ବଢିଚାଲିଛି ଧନୀଙ୍କ ସମ୍ପତ୍ତିି, ଗରିବ ହେଉଛନ୍ତି ମଧ୍ୟବିତ୍ତ। ଧନୀ-ଗରିବଙ୍କ ଭିତରେ ଅସମାନତା ।

206

କନକ ବ୍ୟୁରୋ: ସାମ୍ନାକୁ ଆସିଛି ଦେଶର ଧନୀ ବ୍ୟକ୍ତିଙ୍କ ତାଲିକା । ବଢିଛି ଧନୀ-ଗରିବଙ୍କ ମଧ୍ୟରେ ଅସମାନତା । ଅକ୍ସଫାମ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଦେଶର ୨୧ ଜଣ ଧନୀ କମାଇଛନ୍ତି ୭୦ କୋଟି ଭାରତୀୟଙ୍କ ଠାରୁ ଅଧିକ ଟଙ୍କା । କୋଭିଡ ମହାମାରୀ ସମୟରେ ଏହି ୨୧ ଜଣ ଧନୀଙ୍କ ସମ୍ପତି ଦିନକୁ ୧୨୧% ବୃଦ୍ଧି ହୋଇଛି । ଅର୍ଥାତ୍ ଏମାନେ ଦିନକୁ ୩ ହଜାର ୬୦୮ କୋଟି ଟଙ୍କା ଲେଖାଏଁ ଆୟ କରିଛନ୍ତି । ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୧ରେ ଧନୀ ଶ୍ରେଣୀର ଉପର ଆଡୁ ଥିବା ୫% ଭାରତୀୟ ଦେଶର ୬୨% ସମ୍ପତିର ମାଲିକ । ସେହିପରି ଗରିବ ଶ୍ରେଣୀର ତଳଆଡୁ ଥିବା ୫୦% ଭାରତୀୟ ଦେଶର ମାତ୍ର ୩% ସମ୍ପତିର ମାଲିକ ।

ଦେଶର ପ୍ରତିଷ୍ଠିତ ଶିଳ୍ପପତି ଗୌତମ ଅଦାନୀ ଓ ମୁକେଶ ଅମ୍ବାନୀଙ୍କ ଅର୍ଥନୈତିକ ସଫଳତା ଦେଖି ସହଜରେ ଅନୁମାନ କରିହେବ ଯେ ଦେଶରେ ଧନୀ ଶ୍ରେଣୀଙ୍କ ତାଲିକା କିଭଳି ବଢିଚାଲିଛି ।

୨୦୨୨ରେ ଗୌତମ ଅଦାନୀ ଦେଶର ସବୁଠାରୁ ଅଧିକ ଆୟ କରୁଥିବା ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସବୁଠୁ ଆଗରେ ଥିଲେ । ଅକ୍ସଫାମର ରିପୋର୍ଟ ଅନୁଯାୟୀ ୨୦୨୦ରେ ଭାରତରେ ଥିଲେ ୧୦୨ ଅରବପତି । କିନ୍ତୁ ୨୦୨୨ ବେଳକୁ ଏହି ସଂଖ୍ୟା ବଢି ୧୨୨ରେ ପହଞ୍ଚିଛି । ତେବେ ଧନୀ ଓ ଗରିବଙ୍କ ମଧ୍ୟରେ ଥିବା ଏଭଳି ଅସମାନତାକୁ ରୋକିବା ପାଇଁ କେନ୍ଦ୍ର ସରକାର ଦାୟୀ ବୋଲି କହିଛନ୍ତି ବରିଷ୍ଠ ରାଜନେତା ତଥା ଅର୍ଥନୀତି ସମୀକ୍ଷକ ପଞ୍ଚାନନ କାନୁନଗୋ ।

ସୁଇଜରଲ୍ୟାଣ୍ଡର ଡୋଭାସରେ ବିଶ୍ୱ ଅର୍ଥନୀତି ଫୋରମରେ ଓକ୍ସଫାମର ଏହି ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ସ୍ପଷ୍ଟ କରିଦେଉଛି ଯେ ଏବେ ବି ଧନୀ ଓ ଗରିବଙ୍କ ମଧ୍ୟରେ ବିରାଟ ବଡଧରଣର ଅସମାନତା ରହିଛି । ଏଥିପାଇଁ ସ୍ୱତନ୍ତ୍ର ନୀତିର ଆବଶ୍ୟକତା ଥିବା କହିଛନ୍ତି ଅର୍ଥନୀତି ବିଶେଷଜ୍ଞ ।