କନକ ବ୍ୟୁରୋ: ରେଙ୍ଗାଳୀ ନଦୀ ବନ୍ଧ ପାଇଁ ୧୯୭୮ରୁ ବିସ୍ଥାପିତ ଗ୍ରାମବାସୀଙ୍କୁ ଦେବଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥଇଥାନ କରାଯାଇଛି । ତିଲେଇବଣୀ ବ୍ଲକ ଫୁଲପଥର, ଉଦୟପୁର ଓ ରିଆମାଳ ବ୍ଲକର ବନାକାଲ, ବର ତଇଲା, ଜରିତଇଲା, ଆମ୍ବଖୋଲ ଗାଁରେ ରହୁଛନ୍ତି ବିସ୍ଥାପିତ ପରିବାର । ହେଲେ ଆଜି ଯାଏଁ ସ୍ଥାୟୀ ଜମି ପଟ୍ଟା ମିଳିନଥିବାରୁ ଅବହେଳାର ଶିକାର ହେଉଛନ୍ତି ବିସ୍ଥାପିତ ।

Advertisment

ରେଙ୍ଗାଳି ଡ୍ୟାମ ପାଇଁ ଦେବଗଡ ଓ ଅନୁଗୁଳ ଜିଲ୍ଲାର ୨୬୩ ଗାଁ ବିସ୍ଥାପିତ ହୋଇଥିଲା । ଦେବଗଡର ୭୭ଟି ଗାଁ ଓ ଅନୁଗୁଳର ୩୩ଟି ଗାଁ ସଂପୂର୍ଣ୍ଣ ବୁଡି ଯାଇଛି । ସେହିଭଳି ଦୁଇଟି ଜିଲ୍ଲାର ୧୫୩ଟି ଗାଁ ଆଂଶିକ ବୁଡି ଯାଇଛି । ସମସ୍ତ ଗାଁକୁ ଅନ୍ୟ ସ୍ଥାନରେ ଅବସ୍ଥାପିତ କରାଯାଇଛି । ଦେବଗଡ଼ର ଫୁଲପଥର, ଉଦୟପୁର, ବନାକାଲ, ବରତଇଲା, ଜରିତଇଲା ଓ ଆମ୍ବ ଖୋଲରେ ଅବସ୍ଥାପିତ ବିସ୍ଥାପିତଙ୍କୁ ରାଜସ୍ୱ ଗାଁରେ ଅନ୍ତଭୁକ୍ତ କରାଯାଇନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାୟୀ ପଟ୍ଟା ଦିଆଯାଇନାହିଁ । ଫଳରେ ୨୪୪ଟି ଗାଁର ବିସ୍ଥାପିତ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ।

ବିସ୍ଥାପିତ ମାନେ ଘରଦ୍ୱାର ଛାଡି ଯାହା ଯେମିିତି ଚଳି ଯାଉଥିବା ବେଳେ ଏବେ ଏକ ବଡ ସମସ୍ୟ ଦେଖା ଦେଇଛି । ବାରକୋଟ ଅଞ୍ଚଳ ଦେଇ ତାଳଚେର-ବିମଳାଗଡ ରେଳ ଲାଇନ ପ୍ରକଳ୍ପ ପାଇଁ ବିସ୍ଥାପିତ ପରିବାରଙ୍କ ଜମି ଅଧିଗ୍ରହଣ ହେବ । ହେଲେ ବିସ୍ଥାପିତଙ୍କ ପାଖରେ ସ୍ଥାୟୀ ଜମି ପଟ୍ଟା ନଥିବାରୁ ସେମାନେ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେବାର ଆଶଙ୍କା କରିଛନ୍ତି । ସମୁହ ସ୍ୱାର୍ଥ ପାଇଁ ଭିଟା ମାଟିକୁ ଉତ୍ସର୍ଗ କରି ବିସ୍ଥାପିତ ଲାଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।