ଶବ ବ୍ୟବଚ୍ଛେଦ ହୋଇଥିବାରୁ ଛୁଇଁଲେନି ଗାଁଲୋକ । ସ୍ଥାନୀୟ ଯୁବକ ବାଇକରେ ବୋହି କଲେ ଶବ ସତ୍କାର

176

କନକ ବ୍ୟୁରୋ : ବ୍ୟବଚ୍ଛେଦ ହୋଇଥିବାରୁ ଶବ ଛୁଇଁଲେନି ଗାଁଲୋକ । ଦୀର୍ଘ ସମୟ ଧରି ପଡ଼ିରହିଲା ମୃତଦେହ । ଶେଷରେ ସ୍ଥାନୀୟ ଯୁବକ ସଂଘ ସଭାପତି ସୁନିଲ ବେହେରା ବାଇକରେ ଶବ ବୋହି କଲେ ଶବ ସଂସ୍କାର । ବରଗଡ଼ ଜିଲ୍ଲା ପଦ୍ମପୁର ନିକଟସ୍ଥ ମହୁଲପାଲି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗାଁର ମନୁଚୁ ପାଣ୍ଡେ ଯକୃତ ଜନିତ ରୋଗରେ ପୀଡ଼ିତ ଥିଲେ । ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ସେଠାରେ ଶବ ବ୍ୟବଚ୍ଛେଦ ପରେ ଆମ୍ବୁଲାନ୍ସ ଯୋଗେ ଗାଁରେ ପହଂଚିଥିଲା ମୃତଦେହ । ହେଲେ ବ୍ୟବଚ୍ଛେଦ ହୋଇ ଆସିଥିବା ଶବକୁ ଛୁଇଁବା ଦ୍ୱାରା ତାଙ୍କୁ ସଂସ୍କାର ହେବାକୁ ପଡେ ବୋଲି କହି ସତ୍କାର ପାଇଁ କେହି ସହଯୋଗ କରିନଥିଲେ । ଯାହା ପାଇଁ ଅନେକ ସମୟ ଧରି ମୃତ ଦେହ ପଡ଼ି ରହିଥିଲା । ପରିବାରରେ ବି ସେମିତି କେହି ନଥିଲେ ଯେ କି ମୃତ ଦେହକୁ ସତ୍କାର କରିବାକୁ । ଘଟଣା ସମ୍ପର୍କରେ ଜାଣି ସୁନିଲ ବେହେରା ଆମ୍ବୁଲାନ୍ସ ଡ୍ରାଇଭର, ହେଲପରଙ୍କ ସହଯୋଗରେ ବାଇକରେ ଶବକୁ ନେଇ ଦାହ କରିଥିଲେ । ମୃତକଙ୍କ ପରିବାରରେ ତାଙ୍କ ସ୍ତ୍ରୀ, ମାଆ, ଛୋଟ ଛୁଆ ଥିବାରୁ ଶବ ସତ୍କାର ପାଇଁ ଯାଇନଥିଲେ ।