କନକ ବ୍ୟୁରୋ: ନିଜକୁ ଏସିଏଫ ପରିଚୟ ଦେଇ ଫସିଲେ ଯୁବକ । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁରେ । ଘଟଗାଁ ବଜାରର ସୁଜିତ ପଢ଼ିଆରୀ ନାମକ ବ୍ୟକ୍ତି ନିଜକୁ ଏସିଏଫ ପରିଚୟ ଦେଇ ଆସୁଥିଲେ । ସେ ମୋବାଇଲ ଘଟଗାଁ ବଜାରରେ ଦୋକାନ କରିଥିବା ଜଣେ ବ୍ୟବସାୟୀଙ୍କ ଠାରୁ ସିମ୍ କାର୍ଡ କିଣିବା ବାହାନାରେ ବନ୍ଧୁତା କରିଥିଲେ । ପରବର୍ତୀ ସମୟରେ ଏସିଏଫ ପରିଚୟ ଦେଇ ଚାକିରି କରାଇ ଦେବା ଆଳରେ ଲୋକଙ୍କ ଠାରୁ ଟଙ୍କା ହଡପ କରୁଥିଲେ । ତେବେ ସନ୍ଦେହ ହେବାରୁ ନିଜ ଜାଲରେ ନିଜେ ଫସି ଯାଇଥିଲା ସୁଜିତ । ସ୍ଥାନୀୟ ଲୋକେ ନକଲି ଏସିଏଫର ଚାଳିଚଳନକୁ ନେଇ ସନ୍ଦେହ ପ୍ରକଟ କରିଥିଲେ । ଯାହା ପରେ ଭୋଜିଭାତ ଖୁଆଇବା ବାହାନାରେ ତାକୁ ଲୋକେ ଖୁବ୍ ମାଡ଼ ମାରିଥିଲେ । ତା’ର ଚେର ପୁରୀରୁ ଅନୁଗୁଳ, ଯାଜପୁରରୁ କେନ୍ଦୁଝର ଲମ୍ବିଥିଲା । ତା’ ପାଖରୁ କିଛି ସିମ କାର୍ଡ, ମୋବାଇଲ, ଏକ ବୁଲେଟ୍, ବନ ବିଭାଗର ପୋଷାକ, ନକଲି ଆଇଡି କାର୍ଡ, ୩ଟି ଏଟିଏମ୍ କାର୍ଡ ଜବତ କରିଛି ପୋଲିସ । ସେ ଲୋକଙ୍କ ଠାରୁ ୫ ଲକ୍ଷ ଟଙ୍କାରୁ ଅଧିକ ଠକେଇ କରିଥିବା ଅଭିଯୋଗ ହୋଇଛି ।

Advertisment