୪ ଦିନ ବିତିଗଲା, ଖୋଲୁନି ନବ ଦାସଙ୍କ ହତ୍ୟା ପଛର ରହସ୍ୟ । ପାଇଖାନା ଟାଙ୍କିରୁ ମିଳିଲା ଟୁକୁଡା କାଗଜ, ପରୀକ୍ଷା ପାଇଁ ଯିବ ଫରେନସିକ୍ ଲ୍ୟାବ୍ । 

233

କନକ ବ୍ୟୁରୋ: ଯେଉଁ ଖବରର ରହସ୍ୟ କ’ଣ ଜାଣିବା ପାଇଁ ସାରା ରାଜ୍ୟବାସୀ ଅପେକ୍ଷା କରିଛନ୍ତି । ସେହି ଘଟଣା ଉପରୁ କିନ୍ତୁ ଚାରି ଦିନ ପରେ ବି ପରଦା ହଟାଇପାରିନି କ୍ରାଇମବ୍ରାଞ୍ଚ । ଏହା ଭିତରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାକୁ ନେଇ ନାଟକୀୟ ଭାବେ ସାମନାକୁ ଆସିଛି କେତେକ ରୋଚକ ତଥ୍ୟ । ଝାରସୁଗୁଡା ବିମାନବନ୍ଦର ଥାନା ପାଇଖାନା ଟାଙ୍କିରୁ ଜବତ ହୋଇଛି କେତେକ କାଗଜ ଟୁକୁଡା । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗୁଳିକାଣ୍ଡ ପରେ ପୋଲିସ୍ ହେପାଜତରେ ଥିବାବେଳେ ଏହି କାଗଜକୁ ପାଇଖାନାରେ ଫ୍ଲସ କରି ଦେଇଥିଲେ ଗୋପାଳ । ତେବେ ଜେରା ସମୟରେ ଗତକାଲି କହିବା ପରେ ଏନେଇ ଖୋଜାଖୋଜି ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚ ।

ନବ ଦାସଙ୍କ ହତ୍ୟାକାଣ୍ଡର କାରଣ ଖୋଜୁଥିବା କ୍ରାଇମବ୍ରାଞ୍ଚ ଟିମକୁ ବୁଧବାର ରାତିରେ ନାଟକୀୟ ଭାବେ ଝାରସୁଗୁଡା ବିମାନବନ୍ଦର ଥାନା ପାଇଖାନା ଖୋଳୁଥିବା ଅବସ୍ଥାରେ ଦେଖାଯାଇଥିଲା । ତଦନ୍ତକାରୀ ଟିମର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ପୋଲିସ ସହାୟତାରେ ରାତିରେ ଉଠାଯାଇଥିଲା ପାଇଖାନା ଟାଙ୍କିର ସ୍ଲାବ ।  । ରାତି ତମାମ ସକାଳ ପର୍ଯ୍ୟନ୍ତ ଖୋଳାଖୋଳି ଚାଲିଥିଲା ।

  • ପାଇଖାନା ଟାଙ୍କିରୁ ମିଳିଲା ଟୁକୁଡ଼ା କାଗଜ
  • ଗୋପାଳ ଦାସ ହାତ ଲେଖା ଥିବା ସୂଚନା 

ପାଇଖାନା ଟାଙ୍କି ଭିତରୁ ମିଳିଛି କିଛି ଟୁକୁଡା କାଗଜ । କୁହାଯାଉଛି, ଏହି କାଗଜକୁ ନବ ଦାସଙ୍କୁ ହତ୍ୟା କରିଥିବା ଗୋପାଳ ଦାସ, ଥାନାରେ ପୋଲିସ କବଜାରେ ଥିବାବେଳେ, କୌଶଳ କ୍ରମେ ପାଇଖାନାକୁ ଯାଇ, ଫ୍ଲସ କରିଦେଇଥିଲା । ଆଉ କାଗଜ ଗୁଡିକ ପାଇଖାନା ଟାଙ୍କି ଭିତରକୁ ଚାଲି ଯାଇଥିଲା । ମିଳିଥିବା କାଗଜ ଗୁଡିକରେ କିଛି ଲେଖାଯାଇଥିବା ବି ଦେଖାଯାଉଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି କାଗଜରେ ଗୋପାଳ ଦାସ କୁଆଡେ ମନ୍ତ୍ରୀଙ୍କୁ ହତ୍ୟା କରିବା କାରଣ ସମ୍ପର୍କରେ ଉଲ୍ଲେଖ କରିଥିଲେ ।

ଅଭିଯୁକ୍ତ ଗୋପାଳଙ୍କୁ ରିମାଣ୍ଡରେ ଆଣି ମାରାଥନ ଜେରା କରୁଥିବା କ୍ରାଇମବ୍ରାଞ୍ଚ ଟିମକୁ ବୁଧବାର ମିଳିଥିଲା କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା । ଅଭିଯୁକ୍ତ ଗୋପାଳ ଦାସ ଗୁଳିକାଣ୍ଡ ପରେ, ଝାରସୁଗୁଡା ବିମାନବନ୍ଦର ଥାନା ପାଇଖାନା ଟାଙ୍କିରେ କିଛି କାଗଜ ଫିଙ୍ଗି ଥିବା କହିଥିଲା । ତାପରେ ରାତିରେ କ୍ରାଇମବ୍ରାଞ୍ଚ ଟିମ୍ ସ୍ଥାନୀୟ ପୋଲିସ ସହାୟତାରେ ଝାରସୁଗୁଡା ବିମାନବନ୍ଦର ଥାନାର ପାଇଖାନା ଟାଙ୍କି ଖୋଳିଥିଲା । ଆଉ ସେଥିରୁ କାଗଜ ଟୁକୁଡା ମିଳିଛି । ତେବେ ସେହି କାଗଜଗୁଡିକୁ ଫୋରେନସିକ୍ ଲାବକୁ ପଠାଯିବ ବୋଲି ସୂଚନା ମିଳିଛି ।

କାଗଜରେ କଣ ଲେଖାଅଛି ତାହା ଜଣାପଡୁନଥିଲେ ବି ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଏଥିରୁ କିଛି ଗୁପ୍ତ ରହସ୍ୟ ଜଣାପଡିବ ବୋଲି କୁହାଯାଉଛି । କିନ୍ତୁ ଚାରି ଦିନ ପରେ ପାଇଖାନା ଟାଙ୍କି ଭିତରୁ କାଗଜ ମିଳିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ପ୍ରଶ୍ନ ଉଠୁଛି…

  • ଗୋପାଳଙ୍କୁ ପୋଲିସ କାବୁ କରିବା ପରେ ତାଙ୍କର ଯାଞ୍ଚ କରାଯାଇନଥିଲା କି? 
  • ଯଦି ଯାଞ୍ଚ କରାଯାଇଥିଲା ତାଙ୍କ ପାଖରେ ଥିବା ଏତେ କାଗଜକୁ ଜବତ କରାଗଲାନି କାହିଁକି? 
  • ଜଣେ ଗୁଳି କରିିଥିବା ହତ୍ୟାକାରୀଙ୍କୁ କେମିତି ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇନଥିଲା? 
  • ଯଦି କାଗଜ ବଦଳରେ, କିଛି ବିଷାକ୍ତ ଦ୍ରବ୍ୟ କି ମାରଣାସ୍ତ୍ର ରଖିଥାନ୍ତେ ଓ ମରିଥାନ୍ତେ ସେଥିପାଇଁ କିଏ ଦାୟୀ ହୋଇଥାନ୍ତେ?