କନକ ବ୍ୟୁରୋ: ଝିଅକୁ ଆଇଏସ୍ କରିବାକୁ ପରିବାରର ତ୍ୟାଗ । ମା’ ଚାକିରୀ ଛାଡିଲେ , ଘର ଲୋକ ଟିଭି ଦେଖିବା ଭୁଲିଗଲେ । ଏ ହେଉଛି ଉତ୍ତରପ୍ରଦେଶ କ୍ୟାଡରର ଆଇଏଏସ୍ ଜାଗୃତି ଅୱସ୍ତିଙ୍କ ସଫଳତା ପଛର କାହାଣୀ । କୌଣସି ବ୍ୟକ୍ତିଙ୍କ ସଫଳତା ପଛରେ ନିଜସ୍ୱ ହେଉ କି ପରିବାର କାହାରି ନା କାହାରି ସଂଘର୍ଷ ତଥା ତ୍ୟାଗ ଥାଏ । ଜାଗୃତିଙ୍କ ସଫଳତା ପାଇଁ ମଧ୍ୟ ରହିଛି ଏପରି କିଛି ତ୍ୟାଗ । ଝିଅ ମନଧ୍ୟାନ ଦେଇ ପଢୁ, ଆଇଏଏସ୍ ହେବାର ସ୍ୱପ୍ନ ତା’ର ସଫଳ ହେଉ ସେଥିପାଇଁ ତାଙ୍କ ମା’ କଲେ ପ୍ରଥମ ତ୍ୟାଗ । ଜାଗୃତିଙ୍କ ମା’ ଝିଅ ଜାଗୃତିଙ୍କ ପାଇଁ ସରକାରୀ ଚାକିରୀ ଛାଡିଦେଇଥିବାବେଳେ ପରିବାର ଲୋକ ଘରେ ଟିଭି ଦେଖିବା ଛାଡିଦେଲେ । ଆଉ ଯେତେବେଳେ ଝିଅ ଆଇଏଏସ୍ ପାଇଲା ତା ପୁଣି ଦ୍ୱିତୀୟ ଟପ୍ପର କାହାରି ପାଦ ତଳେ ଲାଗିନଥିଲା ।

Advertisment

ମା’ ଝିଅଙ୍କ ସମ୍ପର୍କ ସବୁବେଳେ ସ୍ୱତନ୍ତ୍ର । ଏହାର ଉଦାହରଣ ସାଜିଛନ୍ତି ଆଇଏଏସ୍ ଜାଗୃତି ଅୱସ୍ତି ଓ ତାଙ୍କ ମା’ । ମା’ ପାଇଁ ତ ଏତେ ବଡ ସଫଳତା ପାଇଲେ । ତେଣୁ ଖୁସିରେ ମା’ଙ୍କୁ ତାଙ୍କ କର୍ମଭୂମି ତଥା ଅଫିସକୁ ଆଣି ନିଜ ସିଟରେ ବସାଇଲେ । ମା’ ଝିଅଙ୍କ ଏହି ଖାସ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଜାଗୃତିଙ୍କ ବାପା ଏସସି ଅୱସ୍ତି ଜଣେ ପ୍ରଧ୍ୟାପକ ହୋଇଥିବାବେଳେ ମା’ ମଧୁଲତା ଅୱସ୍ତି ଜଣେ ଶିକ୍ଷୟିତ୍ରୀ । ହେଲେ ଝିଅର କ୍ୟାରିଅର ପାଇଁ ମା’ ମଧୁଲତା ଚାକିରୀ ଛାଡିଦେଲେ । ଆଉ ଝିଅର ପାଠ ପଢା ଉପରେ ପୁରା ଫୋକସ୍ କଲେ ।  ଆଇଏଏସ୍ ଜାଗୃତିି ମଧ୍ୟପ୍ରଦେଶର ବାସିନ୍ଦା । ଦ୍ୱାଦଶ ଶେଷ ପରେ ସେ ଭୋପାଳ ସ୍ଥିତ ମୌଲାନା ଅଜାଦ୍ ରାଷ୍ଟ୍ରିୟ ପ୍ରଦ୍ୟୋଗିକ ସଂସ୍ଥାନରେ ଇଞ୍ଜିନିୟରିଙ୍ଗରେ ଡିଗ୍ରୀ କଲେ । ଏହାପରେ ତାଙ୍କୁ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ରେ ଚାକିରୀ ମିଳିଗଲା । ହେଲେ ଇଚ୍ଛା ତାଙ୍କର ଥିଲା ପ୍ରଶାସନିକ ସେବାରେ ରହି ସମାଜର ସେବା କରିବା । ଏହି ସ୍ୱପ୍ନକୁ ପୂରଣ କରିବାକୁ ଯାଇ ଜାଗୃତି ଦିଲ୍ଲୀ ଆଇଏଏସ୍ କୋଚିଂରେ ଯୋଗ ଦେଲେ । ହେଲେ ସେଠାରେ କିଛି ମାସ କୋଚିଙ୍ଗ ନେବା ପରେ ଘରକୁ ଚାଲିଆସି ଘରେ ପଢା ଜାରି ରଖିଲେ । ଏହି  ସମୟରେ ତାଙ୍କ ପରିବାରର ଗୁରୁ ଦାୟିତ୍ୱ ଥିଲା ଜାଗୃତିଙ୍କ ପଢାରେ ଯେପରି କୌଣସି ସମସ୍ୟା ନୁହେଁ ଘର ଲୋକ ଟିଭି ଦେଖିବା ଛାଡିଦେଲେ ।

 ପ୍ରଥମ ପରୀକ୍ଷାରେ ବିଫଳ ହେଲେ କିନ୍ତୁ କିନ୍ତୁ ଏହ ତାଙ୍କୁ ଆଗକୁ ବଢିବାକୁ ବାଟ ଦେଖାଇଥିଲା । ନିଜର ଦୁର୍ବଳତାକୁ ଗୁରୁତ୍ୱ ଦେଇ ଦ୍ୱିତୀୟ ଚେଷ୍ଟା କଲେଏବଂ ସଫଳ ହେଲେ । ୨୦୨୦ରେ ପ୍ରକାଶ ପାଇଥିବା ୟୁପିଏସସି ରେଜଲ୍ଟ ଲିଷ୍ଟରେ ଟପ୍ ୫୦ ଭିତରେ ନିଜ ନାଁ ଖୋଜିୁଥିଲେ, ନିଜର ନାଁ ଟପ୍ ୨ରେ ଦେଖି ଖୁସିରେ ଚେୟାରରୁ ଗଳିପଡିଥିଲେ ଜାଗୃତି  । ସମସ୍ତଙ୍କ ତ୍ୟାଗ ସଫଳ ହୋଇଥିଲା । ଚାରି ଆଡୁ ଛୁଟିଥିଲା ଜାଗୃତିଙ୍କ ପାଖକୁ ଶୁଭେଚ୍ଛାର ସୁଅ । ସୋସିଆଲ ମିଡିଆରେ ସେ ବେଶ୍ ସକ୍ରିୟ । ଏବେ ଇନଷ୍ଟାରେ ତାଙ୍କର ଦେଢଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି ।