ବିଶ୍ୱ ଦେଖିଲା ପ୍ରକୃତିର ତାଣ୍ଡବ, ଜାପାନରେ ମାଡ଼ ହେଲା ସୁପର ଟାଇଫୁନ୍ ‘ନାନମାଡୋଲ୍’

171

କନକ ବ୍ୟୁରୋ: ସୁପର ଟାଇଫୁନ୍ ନାନ୍ମାଡୋଲ୍ ଦକ୍ଷିଣ ଜାପାନରେ ମାଡ଼ ହେବା ପରେ ଛାତି ଥରାଇ ଦେଇଛି ଏହାର କରାଳ ରୂପ । ଉପକୂଳକୁ ମାଡ଼ି ଆସିଛି ସମୁଦ୍ର । ଜୁଆର ଏତେ ଉପରକୁ ଉଠିଛି, ସେହି ଚିତ୍ର ଭୟ ସୃଷ୍ଟି କରିଛି । ରାସ୍ତା ଡେଇଁ ସମୁଦ୍ର ପାଣି ସହର ଭିତରକୁ ପଶି ଯାଇଥିବା ବେଳେ ଘଣ୍ଟା ପ୍ରତି ପ୍ରାୟ ୨୪୦ କିଲୋମିଟର ବେଗରେ ପବନ ବହିଛି । ଅସ୍ତବ୍ୟସ୍ତ ହୋଇ ଉଠିଛି ଜନଜୀବନ । ବଡ଼ ବଡ଼ ଗଛ, ବିଦ୍ୟୁତ ଭିତ୍ତିିଭୂମି, ବଡ଼ ବଡ଼ କୋଠା ପ୍ରଭାବିତ ହୋଇଛି । ସୁପର ଟାଇଫୁନ୍ ପ୍ରଭାବରେ ଏତେ ବର୍ଷା ହୋଇଛି ଯେ ରାସ୍ତା ଉପରେ ପାଣିର ସୁଅ ଛୁଟୁଛି । କିଛି ସ୍ଥାନରେ ୨୪ ଘଣ୍ଟା ଭିତରେ ୪୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସରକାରୀ ସୂତ୍ରରୁ ୨ ଜଣଙ୍କ ମୃତ୍ୟୁ, ୯୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି ।

ସାଢ଼େ ୩ ଲକ୍ଷ ପରିବାରରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଛି । ସାମୁଦ୍ରିକ ଝଡ଼ ସହ ବନ୍ୟା ଓ ଭୂସ୍ଖଳନ ପରିସ୍ଥିତିକୁ ଆହୁରି ସଙ୍ଗୀନ କରିଛି । ଯାତାୟାତ ଓ ପରିବହନ ବାଧାପ୍ରାପ୍ତ ହୋଇଛି । ବୁଲେଟ୍ ଟ୍ରେନ ସେବା, ୬୦୦ରୁ ଅଧିକ ଫ୍ଲାଇଟ୍ ବାତିଲ କରାଯାଇଛି । ଲକ୍ଷାଧିକ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ୯୦ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ଚାଲିଯିବାକୁ ପରମର୍ଶ ଦିଆଯାଇଛି ।

‘କ୍ୟୁସୁ’ ଅଞ୍ଚଳର କାଗୋସିମା ସହର ନିକଟରେ ଲ୍ୟାଣ୍ଡପଲ ହେବା ପରେ ଜାପାନର ପୂର୍ବ ଦିଗକୁ ଗତି କରୁଛି ‘ନାନମାଡୋଲ୍’ । ବୁଧବାର ସୁଦ୍ଧା ‘ହଂସୁ’ ଦୀପ ଦେଇ ସୁପର ଟାଇଫୁନ୍ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି । ଜାପାନରେ ୫ ନମ୍ବର ଆଲର୍ଟ ଜାରି କରାଯାଇଛି । ଦଶନ୍ଧିର ଏକ ବଡ଼ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରୁଛି ଜାପାନ । ଗୋଟିଏ ପଟେ ପ୍ରକୃତିର ତାଣ୍ଡବ ଜାରି ରହିଛି । ଅନ୍ୟପଟେ ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ । ରାସ୍ତାରୁ ବଡ଼ ବଡ଼ ଗଛ ହଟାଇବା ପାଇଁ ଉଦ୍ୟମ କରାଯାଉଛି । ବିଦ୍ୟୁତ ସରବରାହକୁ ପୁନରୁଦ୍ଧାର କରିବା ପାଇଁ ଜୋରଦାର ପ୍ରୟାସ କରାଯାଉଛି । ସବୁ କାର୍ଯ୍ୟ ବାତିଲ କରି ଟାଇଫୁନ ମୁକାବିଲା ପାଇଁ ଜାରୁରୀକାଳୀନ ବୈଠକ କରିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ । ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାଣିପାଗ ବିଭାଗର ଆଗୁଆ ଚେତାବନୀ ଏବଂ ସରକାରଙ୍କ ସତର୍କତାମୂଳକ ପଦକ୍ଷେପ ଯୋଗୁଁ ମୃତାହତଙ୍କ ସଂଖ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଥିବା କୁହାଯାଇଛି । ୨୦୧୯ରେ ସାମୁଦ୍ରିକ ଝଡ଼ ‘ହାଜିବିସ୍’ ଯୋଗୁ ୧୦୦ ଲୋକଙ୍କ ଜୀବନ ଯାଇଥିଲା । ୨୦୧୮ରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ୨ ଶହରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।