ରୁଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଆମେରିକାର ବଡ଼ ବୟାନ । କହିଲା ସରିବନି ଯୁଦ୍ଧ, ବର୍ଷ ଶେଷ ଯାଏଁ ଜାରି ରହିବ ଯୁଦ୍ଧ

129

କନକ ବ୍ୟୁରୋ: ୫୦ରୁ ଅଧିକ ଦିନ ଧରି ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଯୁଦ୍ଧ କେବେ ସରିବ ଓ କିପରି ଶାନ୍ତି ଫେରିବ, ତାକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି । କିନ୍ତୁ ଏହାରି ଭିତରେ ଆମେରିକାର ଏକ ଆକଳନ ସମଗ୍ର ବିଶ୍ୱ ପାଇଁ ଚିନ୍ତା ବଢ଼ାଇ ଦେଇଛି । ଆମେରିକା ପକ୍ଷରୁ କୁହାଯାଇଛି, ଏହି ଯୁଦ୍ଧ ଚଳିତ ବର୍ଷ ଶେଷ ହେବ ନାହିଁ ବରଂ ଏହା ଦୀର୍ଘ ଦିନ ଧରି ଚାଲିବ । କୃଷ୍ଣ ସାଗରରେ ରୁଷର ଅତି ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ଜାହାଜ ମସ୍କୋଭା ବୁଡ଼ିଯିବା ପରେ ରୁଷ୍ ପ୍ରତିଶୋଧ ପରାୟଣ ହୋଇପଡ଼ିଛି । ଏହି ଜାହାଜକୁ ୟୁକ୍ରେନ୍ ଧ୍ୱଂସ କରିଦେବା ପରେ ରୁଷ୍ ପୁଣିଥରେ କିଭ୍ ଓ ପଶ୍ଚିମ ୟୁକ୍ରେନରେ ଘନଘନ ଆକ୍ରମଣ କରିଛି । ଶୁକ୍ରବାର ରାତିରେ ରୁଷର ଆକ୍ରମଣରେ ୟୁକ୍ରେନର ଦୁଇଟି ସାମରିକ ପ୍ରତିଷ୍ଠାନ ଧ୍ୱଂସ ହୋଇଯାଇଛି ।

ସେହିପରି ୟୁକ୍ରେନର ରାଜଧାନୀ କିଭ୍ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ରୁଷ୍ ଏକ ପ୍ଲାଣ୍ଟକୁ ମିଜାଇଲ୍ ମାଡ଼ କରି ଛାରଖାର କରିଦେଇଛି । ଆଗାମୀ ଦିନରେ କିଭରେ ଆକ୍ରମଣ ଆହୁରି ଜୋରଦାର ହେବ ବୋଲି ରୁଷ୍ ଚେତାବନୀ ଦେଇସାରିଛି । ସେହିପରି ରୁଷର ଯୁଦ୍ଧ ଜାହାଜ ଶନିବାର ଲଭିଭରେ ଗୋଳାବର୍ଷା କରିଛି । ଏପରିକି ମାରିୟୁପୋଲ ରାସ୍ତାଘାଟରେ ମଧ୍ୟ ଲଢ଼େଇ ଜାରି ରହିଛି । ତେଣୁ ଏସବୁ ଯୁଦ୍ଧକୁ ଆହୁରି ଲମ୍ବା କରିବ ଏବଂ ଏହା ୨୦୨୨ ଶେଷ ପର୍ଯ୍ୟନ୍ତ ଚାଲିବ ବୋଲି କହିଛି ଆମେରିକା କହିଛି ।

ଅନ୍ୟପଟେଙ୍କ ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ୫୩ ଦିନରେ ପହଞ୍ଚିଛି । ଏହାରି ଭିତରେ ରୁଷ୍ ୟୁକ୍ରେନର ୮ଟି ସହର ଉପରେ ଏୟାର୍ ଷ୍ଟ୍ରାଇକ୍ କରିଛି । ଏଥିରେ କିଛି ନାଗରିକଙ୍କର ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଥିବା ୟୁକ୍ରେନର ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରୁଷ୍ ଯେଉଁ ୮ଟି ସହର ଉପରେ ଆକ୍ରମଣ କରିଛି, ସେଗୁଡ଼ିକ ହେଲେ ଡୋନେସ୍କ, ଲୁହାନସ୍କ, ପୂର୍ବରେ ଥିବା ଖାରକିଭ୍, ନିପ୍ରୋପେଟ୍ରୋଭସ୍କ, ପୋଲଟଭା, କିରୋଭୋରାଡ୍, ଦକ୍ଷିଣରେ ଥିବା ମାଇକୋଲେଭ୍ ଓ ଖେରସନ୍ ।

ଶୁକ୍ରବାର ଖାରକିଭରେ ୯ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ସେହିପରି ଦକ୍ଷିଣ ମାଇକୋଲେଭରେ ଶୁକ୍ରବାର ଓ ଶନିବାର ପ୍ରବଳ ଗୋଳାବର୍ଷା ହୋଇଥିଲା । ଶୁକ୍ରବାର ହୋଇଥିବା ଏୟାରଷ୍ଟ୍ରାଇକରେ ୫ଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି । ସେପଟେ ୟୁକ୍ରେନର ଲିସିଚାନସ୍କ ସହରରେ ଥିବା ଏକ ତୈଳ ବିଶୋଧନାଗାର ଉପରେ ରୁଷୀୟ ସେନାର ଗୋଳାବର୍ଷା ଦ୍ୱାରା ସେଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ତେବେ ତୈଳ ବିଶୋଧନଗାରକୁ ଟାର୍ଗେଟ୍ କରାଯିବା ଘଟଣା ପ୍ରଥମ ନୁହେଁ । ଆକ୍ରମଣ ସମୟରେ ତୈଳ ବିଶୋଧନଗାରରେ କୌଣସି ଇନ୍ଧନ ନଥିଲା । ତେଣୁ ତୈଳ ଆବର୍ଜନାର ଅବଶେଷ ଗୁଡ଼ିକ ଜଳିଯାଇଥିଲା ବୋଲି ଜଣାପଡ଼ିଛି ।