ସାମନାକୁ ଆସୁଛି କରୋନାର କରୁଣ ଚିତ୍ର । ମହାମାରୀ ଉଜାଡି ଦେଉଛି ପରିବାର । ରାୟଗଡା ଗୁଣପୁରରେ ୨୪ ଘଂଟା ଭିତରେ ଭୂତାଣୁ ନେଲା ବାପା-ପୁଅଙ୍କ ଜୀବନ ।

158

କନକ ବ୍ୟୁରୋ: ମହାମାରୀ କରୋନା ଭୂତାଣୁ ଉଜାଡି ଦେଉଛି ପରିବାର । ରାୟଗଡା ଜିଲ୍ଲା ଗୁଣପୁର ସହରର କରୋନା ଆକ୍ରାନ୍ତ ବାପ-ପୁଅ ଡକାଡକି ହୋଇ ଚାଲିଗଲେ ଆରପାରିକୁ । ଜେକେ କୋଭିଡ କେୟାରରେ ଚିକିତ୍ସାଧିନ ଅବସ୍ଥାରେ ୨୪ ଘଂଟା ଭିତରେ ବାପା ଚନ୍ଦ୍ରଶେଖର ଓ ବାପୁ ସାହୁଙ୍କ ମୃତ୍ୟୁ ହୋଇଯାଇଛି । ଗୁରୁବାର ରାତିରେ ବାପା ଓ ଶକ୍ରବାର ରାତିରେ ପୁଅ ଆଖି ବୁଜିଛି । କୋଭିଡ ଗାଇଡଲାଇନ ଅନୁସାରେ ଉଭୟଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

ସେପଟେ ବଲାଙ୍ଗିର ସହର ରୁଗୁଡିପଡାର କରୋନା ଆକ୍ରାନ୍ତ ମା ଓ ପୁଅଙ୍କ ମୃତ୍ୟୁ ହୋଇଯାଇଛି । ମାଆ ପ୍ରେମଶୀଳା ମିଶ୍ର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଛନ୍ତି । ଏପଟେ ଭୀମଭୋଇ ମେଡିକାଲ କଲେଜରେ ଚିକିତ୍ସାଧିନ ଅବସ୍ଥାରେ ପୁଅ ମନୋଜ ମିଶ୍ରଙ୍କ ମୃତ୍ୟୁ ହୋଇଯାଇଛି ।

ସେହିପରି ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତଦେହ ଘରେ ପଡିରହିଲା ୧୦ ଘଂଟା । ପ୍ରଶାସନର ହସ୍ତକ୍ଷେପ ଘରୁ ଉଠିଲା ଶବ । ଏହି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଧଳପୁରରେ । ଅବସାରପ୍ରାପ୍ତ ଶିକ୍ଷକ କୁମ୍ଭମେଳା ଫେରନ୍ତା ଓ କୋଭିଡ ରିପୋର୍ଟ ଆସିନଥିବାରୁ ପାଖ ମାଡିନଥିଲେ ସାଇପଡିଶା କି ସଂପର୍କୀୟ । ଏହା ଜାଣିବା ପରେ ବିଡିଓ ପହଂଚି ସାହି ଲୋକଙ୍କୁ ବୁଝାସୁଝା କରିଥିଲେ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଆମ୍ବୁଲାନ୍ସ ଡାକିଥିଲେ । ପରେ ପିପିଇକିଟ୍ ପିନ୍ଧି ମଡା ଉଠାଇଥିଲେ ସଂପର୍କୀୟ ।