ସ୍ୱାଧୀନତାର ଏତେ ବର୍ଷ ପରେ ବି ଗାଁକୁ ନାହିଁ ଭଲ ରାସ୍ତା ଖଣ୍ଡିଏ : ଆସିପାରୁନି ଗାଡି କି ଆମ୍ବୁଲାନ୍ସ… ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଚାଲିଯାଉଛି ରୋଗୀଙ୍କ ଜୀବନ

83

କନକ ବ୍ୟୁରୋ : କାମାକ୍ଷାନଗରର ଅପହଂଚ ଇଲାକା । ସ୍ୱାଧୀନତାର ଏତେ ବର୍ଷ ପରେ ବି ଗାଁକୁ ନାହିଁ ଭଲ ରାସ୍ତା ଖଣ୍ଡିଏ । ଏବେ ବି ରୋଗରେ ପଡିଲେ ଗାଁ ଲୋକଙ୍କ ନିକଟରେ ପହଁଚି ପାରୁନି ଆମ୍ବୁଲାନ୍ସ ସେବା । ଡାକ୍ତରଖାନା ଆସିବାକୁ ହେଲେ ନଦୀ ପାର ହୋଇ ୬ କିମିର ଜଙ୍ଗଲ ଡେଇଁବା ପରେ ପାଦ ପଡୁଛି ରାସ୍ତାରେ ।


ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର ଏ ହେଉଛି ଜଙ୍ଗଲ ଘେରା ଅଂଚଳରେ ଥିବା ୩ଟି ଗାଁ । କରଡ଼ାବଣି, ବେତଖୋଲି ଓ କଳାମାଟି । ଆଜି ବି ଏହି ଗାଁକୁ ନାହିଁ ରାସ୍ତା ଟିଏ । ସେପଟେ ନଦୀ ଏପଟେ ଜଙ୍ଗଲ ଓ ପାହାଡ । ଏସବୁ ଭିତରେ ୩ଟି ଗାଁଆର ପ୍ରାୟ ୬୦ ପରିବାର ଏବେ ବିକାଶ ଠାରୁ ବହୁ ଦୂରରେ । ଗାଁକୁ ନାହିଁ ରାସ୍ତା ନାହିଁ ସ୍କୁଲ କିଂବା ନଦୀ ପାର ହେବାକୁ ପୋଲ ଟିଏ । କେବେ ରାତି ଅଧରେ ଦେହ ଖରାପ ହେଲେ ଭରା ନଦୀରେ ଭାରରେ ରୋଗୀକୁ ବୋହି ଜଙ୍ଗଲ ରାସ୍ତାରେ କାମାକ୍ଷାନଗର ଡାକ୍ତରଖାନାକୁ ରୋଗୀକୁ ଆଣିବାକୁ ପଡିଥାଏ ।

କାମାକ୍ଷାନଗର ଉପଖଣ୍ଡ ଠାରୁ ମାତ୍ର ୬ କିଲୋମିଟର ଦୂରରେ ରହିଛି ଏହି ୩ଟି ଗାଁ । ଗାଁର ସମସ୍ତ ଲୋକ ଆଦିବାସୀ ସାନ୍ତାଳି ସମ୍ପ୍ରଦାୟର । ଝାଟିମାଟି ଘର , ସମସ୍ତେ ଭରସା କରନ୍ତି ଚାଷ ଓ ଜଙ୍ଗଲ ଉପରେ । ତେବେ ଆଜି ବି ଗାଁକୁ ରାସ୍ତା ଆଉ ପାଣି ପାଇଁ ଗୁହାରି କରି ଆସୁଥିଲେ ମଧ୍ୟ ପ୍ରଶାସନର ନଜର ପଡୁନଥିବାଗ୍ରାମବାସୀ ଅଭିଯୋଗ କରି ଆସିଛନ୍ତି । ରାସ୍ତା ନଥିବାରୁ ଗାଁର ଅଧିକାଂଶ ପିଲା ଅଧାରୁ ପାଠ ପଢା ଛାଡିବାକୁ ବାଧ୍ୟ ହେଉଛନ୍ତି ।