ମହାନଦୀ ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଛତିଶଗଡ଼ର ଚାଲାଖି : କଲମାର ୧୭ଟି ଗେଟ୍ ଦେଇ ଛାଡିଲା ପାଣି

184

କନକ ବ୍ୟୁରୋ : ମହାନଦୀ ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଛତିଶଗଡ଼ର ଚାଲାଖି । କଲ୍ମାର ୧୭ଟି ଗେଟ୍ ଦେଇ ଛାଡିଲା ପାଣି । କଲମାରେ ସର୍ବାଧିକ ଜଳ ଧାରଣ କ୍ଷମତା ୧୯୭ ମିଟର ଛୁଇଁ ଯାଇଥିବାରୁ ନିଜ ଛବିକୁ ସ୍ୱଚ୍ଛ ରଖିବା ପାଇଁ ଛତିଶଗଡ଼ ସରକାର ୧୭ଟି ଗେଟ୍ ଖୋଲି ଦେଇଥିବା ସୂଚନା ମିଳିଛି । ଫଳରେ ପ୍ରାୟ ୧ ମାସ ହେବ ଶୁଖିଲା ପଡ଼ିଥିବା ଓଡ଼ିଶାରେ ମହାନଦୀର ପ୍ରବେଶ ସ୍ଥଳ କୁହାଯାଉଥିବା ଶୁଖାସୋଡାରେ ପାଣି ଦେଖିବାକୁ ମିଳିଛି । କଲ୍ମା ବ୍ୟାରେଜର ୬୬ଟି ଗେଟ୍ ରହିଛି ।

ଏଥିରେ ସର୍ବାଧିକ ୫୦ ଦଶମିକ ୩୯ କ୍ୟୁବିକ୍ ମିଲିୟନ୍ ମିଟର ଜଳ ସଂରକ୍ଷଣ ହୋଇପାରିବ । ମହାନଦୀ ଟ୍ରିବ୍ୟୁନାଲଙ୍କ ପ୍ରଥମ ପର୍ଯ୍ୟାୟ ଗସ୍ତ ଶେଷ ହୋଇଛି । ଏହି ସମୟରେ କଲମା ସମେତ ଛତିଶଗଡ଼ର ପ୍ରାୟ ସମସ୍ତ ବ୍ୟାରେଜ୍ ଏହାର ନିର୍ଦ୍ଧାରିତ କ୍ଷମତା ପାଖାପାଖି ଜଳ ସଂରକ୍ଷଣ କରିଥିବା ଚିତ୍ର ସାମ୍ନାକୁ ଆସିଥିଲା । ଛତିଶଗଡ଼ରେ ମହାନଦୀ ପାଣି ଲହଡି ଭାଙ୍ଗୁଥିବା ବେଳେ ଓଡ଼ିଶାରେ ଶୁଖିଲା ପଡ଼ିଥିବା ଚିତ୍ର ସାମ୍ନାକୁ ଆସିଥିଲା । ଯାହାକୁ ଛତିଶଡ଼ ସରକାର ଖଣ୍ଡନ କରିବା ସହ ଓଡ଼ିଶା ମିଥ୍ୟା ଅଭିଯୋଗ ଆଣୁଥିବା ଟ୍ରିବ୍ୟୁନାଲ ସମ୍ମୁଖରେ ତଥ୍ୟ ରଖିଥିଲେ । ମହାନଦୀ ଟ୍ରିବ୍ୟୁନାଲ ଆସନ୍ତା ମାସରେ ହୀରାକୁଦ ଡେଲଟା ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।