ନଈରେ ଖସୁଛି ପାଣି, ହେଲେ ଗାଁ ଭିତରେ କମୁନି ବନ୍ୟାଜଳ: ଏପଟେ ନେତା ବୁଲୁଛନ୍ତି ବନ୍ୟାଂଚଳରେ

52

କନକ ବ୍ୟୁରୋ: ରାଜୁଆ ନଦୀରେ ଆସିଥିବା ବନ୍ୟା ଯୋଗୁଁ ଏବେ ବି ଖୋର୍ଦ୍ଧା ଜିଲ୍ଲାର ଅନେକ ଗାଁ ଜଳଘେରରେ ରହିଛି । ଗାଁ ଦାଣ୍ଡରେ ଛାତିଏ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । ଘର ଭିତରୁ ପାଣି ଛାଡୁନି । ଯାହାଫଳରେ ଲୋକମାନେ ଘରକୁ ଫେରି ପାରୁ ନାହାଁନ୍ତି ଓ ଛାତ ଉପରେ ରହିବାକୁ ବାଧ୍ୟ ହେଉଛନ୍ତି ।

ସୁବର୍ଣ୍ଣରେଖାର ଜଳସ୍ତର କମୁଥିଲେ ବି ବାଲେଶ୍ୱର ଭୋଗରାଇ ଅଂଚଳର ବହୁ ଗାଁ ଜଳଘେରରେ ରହିଛି । ଘର ଭିତରେ ପାଣି ପଶିଥିବାରୁ ଲୋକମାନେ ଏବେ ବି ନଦୀ ବନ୍ଧରେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି । ଆଉ ସେହି ବନ୍ଧରେ ଯାହା ମିଳୁଛି ତାକୁ ଖାଇ ବଂଚୁଛନ୍ତି ବୟସ୍କଙ୍କଠାରୁ ଆରମ୍ଭ କରି ପିଲାଙ୍କ ପର୍ଯ୍ୟନ୍ତ ।

ବିଭିନ୍ନ ଗାଁରେ ଯେତେବେଳେ ବନ୍ୟା ପାଣି ପଶିଛି ସେତିକିବେଳେ, ଲୋକଙ୍କ ଦୁଃଖ ସମୟରେ ସେମାନଙ୍କ ପାଖରେ ଠିଆ ହୋଇଥିବା ବାର୍ତା ଦେବା ପାଇଁ ଭରପୁର ପ୍ରୟାସ କରୁଛନ୍ତି ନେତା । ବିଭିନ୍ନ ବନ୍ୟା ପ୍ରଭାବିତ ଗାଁରେ ନେତାଙ୍କୁ ଦେଖିବାକୁ ମିଳୁଛି । ପୁରୀ ଜିଲ୍ଲା ସଦର ବ୍ଲକର ବନ୍ୟାଂଚଳ ବୁଲି ଦେଖିଛନ୍ତି ବିଜେଡି ପୂର୍ବତନ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି । ଏକ ଟ୍ରାକ୍ଟରରେ ସମର୍ଥକ ଓ ଦଳୀୟ କର୍ମୀଙ୍କୁ ସାଙ୍ଗରେ ନେଇ ମହେଶ୍ୱର ମହାନ୍ତି ବନ୍ୟାଂଚଳ ପରିଦର୍ଶନ କରିଛନ୍ତି । ବନ୍ୟା ପ୍ରଭାବିତ ଅଂଚଳରେ ରିଲଫ ସାମଗ୍ରୀ ପହଂଚିଛି ନାହିଁ, ତାହା ପଚାରି ବୁଝିଛନ୍ତି । ସେପଟେ ବିଜେପି ପକ୍ଷରୁ ବିଧାୟକ ଜୟନ୍ତୀ ଷଡଙ୍ଗୀ ଓ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଟ୍ରଲିରେ ବନ୍ୟାଂଚଳ ବୁଲି ବନ୍ୟା ବିପନ୍ନଙ୍କୁ ରିଲିଫ ବଂଟନ କରିଛନ୍ତି । ବିଧାୟକ ଜୟନ୍ତ ଷଡଙ୍ଗୀ ନିଜେ ରିଲିଫ ବୋଝେଇ ଟ୍ରଲି ଚଲାଇ ବନ୍ୟା ପ୍ରଭାବିତ ଅଂଚଳରେ ବିତରଣ କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ବିଜେପି ନେତ୍ରୀ ପ୍ରଭାତି ପରିଡା ଓ ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ ରିଲିଫ୍ ବାଂଟିବାକୁ ଯାଉଥିବା ସମୟରେ ଗୋପ ବ୍ଲକର ନାଗପୁର ପଂଚାୟତରେ ଡଙ୍ଗା ଓଲଟି ପଡିଥିବା ଦୃଶ୍ୟ ସାମନାକୁ ଆସିଛି । ପାୱର ବୋଟରେ ପ୍ରଭାତି ପରିଡା ଓ ପୂର୍ବତନ ସାଂସଦଙ୍କ ସମେତ କିଛି କର୍ମୀ ବସିଥିବାବେଳେ ଅନ୍ୟ ଏକ ଡଙ୍ଗାରେ ୨୫ ରୁ ଅଧିକ ବିଜେପି କର୍ମୀ ଥିଲେ । ଆଉ ସେହି ଡଙ୍ଗାଟି ଭାରସାମ୍ୟ ହରାଇ କିଛି ସେକେଣ୍ଡରେ ହିଁ ଓଲଟିପଡିଥିଲା । ତେବେ ସୌଭାଗ୍ୟ ବସତଃ ଓଡ୍ରାଫ ଟିମର କର୍ମଚାରୀ ମାନେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ।