ସାତକୋଶିଆବାସୀଙ୍କ ସଙ୍କଟ ବଢାଇଲା ସୁନ୍ଦରୀ ।ବାଘୁଣୀ ଭୟରେ ଆସୁନାହାନ୍ତି ଶିକ୍ଷକ, ସ୍କୁଲରେ ଅଘୋଷିତ ଛୁଟି

49

କନକ ବ୍ୟୁରୋ : ସାତକୋଶିଆରେ ମାତିଛି ସୁନ୍ଦରୀ । ମଧ୍ୟପ୍ରଦେଶର ବାନ୍ଧବଗଡରୁ ଆସିଥିବା ବାଘୁଣୀ ସୁ୍ନ୍ଦରୀ ଏବେ ସାତକୋଶିଆ ଅଭୟାରଣ୍ୟରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ବାଘୁଣୀ, ଶୀକାର ପାଇଁ ଜନବସତି ଆଡକୁ ବାରମ୍ବାର ମାଡି ଆସୁଛି । ଫଳରେ ଆତଙ୍କ ସୃଷ୍ଟି ହୋଇଛି ଗାଁରେ । ସନ୍ଧ୍ୟା ହେବା ମାତ୍ରେ ଗାଁରେ ପଡିଯାଉଛି ତାଟିକବାଟ ।

ପାଦେ ପାଦେ ବାଘର ପାଦଚିହ୍ନ । ଗାଁ ମୁଣ୍ଡରେ ଘୁରି ବୁଲୁଛି ବାଘୁଣୀ । ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା କଟରଙ୍ଗ ଗାଁରେ ବାଘୁଣୀ ସୁନ୍ଦରୀ ଏବେ ଖୋଲାଖୋଲି ବିଚରଣ କରୁଛି । ଆଉ ବାଘର ଏଭଳି ବିଚରଣ, ନିଦ ହଜାଇଦେଇଛି ଗାଁ ଲୋକଙ୍କର ।ଗାଁରେ ଭୟର ବାତାବରଣ । ଲୋକେ ଏକୁଟିଆ ଘରୁ ବାହାରୁନାହାଁନ୍ତି । ଯୁଆଡେ ଗଲେ ଦଳଦଳ ହୋଇ ହାତରେ ଠେଙ୍ଗାଧରି ଯାଉଛନ୍ତି ।

ବାଘ ଭୟରେ ସ୍କୁଲରେ ଅଘୋଷିତ ଛୁଟି । ନା ଶିକ୍ଷକ ଆସୁଛନ୍ତି ନା ପାଠ ପଢିବାକୁ ଛାତ୍ରଛାତ୍ରୀ । ଗେଟ୍ରେ ତାଲା ପଡିଛି । ଗାଁ ମୁଣ୍ଡରେ ବାଘୁଣୀକୁ ଦେଖିବା ପରଠାରୁ ଗାଁରେ ଦିନରେ ବି ତାଟି କବାଟ ବନ୍ଦ ରହୁଛି । ଆଉ ରାତି ହେଲେ ଘାରୁଛି ପରିବାର ଚିନ୍ତା । ବାନ୍ଧବଗଡ ଜଙ୍ଗଲରୁ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରି ସାତକୋଶିଆ ଅଣାଯାଇଥିଲା । ଦୀର୍ଘ ଦେଢମାସ ଧରି ସୁନ୍ଦରୀ ଏନକ୍ଲୋଜରରେ ରହିଥିଲା । ହେଲେ ମୁକୁଳିବା ପରେ ସୁନ୍ଦରୀ ପାଇଁ ଗାଁ ଗାଁରେ ଦେଖାଦେଇଛି ଆତଙ୍କ । ବାଘୁଣୀ ଆକ୍ରମଣ ଓ ଭୟରେ ତିନି ଜଣ ଆହତ ବି ହେଲେଣି । ଯୁବ ମହାବଳ ମହାବୀର, ସାତକୋଶିଆ ପାଣି ପବନ ସହ ପରିଚିତ ହୋଇ ସ୍ୱାଭାବିକ ବିଚରଣ କରୁଥିବା ବେଳେ ବନବିଭାଗର ଚିନ୍ତା ବଢାଇଦେଇଛି ବାଘୁଣୀ ସୁନ୍ଦରୀ ।