ଅରୁଣାଚଳପ୍ରଦେଶ ହେଲା କରୋନା ମୁକ୍ତ । ଶେଷ ୩ ଆକ୍ରାନ୍ତ ସୁସ୍ଥ ହେବା ପରେ ପୁରା କରୋନା ମୁକ୍ତ ହୋଇଛି ରାଜ୍ୟ ।

259

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଦ୍ୱିତୀୟ ଲହର ଆରମ୍ଭ ହୋଇ ଯାଇଛି । ଏନେଇ ଦେଶରେ ୮ ରାଜ୍ୟରେ ଏବେ କରୋନା ସଂକ୍ରମଣ ପୁଣି ବଢିବାରେ ଲାଗିଛି । ଯାହାକୁ ନେଇ ରାଜ୍ୟ ମାନଙ୍କ ଠାରୁ କେନ୍ଦ୍ର ସରକାର ପୁଣି କରୋନା କଟକଣା ଜାରି କରିବାକୁ ଚିନ୍ତା କରୁଥିବା ବେଳେ ଦେଶର ଗୋଟିଏ ରାଜ୍ୟ କରୋନା ମୁକ୍ତ ହେବା ଭଳି ଏକ ଖୁସି ଖବର ଆସିଛି ।

ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ ଅରୁଣାଚଳ ପ୍ରଦେଶ ଏବେ ଦେଶର ପ୍ରଥମ କରୋନାମୁକ୍ତ ରାଜ୍ୟ ପାଲଟିଛି । ରାଜ୍ୟରେ ଚିକିତ୍ସିତ ହେଉଥିବା ଶେଷ ୩ ଜଣ କରୋନା ସଂକ୍ରମିତ ଗତକାଲି ସୁସ୍ଥ ହେବା ପରେ ଅନ୍ୟ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୬,୮୩୬ ଜଣ କରୋନାରେ ସଂକ୍ରମିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୬,୭୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୫୬ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

ରାଜ୍ୟ ସର୍ଭିଲାନ୍ସ ଅଫିସର ଲବସାଙ୍ଗ କାମ୍ପା କହିଛନ୍ତି କି ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କୌଣସି କରୋନା ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ରାଜ୍ୟରେ ସୁସ୍ଥ ହାର ୯୯.୬୬ ରହିଥିବା ବେଳେ ସଂକ୍ରମିତଙ୍କ ହାର ପାଖାପାଖି ଶୂନ ରହିଛି । ଏହାସହ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଟିକାକରଣରେ ରାଜ୍ୟରେ ୩୨,୩୨୫ ଜଣ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନାଯୋଦ୍ଧାଙ୍କୁ ଟିକା ଦିଆଯାଇଥିବା କଥା କାମ୍ପା ସୂଚନା ଦେଇଛନ୍ତି ।