କନକ ବ୍ୟୁରୋ: ସାରା ଦେଶରେ ପୋଲିସମାନଙ୍କର ହେଉ ଗୋଟିଏ ପ୍ରକାରର ବର୍ଦ୍ଦି । ‘ଏକ ରାଷ୍ଟ୍ର, ଏକ ବର୍ଦ୍ଦି’ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଚାର କରୁଛନ୍ତି । ତେବେ ଏହା ଗୋଟିଏ ବିଚାର ମାତ୍ର, କୌଣସି ରାଜ୍ୟ ସରକାରଙ୍କ ଉପରେ ଏହି ବିଚାରକୁ ଜୋର ଜବରଦସ୍ତ ଲଦି ଦିଆଯାଉନି । ଶୁକ୍ରବାର ଦେଶର ସବୁ ରାଜ୍ୟର ଗୃହମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ଏଭଳି ଏକ ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଏହି ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାରା ଦେଶରେ ପୋଲିସମାନଙ୍କର ପରିଚୟ ଗୋଟିଏ ଭଳି ହେବା ଆବଶ୍ୟକ । ତେଣୁ ସବୁ ପୋଲିସ ମାନଙ୍କର ଗୋଟିଏ ପ୍ରକାର ବର୍ଦ୍ଦି କରିବାକୁ ସେ ପ୍ରସ୍ତାବ ରଖିଥିଲେ । ଏଥିସହ ସବୁ ରାଜ୍ୟ ସରକାର ପୁରୁଣା ନିୟମର ସମୀକ୍ଷା କରିବା ସହ ଏଥିରେ ସୁଧାର ଆଣିବାକୁ ପ୍ରୟାସ କରିବା ଉଚିତ୍ ବୋଲି ମୋଦୀ କହିଥିଲେ । ତା ସହିତ ଲୋକଙ୍କ ମନରେ ପୋଲିସ ପ୍ରତି ଭଲ ଧାରଣା ସୃଷ୍ଟି କରିବା ବେଶ ଗୁରୁତ୍ୱପୂର୍ଣ୍ଣ । ଯଦିଓ ସମ୍ବିଧାନରେ କାନୁନ୍ ବ୍ୟବସ୍ଥା ରାଜ୍ୟର ଏକ ବିଷୟ, ତଥାପି ଦେଶର ଏକତା ଓ ଅଖଣ୍ଡତା ପାଇଁ ସମସ୍ତେ ଏକାଠି ହୋଇ କାମ କରିବା ଉଚିତ୍ ବୋଲି ମୋଦୀ କହିଥିଲେ ।
ମୋଦୀ ଆହୁରି ମଧ୍ୟ କହିଥିଲେ ଯେ, ସବୁ ରାଜ୍ୟ ଅନ୍ୟ ରାଜ୍ୟଠୁ ଶିଖିବାକୁ ଚେଷ୍ଟା କରୁ । ଅନ୍ୟ ରାଜ୍ୟଠୁ ପ୍ରେରଣା ନେବାକୁ ଚେଷ୍ଟା କରୁ । ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ସମସ୍ତେ ମିଳିମିଶି କାମ କରିବା ଉଚିତ୍ । ସବୁ ଏଜେନ୍ସ ମଧ୍ୟ ନିଜ ନିଜ ଭିତରେ ସହଯୋଗ ରଖି କାମ କରିବା ଉଚିତ୍, ତାହା କେନ୍ଦ୍ର ସରକାରଙ୍କ ଅଧୀନରେ ରହୁ ବା ରାଜ୍ୟ ସରକାରଙ୍କ ଅଧୀନରେ, ସମସ୍ତେ ମିଳିମିଶି କାମ କରିବାକୁ ମୋଦୀ ଆହ୍ୱାନ ଦେଇଥିଲେ ।
Follow Us