୮୬ ଦିନରେ ପହଁଚିଲା ୟୁକ୍ରେନ-ରୁଷିଆ ଯୁଦ୍ଧ: ଅସ୍ତ୍ର କିଣିବା ପାଇଁ ୧୦୦ ମିଲିୟନ ଡଲାରର ସହାୟତା ଦେଲା ଆମେରିକା

230

କକନକ ବ୍ୟୁରୋ: ୮୬ ଦିନରେ ପହଁଚିଛି ରୁଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ଉପରେ ଆକ୍ରମଣକୁ ଅଧିକ ତ୍ରୀବ କରୁଛି ରୁଷ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ରୁଷର ଆକ୍ରମଣକୁ ମୂର୍ଖତା ଓ କ୍ରୁରତା କହି ରୁଷ ରାଷ୍ଟପତିଙ୍କ ପୁଣି ନିନ୍ଦା କରିଛନ୍ତି । ସେପଟେ ୟୁକ୍ରେନ ପାଇଁ ବଡ ସେନା ସହାୟତା ଆମେରିକା ଘୋଷଣା କରିବା ସହ ବ୍ରିକ୍ସ ସମ୍ମିଳନୀରେ ଯୁଦ୍ଧ ପ୍ରସଙ୍ଗ ଉଠାଇ ନିଜ ମତାମତ ରଖିଛି ଭାରତ ।

ରୁଷ-ୟୁକ୍ରେନ ଯୁଦ୍ଧକୁ ଆଉ କିଛି ଦିନ ପରେ ୩ମାସ ପୂରିବାକୁ ଯାଉଛି । ଅନେକ ବୈଠକ, ଆଲୋଚନା ପ ର୍ଯ୍ୟାଲୋଚନା ପରେ ମଧ୍ୟ ଯୁଦ୍ଧ ରୋକିବା ପ୍ରୟାସ ବିଫଳ ହେଉଛି । ସେପଟେ କଳେବଳେ କୌଶଳେ ୟୁକ୍ରେନକୁ କବଜା କରିବାକୁ ଜୋରଦାର ଉଦ୍ୟମ କରୁଛନ୍ତି ପୁଟିନ ବାହୀନୀ । କିନ୍ତୁ ରଷିଆ ସୈନିକଙ୍କ ସହ କଡା ମୁକାବିଲା ଜାରି ରଖିଛି ୟୁକ୍ରେନ । ଏହାରି ଭିତରେ ଏକ ବଡ ଖବର ଆସୁଛି । ଖୁବ ଶିଘ୍ର ୟୁକ୍ରେନକୁ ପୁଣି ଥରେ ବଡ ସହାୟତା କରିବ ଆମେରିକା । ଆମେରିକା ୟୁକ୍ରେନକୁ ଆଡଭାନ୍ସ ଆଟିଂ ସିପ ମିଶାଇଲ ଯୋଗାଇବ ଯାହା ରୁଷର ଲଢୁଆ ତଥା ଶକ୍ତିଶାଳୀ ଯୁଦ୍ଧ ଜାହଜ ଓ ବିମାନକୁ କ୍ଷଣିକରେ ଧ୍ୱଂସ କରିବାରେ ସମର୍ଥ ଅଟେ । ଏଥିସହ ୧୦୦ ମିିଲିୟନ ଡଲାର ସହ ସେନା ସହାୟତା ଘୋଷଣା କରିଛି ଆମେରିକା । ଯଦି ଏହା ହୁଏ ତେବେ ଆଗକୁ ଯୁଦ୍ଧ ଆହୁରି ଭୟଙ୍କର ହେବାହ ସମ୍ଭାବନା ବେଶ ଅଧିକ ରହିଛି ।

ଯୁଦ୍ଧ ଭିତରେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ପୁଣି ନିନ୍ଦା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦମୀର ଜେଲେନସ୍କି । ସେ କହିଛନ୍ତି, ରାଷ୍ଟ୍ରପତି ପୁଟିନ ଜାଣିଶୁଣି ୟୁକ୍ରେନରେ ନରସଂହାର କରୁଛନ୍ତି । ୟୁକ୍ରେନର ନୀରିହ ଲୋକଙ୍କ ଜୀବନ ସହ ଖେଳୁଛନ୍ତି । ସେପଟେ ରୁଷ ଦାବି କରିଛି ଯେ ମାରିଓପୋଲ ଷ୍ଟିଲ ପ୍ଲାଂଟରେ ୨ ହଜାର ରୁ ବି ଅଧିକ ୟୁକ୍ରେନ ସୈନିକ ଆତ୍ମସର୍ମପଣ କରିଛନ୍ତି ।

ସେପଟେ ୫ଟି ଦେଶକୁ ନେଇ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ରୁଷ- ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉଠାଇଛି ଭାରତ । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସମ୍ମିଳନୀରେ ଯୁଦ୍ଧର ପ୍ରଭାବ କିପରି ସାରା ବିଶ୍ୱ ଉପରେ ପଡୁଛି ସେକଥା କହିଛନ୍ତି । ଯୁଦ୍ଧର ପ୍ରଭାବ ମାନବ ଜାତିର ବଡ ପ୍ରଭାବ ପକାଉଛି, ବିଶ୍ୱ ବଜାରରେ ଦରଦାମ ବେଶ ବୃଦ୍ଧି ପାଉଛି । ତେଣୁ ବିକାଶଶୀଳ ଦେଶ ଏହା ଉପରେ ନଜର ଦେବା ଜରୁରୀ ବୋଲି ଜୟଶଙ୍କର ସମ୍ମିଳନୀରେ ନିଜର ମତାମତ ରଖିଛନ୍ତି । କ୍ଷେତ୍ରୀୟ ଅଖଣ୍ଡତା, ଅର୍ନ୍ତରାଷ୍ଟ୍ରୀୟ ନିୟମ ପ୍ରତି ସମ୍ମାନ ତଥା ଏହା ଉପରେ ସମୁହ ପ୍ରତିବଦ୍ଧତାକୁ ନେଇ ବ୍ରିକ୍ସ ଦେଶମାନେ ଗୁରୁତ୍ୱ ବଜାୟ ରଖିବା ଉଚିତ ।

୮୬ ଦିନରେ ପହଁଚିଛି ରୁଷ-ୟୁକ୍ରେନ ଯୁଦ୍ଧ । ବ୍ରିକ୍ସ ସମ୍ମିଳନୀରେ ଯୁଦ୍ଧକୁ ନେଇ ଭାରତ ନିଜର ଟିପ୍ପଣୀ ରଖିଛି ।ସେପେଟ ଆମେରିକାର ଆକଳନ କହୁଛି ଦୀର୍ଘ ଦିନ ଧରି ଚାଲିପାରେ ଯୁଦ୍ଧ । ଏହା ଭିତରେ ଗୋଟିଏ କଥା ନିଶ୍ଚିତ କି ଯୁଦ୍ଧର ପରିଣାମ କେବଳ ରୁଷ କିି ୟୁକ୍ରେନ ନୁହେଁ ସାରା ବିଶ୍ୱ ଉପରେ ବଡ ପ୍ରଭାବ ପକାଇଛି । ଯାହା ଆଗାମୀ ଦିନରେ ବଡ ସମସ୍ୟା ଭାବେ ଉଭା ହୋଇ ଛିଡା ହେବା ଆଶଙ୍କା ବି ରହିଛି