କଲେଜ ଯୁବତୀଙ୍କୁ ରାସ୍ତାରେ ଛିଡା ହେବାର ଦେଖି ଦମ୍ପତ୍ତି କିଣିଲେ ୧୯ ଲକ୍ଷ ଟଙ୍କାର ବସ ! ଜାଣନ୍ତୁ କଣ ରହିଛି କାରଣ…

ଯିବା ବାଟରେ ଦମ୍ପତି ୪ଜଣ ଯୁବତୀଙ୍କ ସହ କଥା ହୋଇଥିଲେ

529

କନକ ବ୍ୟୁରୋ : ଦୁଇ ବର୍ଷ ପୂର୍ବେ ଶିଶୁ ଚିକିତ୍ସିକ ରାମେଶ୍ୱର ପ୍ରସାଦ ଯାଦବ ଏବଂ ତାଙ୍କ ପତ୍ନୀ ତାରାବତୀ ରାଜସ୍ଥାନରେ ଥିବା ତାଙ୍କ ଗାଁ ଛୁରୀକୁ ଯାତ୍ରା କରୁଥିଲେ । ନିଜ କାର୍ ଯୋଗେ ସେ ମାଟି ରାସ୍ତା ଦେଇ ଯାଉଥିବା ବେଳେ ରାସ୍ତା କଡ଼ରେ ୪ଜଣ ଯୁବତୀଙ୍କୁ ବର୍ଷାରେ ଓଦା ହୋଇ ଠିଆ ହୋଇଥିବା ଦେଖି ଦମ୍ପତି ସେମାନଙ୍କୁ ଲିଫଟି ଦେଇଥିଲେ । ଯିବା ବାଟରେ ଦମ୍ପତି ୪ଜଣ ଯୁବତୀଙ୍କ ସହ କଥା ହୋଇଥିଲେ । କଥା ହେବା ଭିତରେ ସେମାନେ ସେ ଅଞ୍ଚଳରେ ଯୁବତୀମାନେ କଲେଜ ଯିବା ପାଇଁ କେଉଁ ସବୁ ଅସୁବିଧା ଭୋଗ କରୁଛନ୍ତି ତାହା ଜାଣି ପାରିଥିଲେ । ୪ଜଣ ଯୁବତୀ କୋଟପୁଟଲିରେ ଥିବା କଲେଜରେ ନାମ ଲେଖାଇଥିବା ବେଳେ କଲେଜରେ ସେମାନଙ୍କ ଆଟେଣ୍ଡାନ୍ସ କମ ଥିବା ଜାଣି ଏହାର କାରଣ ପଚାରିବା ପରେ ଯାହା ଉତ୍ତର ମିଳିଥିଲା ତାହା ରାମେଶ୍ୱର ଏବଂ ତାରାବତୀଙ୍କ ଜୀବନକୁ ବଦଳାଇ ଦେଇଥିଲେ ।

 

କାରଣ ଜଣାଇବାକୁ ଯାଇ, ଯାତ୍ରୀବାହୀ ବସ୍ ପାଖକୁ ଆସିବା ପାଇଁ ଆମକୁ ପ୍ରତିଦିନ ମାଟି ରାସ୍ତା ଦେଇ ୩ରୁ ୬କିଲୋମିଟର ଚାଲିବାକୁ ପଡ଼ିଥାଏ । ବସରେ ବସିବା ପରେ ସେଥିରେ ଯାତ୍ରା କରୁଥିବା ଯୁବକମାନେ ଆମମାନଙ୍କ ସହ ଅସଦାଚରଣ କରିଥାନ୍ତି । ଯାହା ପାଇଁ ସବୁଦିନ କଲେଜ ଯିବା ସମ୍ଭବ ହୋଇ ପାରିନାହିଁ ବୋଲି ୪ଜଣ ଯୁବତୀ ଦମ୍ପତିଙ୍କୁ ଜଣାଇଥିଲେ । ଘରେ ପହଞ୍ଚିବା ପରେ ତାରାବତୀ ରାମେଶ୍ୱରଙ୍କୁ ଆମେ କିଛି କରି ପାରିବା କି ବୋଲି ପଚାରିଥିଲେ ? ଯାହାର ଉତ୍ତର ରଖି ଯଦି ଆମର ଝିଅ ହୋଇଥାନ୍ତା, ତେବେ ଆମେ ତାକୁ ପାଳି ବଡ଼ କରି ବିବାହ କରିଥିଲେ କେତେ ଟଙ୍କା ଖର୍ଚ୍ଚ ହୋଇଥାନ୍ତା ବୋଲି ପଚାରିଲେ ରାମେଶ୍ୱର ? ଯାହାର ଉତ୍ତରରେ ୨୦ ଲକ୍ଷ ବୋଲି ତାରାବତୀ କହିଥିଲେ ।

ତାରାବବତୀଙ୍କ ଠାରୁ ଏହା ଶୁଣି ରାମେଶ୍ୱର କଲେଜ ଯାଉଥିବା ଯୁବତୀମାନଙ୍କ ପାଇଁ ଏକ ବସ୍ କିଣିବେ ବୋଲି ମନସ୍ଥ କରିଥିଲେ । ଏଥି ପାଇଁ ସେ ନିଜର ଜେନେରାଲ ପ୍ରୋଭିଡ଼େଣ୍ଟ ଫଣ୍ଡ(ଜିପିଏଫ୍)ରୁ ୧୭ଲକ୍ଷ ଟଙ୍କା ଉଠାଇବା ସହ ବ୍ୟାଙ୍କରେ ଜମାଥିବା ୨ଲକ୍ଷ ଟଙ୍କା ମିଶାଇ ଏକ ବସ୍ କିଣିଥିଲେ । ଏହି ବସ୍ ଛୁରୀରୁ ଯାଉଥିବା ସମସ୍ତ ଯୁବତୀଙ୍କୁ ମାଗଣାରେ କଲେଜ ଛାଡ଼ିବା ସହ କଲେଜରୁ ଆଣି ଘରେ ଛାଡ଼ିବା ଆରମ୍ଭ କରିଥିଲା ।