ରାଜ୍ୟରେ ୪୮ ଘଂଟା ଯାଏଁ କାଳବୈଶାଖୀ ଆଶଙ୍କା : ସତର୍କ କଲା ପାଣିପାଗ ବିଭାଗ

ପରିସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଏସଆରସି

855

କନକ ବ୍ୟୁରୋ : ଆସନ୍ତା ୪୮ ଘଂଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା । ସ୍ଥାନେ ସ୍ଥାନେ ଘଂଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ତୁହାକୁ ତୁହା ବର୍ଷା ହେବା ନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ର ଆକଳନ ଅନୁଯାୟୀ ୨୨ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ଅର୍ଧାଧିକ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାରେ ସମ୍ଭାବନା ରହିଛି ।

ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ମୟୂରଭଂଜ ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସହ ୫୦ କିମି ବେଗରେ ପବନ ବହିପାରେ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ପରବର୍ତୀ ୨୪ ଘଂଟା ମଧ୍ୟରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ କାଳବୈଶାଖୀ ହୋଇପାରେ ।

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, କେନ୍ଦୁଝର, ମୟୂରଭଂଜ କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ଘଂଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ସହ ଘଡ଼ଘଡ଼ି ଓ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି । ୨୩ ତାରିଖ ବେଳକୁ ପାଗରେ ସାମାନ୍ୟ ପରିବର୍ତନ ଆସିବ । ପରିସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।