍ବରୁ କଡ଼ା ସୁରକ୍ଷା : ଷ୍ଟ୍ରଙ୍ଗ ରୁମରେ ଇଭିଏମ ଓ ଭିଭିପାଟ ମେସିନ; ୧୪ ଟେବୁଲରେ ହେବ ମୋଟ୍ ୧୮ ରାଉଣ୍ଡ ଗଣତି

204

କନକ ବ୍ୟୁରୋ : ଝାରସୁଗୁଡ଼ା ଉପବନିର୍ବାଚନ ପାଇଁ ମତଦନା ଶେଷ ହେବା ପରେ ଷ୍ଟ୍ରଙ୍ଗ ରୁମରେ କଡ଼ା ସୁରକ୍ଷା ଭିତରେ ଇଭିଏମ ଏବଂ ଭିଭିପାଟ ମେସିନକୁ ରଖାଯାଇଛି । ଏହି ସୁରକ୍ଷାକୁ ଦୃଷ୍ଟିରେ ରଖି ଷ୍ଟ୍ରଙ୍ଗ ରୁମକୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଷ୍ଟ୍ରଙ୍ଗ ରୁମର ସଂପୂର୍ଣ୍ଣ ଏରିଆ ସିସିଟିଭି ସ୍କାନରେ ରହିଛି ।

କୌଣସି ପରିସ୍ଥିତିରେ ମଧ୍ୟ ବିନା ଅନୁମତିରେ କେହି ବି ଭିତରକୁ ଯାଇ ପାରିବେ ନାହିଁ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଭୋଟ ଗଣତି ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଆଜି ଦାୟିତ୍ୱ ପ୍ରଦାନ କରାଯାଇଛି । ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ । ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ପର୍ଯ୍ୟନ୍ତ ଭୋଟ ଗଣତି କରାଯିବା ବୋଲି ରିଟର୍ଣ୍ଣିଂ ଅଫିସର ତଥା ଉପଜିଳ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି ।

ଝାରସଗୁଡ଼ାବାସୀଙ୍କୁ ମିଳିବ ନୂଆ ନେତା । ନିର୍ବାଚନମଣ୍ଡଳୀକୁ ମିଳିବ ନୂଆ ବିଧାୟକ । ଭୋଟ ଗଣତି ପାଇଁ ସବୁ ପ୍ରସ୍ତୁତି ଏକ ପ୍ରକାର ସରିଛି । ଏପଟେ ଗଣତି ପୂର୍ବରୁ ପ୍ରାର୍ଥୀମାନଙ୍କ ଛାତି ଧଡ଼ଧଡ଼ । କିଏ ମାରିବ ବାଜି, କିଏ ପିନ୍ଧିବ ବିଜୟ ମୁକୁଟ, ଆଉ କାହାକୁ ଦେଖିବାକୁ ପଡ଼ିବ ପରାଜୟର ମୁହଁ, ଏସବୁ କେବଳ ଗଣତି ପରେ ହିଁ ଜଣାପଡ଼ିବ । ତେବେ ସବୁ ପ୍ରାର୍ଥୀଙ୍କ ମଧ୍ୟରେ ଚିନ୍ତା ଓ ଉତ୍ସୁକତା ରହିଛି । ବିଜେଡି, ବିଜେପି ଓ କଂଗ୍ରେସ ସବୁ ଦଳ ଦମ୍ଭୋକ୍ତି କରୁଛନ୍ତି ଯେ, ସେମାନଙ୍କ ପ୍ରାର୍ଥୀ ହିଁ ଜିତିବ । ହେଲେ ଫଳାଫଳ ଆସିବା ପରେ ହିଁ ଚିତ୍ର ସ୍ପଷ୍ଟ ହୋଇଯିବ ।