ହୃଦୟ ବିଦାରକ ଘଟଣା ! ୱାସିଂମେସିନ୍ ଭିତରେ ପଶି ଦୁଇ ଯାଆଁଳା ଭାଇଙ୍କ ମୃତ୍ୟୁ

36

ୱାସିଂମେସିନ୍ ଭିତରେ ପଶି ଦୁଇ ଯାଆଁଳା ଭାଇଙ୍କ ମୃତ୍ୟୁ । ତିନି ବର୍ଷ ବୟସର ୨ ଯାଆଁଳା ଭାଇଙ୍କର ୱାସିଂମେସିନ ଭିତରେ ଥିବା ପାଣିରେ ପଡି ମୃତ୍ୟୁ ହୋଇଛି । ୱାସିଂମେସିନର ଟ୍ରମ୍ବଲର ଭିତରେ ଥିବା ପାଣି ଭିତରୁ ଦୁଇଭାଇଙ୍କୁ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଛାତିକୁ ଥରାଇ ଦେଲାଭଳି ଏହି ହୃଦୟ ବିଦାରକ ଘଟଣା ଘଟିଛି ଦିଲ୍ଲୀର ରୋହିଣୀ ଅଂଚଳର ଅବନ୍ତିକା ହାଉସିଂ କମ୍ପେକ୍ସରେ ।

ଶନିବାର ଅପରାହ୍ନରେ ଘଟିଛି ଏହି ଅଘଟଣ । ସୂଚନା ଅନୁଯାୟୀ ସମୟ ଦିନ ୧୨ଟା ୪୦ରେ ଦୁଇ ଭାଇ ଲକ୍ଷ ଓ ନୀଶୁ ଗାଧୁଆଘର ନିକଟରେ ଖେଳୁଥିଲେ । ଏହି ସମୟରେ ମା ରାକ୍ଷୀ ଅଟୋମେଟିକ୍ ୱାସିଂମେସିନରେ କିଛି କପଡା ସଫା କରିବା ପାଇଁ ଭର୍ତ୍ତି କରିଥିଲେ । ଆଉ ୱାସିଂପାଉଡର ଆଣିବା ପାଇଁ ନିକଟସ୍ଥ ଦୋକାନକୁ ଯାଇଥିଲେ । ତେବେ ମାତ୍ର କିଛି ମିନିଟ ପରେ ଘରକୁ ଫେରି ଦୁଇ ଭାଇଙ୍କୁ ପାଇନଥିଲେ ।

ପରେ ୱାସଂମେସିନ ଭିତରେ ଦୁଇ ପୁଅ ପାଣିରେ ଭାସୁଥିବାର ଦେଖିବାକୁ ମିଳିଥିଲା । ୱାସିଂମେସିନ ଭିତରୁ ୨ଜଣଙ୍କୁ ବାହାରକରି ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । କିନ୍ତୁ ହସ୍ପିଟାଲରେ ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ଛୋଟପିଲା ୱାସିଂମେସିନ ଭିତରେ ପଶିଲେ ସେନେଇ ତର୍ଜମା କରୁଛି ପୁଲିସ୍ ।