ଆସନ୍ତାକାଲି ସାରା ଦେଶର ରାଜମାର୍ଗରେ କୃଷକ ସଂଗଠନ କରିବ ଚକା ଜାମ୍ । ହେଲେ ଦିଲ୍ଲୀରେ ଗଡିବ ଗାଡି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ କୃଷକ ସଂଗଠନ ସହ ପୋଲିସ ପ୍ରସ୍ତୁତ

120

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ କୃଷି ଆଇନକୁ ଦେଶର କୃଷକ ସଂଗଠନ ମାନେ ବିରୋଧ କରି ୨ ମାସରୁ ଅଧିକ ସମୟ ହେବ ଦେଶର ବିିଭିନ୍ନ ସ୍ଥାନରେ ଧାରଣାରେ ବସିଛନ୍ତି । ଏହି କ୍ରମରେ ସରକାର ଓ କୃଷକ ସଂଗଠନ ମାନଙ୍କ ଭିତରେ ଏନେଇ ୧୧ ଥର ଆଲୋଚନା ହୋଇଥିଲେ ବି କୌଣସି ନିସ୍କର୍ଷ ବାହାରିପାରି ନାହିଁ । ଯାହାକୁ ନେଇ ଆସନ୍ତା କାଲି ତଥା ଫେବୃଆରୀ ୬ ତାରିଖ ଦିନ କୃଷକ ସଂଗଠନ ମାନେ ସାରା ଦେଶରେ ୩ ଘଂଟା ପାଇଁ ଚକା ଜାମ୍ କରିବାକୁ ଆହ୍ୱାନ ଦେଇଛନ୍ତି ।

ଏନେଇ ଆନ୍ଦୋଳନରତ କୃଷକ ସଂଗଠନର ନେତା ମାନେ ଆଜି କହିଛନ୍ତି କି ଦିଲ୍ଲୀକୁ ଛାଡି ଦେଶର ଅନ୍ୟ ସମସ୍ତ ରାଜମାର୍ଗରେ କାଲି ଏହି ଚକାଜାମ୍ ଆନ୍ଦୋଳନ କରାଯିବ । କୃଷକ ନେତା ଦର୍ଶନପାଲ୍ ସିଂ କହିଛନ୍ତି କି ଦିଲ୍ଲୀ ବ୍ୟତିତ ଅନ୍ୟସବୁ ସ୍ଥାନରେ ଆନ୍ଦୋଳନ କରାଯିବ ଓ ଦିଲ୍ଲୀର ସମସ୍ତ ସୀମାରେ କୃଷକ ମାନେ ଶାନ୍ତିପୂର୍ଣ୍ଣ ଭାବେ ବସି ରହିବେ । ଏହି ଆନ୍ଦୋଳନ ବେଳେ ରାଷ୍ଟ୍ରୀୟ ରାଜମାର୍ଗ ଓ ରାଜ୍ୟ ରାଜମାର୍ଗ ଉପରେ କୃଷକ ମାନେ ଧାରଣା ଦେବେ । ଦିନ ୩ ଟାରେ ଯେତେବେଳେ ଚକାଜାମ୍ ଆନ୍ଦୋଳନ ସମାପ୍ତ ହେବ ସେତେବେଳେ ସାରା ଦେଶର ଆନ୍ଦୋଳନକାରୀ ମାନେ ୧ ମିନିଟ୍ ପର୍ଯ୍ୟନ୍ତ ସେମାନଙ୍କ ଗାଡିର ହର୍ଣ୍ଣ ବଜାଇବେ । ଭାରତୀୟ କିଷାନ ୟୁନିୟନର ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକାୟତ କହିଛନ୍ତି କି ଯେଉଁ କୃଷକ ମାନେ ଏଠାକୁ ଆସିପାରୁ ନାହାନ୍ତି ସେମାନେ ଆସନ୍ତା କାଲି ନିଜ ନିଜ ଅଞ୍ଚଳରେ ଚକାଜାମ୍ ଆନ୍ଦୋଳନରେ ସାମିଲ ହୋଇପାରିବେ ।

ଅନ୍ୟପଟେ ଆନ୍ଦୋଳନରେ ପୁଣି ହିଂସା କୁ ନଜରରେ ରଖି ସରକାର ଆନ୍ଦୋଳନ ସ୍ଥଳରେ ଇଣ୍ଟରନେଟ୍ ସେବା ବନ୍ଦ ରଖିଛନ୍ତି । ଏହାସହ ଦିଲ୍ଲୀ ପୋଲିସ ଏବେ ବି ଦିଲ୍ଲୀର ବିଭିନ୍ନ ସୀମାରେ ଲୁହା କିଳା ପୋତିବା କାମ ଜାରି ରଖିଛି । ଦିଲ୍ଲୀର ବିଭିନ୍ନ ସୀମାରେ ସୁରକ୍ଷାବଳ ବଢାଇଛନ୍ତି ସରକାର । ଆନ୍ଦୋଳନର ଭିଡ ଭିତରେ ଯେଭଳି ଭାବେ ଦେଶଦ୍ରୋହୀ ଶକ୍ତି ମାନେ ଆତଙ୍କ ନ ଖେଳାନ୍ତି ସେ ନେଇ ବି ବେସ୍ ସଜାଗ ରହିଛି ଗୁଇନ୍ଦା ବିଭାଗ ।

ସେପଟେ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ ପାଲ ସିଂହ ସନ୍ଧୁ ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କୁସ୍ତିଯୋଦ୍ଧା କରତାର ସିଂ କୃଷକ ମାନଙ୍କୁ ତ୍ରୀରଙ୍ଗାର ମହତ୍ୱ ବୁଝାଇବାକୁ ସିଂଘୁ ସୀମାରେ ପହଂଚିଥିବା ଦେଖିବାକୁ ମିଳିଛି ।