ମହାବଳ ନୁହେଁ କଲରାପତରିଆ ବାଘ ମରିଛି । ଦେବ୍ରିଗଡ ଅଭୟାରଣ୍ୟରେ ବାଘ ମୃତ୍ୟୁର କାରଣ ଖୋଜିବାକୁ ସରକାର ଦେଲେ ନିର୍ଦ୍ଦେଶ

80

କନକ ବ୍ୟୁରୋ : ହୀରାକୁଦର ଦେବ୍ରିଗଡ ଅଭୟାରଣ୍ୟରେ ବାଘ ମୃତ୍ୟୁ ମାମଲାରେ ନୂଆ ମୋଡ । ଏହା ମହାବଳ ବାଘର ନଥିଲା ବରଂ ଏକ କଲରାପତରିଆ ବାଘ ଥିଲା ବୋଲି ପିସିସିଏଫ ସୂଚନା ଦେଇଛନ୍ତି । ଅଭୟାରଣ୍ୟର ମାଟିତଳୁ ମିଳିଥିବା ମୃତ ଦେହ ଏକ କଲରାପତରିଆ ବାଘର ବୋଲି ଜଣାପଡିଛି । ଯେଉଁ ବାଘର ଦୁଇ ତିନି ସପ୍ତାହ ତଳେ ମୃତ୍ୟୁ ହୋଇଥିଲା ବୋଲି ସୂଚନା ଦେଇଛନ୍ତି ପିସିସିଏଫ୍ । ଆଉ ଏହି ସୂଚନା ପରେ ମହାବଳ ବାଘକୁ ଶିକାର କରାଯାଇଥିବା ଘଟଣାର ପୂର୍ଣ୍ଣଚ୍ଛେଦ ପଡିଛି ।

ପ୍ରାୟ ଦେଢ ମାସ ଆଗରୁ ଦେବ୍ରୀଗଡ ଅଭୟାରଣ୍ୟରେ ମହାବଳର ଫଟୋ ଜଙ୍ଗଲ ବିଭାଗର ଟ୍ରାପ କ୍ୟାମେରାରେ ଆସିବା ପରେ ଏହି ଅଭୟାରଣ୍ୟରେ ମହାବଳ ଥିବା ନେଇ ସ୍ପଷ୍ଟ ପ୍ରମାଣ ମିଳିଲା । ଏତେବର୍ଷ ଭିତରେ ମହାବଳର ଏହି ଫଟୋ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଥିଲା । ବିଭିନ୍ନ ମହଲରେ ଖୁସି ବି ଖେଳିଗଲା ଯେ, ଦେବ୍ରିଗଡ ଅଭୟାରଣ୍ୟରେ ମହାବଳ ଅଛି ।

କିନ୍ତୁ ହଠାତ୍ ଆଜି ଖବର ଆସିଲା ଦେବ୍ରିଗଡ ଅଭୟାରଣ୍ୟରେ ଏକ ବାଘକୁ ମାରି ପକାଇଛନ୍ତି ଶୀକାରୀ । ଖୋଜି ଖୋଜି କିଛି ବନ୍ୟପ୍ରାଣୀ ବିଶେଷଜ୍ଞ ଘଟଣାସ୍ଥଳରେ ପହଁଚିଥିଲେ । ଜଣାପଡିଗଲା, ବାଘକୁ ମାରି ମାଟିତଳେ ପୋତିଦିଆଯାଇଛି । ବାଘର ମୁଣ୍ଡକୁ ଶରୀରରୁ ଅଲଗା କରିଦିଆଯାଇଛି, ଗୋଡରେ ନଖ ନାହିଁ ଏବଂ ମୁହଁରୁ ଦାନ୍ତ ବି କାଢି ନିଆଯାଇଛି । କେବଳ ମୁଣ୍ଡରେ ଅଳ୍ପ ଟିକିଏ ଚମଡା ଲାଗିଛି, ବାକି ଶରୀରରୁ ଚମଡା କାଢି ନିଆଯାଇଛି । ଏହା ଶିକାରୀ ମାନଙ୍କର କାମ ହୋଇଥିବ ବୋଲି ସନ୍ଦେହ କରାଯାଉଥିଲା ।

ତେବେ ଏହା ମହାବଳ ବାଘ କି ନୁହେଁ ସେ ତାହା ଜାଣିବା ପାଇଁ ଡିଏଫଓଙ୍କୁ ତଦନ୍ତ ନିର୍ଦ୍ଦେଶ ହୋଇଥିଲା । ଆଉ ଏହାପରେ ଜଣାପଡିଛି ଯେ, ମାଟିତଳୁ ମିଳିଥିବା ମୃତଦେହଟି ମହାବଳ ବାଘର ନୁହେଁ ବରଂ କଲରାପତରିଆ ବାଘର । ଯାହା କିଛି ମାତ୍ରାରେ ଆଶ୍ୱସ୍ତ କରିଛି । ତେବେ ବାଘ ମୃତ୍ୟୁର କାରଣ ଖୋଜିବା ପାଇଁ ଏବେ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ମୃତଦେହ ଉଦ୍ଧାର ପ୍ରକ୍ରିୟାର ଭିଡିଓ ରେକର୍ଡ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।