ପୁଣି ଜାମ୍ମୁୁ ଆକାଶରେ ଉଡିଲା ଅଜଣା ଡ୍ରୋନ : ସେନା କ୍ୟାମ୍ପ ନିକଟ ୩ଟି ସ୍ଥାନରେ ଦେଖାଗଲା ଗତିବିଧି

135

କନକ ବ୍ୟୁରୋ : ଜାମ୍ମୁ ଡିଫେନ୍ସ କ୍ୟାମ୍ପ ନିକଟରେ ପୁଣି ଦେଖାଗଲା ଡ୍ରୋନ୍ । ଆଜି ଭୋରରୁ ୩ଟି ସ୍ଥାନରେ ଅଜଣା ଡ୍ରୋନ୍ ଉଡୁଥିବା ଦେଖାଯାଇଛି । ଜାମ୍ମୁର କୁଲଚୌକ, ମୀରା ସାହିବ ଓ କୁଞ୍ଜବାଣୀ ଅଂଚଳରେ ଡ୍ରୋନ୍ ଗତିବିଧି ଦେଖାଯାଇଛି । ତେବେ ଚିନ୍ତାର ବିଷୟ ହେଉଛି, ଏହି ଗତିବିଧି ପ୍ରିତରକ୍ଷା ପ୍ରତିଷ୍ଠାନର ଆଖପାଖ ଅଂଚଳରେ ହେଉଛି ।

ଆଜି ଭୋର ପ୍ରାୟ ୪ଟା ୪୦ରେ କୁଲଚୌକର ଗୌସ୍ୱାମୀ ଏନକ୍ଲେଭ ନିକଟରେ ଗୋଟିଏ ଡ୍ରୋନ ଦେଖାଯାଇଥିବାବେଳେ ୪ଟା ୫୨ରେ କୁଞ୍ଜବାଣୀ ଅଂଚଳରେ ଏୟାରଫୋର୍ସ ସିଗ୍ନାଲ ନିକଟରେ ଅନ୍ୟଏକ ଡ୍ରୋନ ଦେଖିବାକୁ ମିଳିଛି । ଡ୍ରୋନଟି ୮ଶହ ମିଟର ଉଚ୍ଚତାରେ ଉଡୁଥିବାରୁ ଏହାର ଗତିବିଧି ଅଧିକ ସନ୍ଦେହଜନକ ହୋଇପଡିଛି । ଗତ ୪ ଦିନଭିତରେ ପ୍ରାୟ ୭ଟି ଡ୍ରୋନର ଗତିବିଧି ଦେଖିବାକୁ ମିଳିଲାଣି । ସୋମବାର ବିଳମ୍ବିତ ରାତିରେ ଜାମ୍ମୁର ସୁଞ୍ଜୁଆନ ମିଲିଟାରୀ ବେସ ନିକଟରେ ଡ୍ରୋନ ଉଡୁଥିବା ଦେଖାଯାଇଥିଲା ।

ଶନିବାର ରାତିରେ ଜାମ୍ମୁ ବାୟୁସେନା ଷ୍ଟେସନରେ ଡ୍ରୋନ ଆକ୍ରମଣକୁ ନେଇ ଗତାକାଲି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ବୈଠକରେ ଯୋଗ ଦେଇଥିଲେ । ବୈଠକରେ ସୁରକ୍ଷା ସ୍ଥିତି ଓ ବିଦେଶୀ ଡ୍ରୋନ୍ ନେଇ ଭାରତର ନୀତି ବାବଦରେ ଆଲୋଚନା ହୋଇଛି । ପ୍ରାୟ ୨ ଘଂଟା ଧରି ଆଲୋଚନା ହେଇଥିବାବେଳେ ସରକାର ସ୍ୱତନ୍ତ୍ର ଡ୍ରୋନ ନୀତି ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।