ରାଜ୍ୟରେ ଅନଲାଇନ ଶିକ୍ଷାର ବାସ୍ତବ ଚିତ୍ର । ୨୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ନାହିଁ ସ୍ମାର୍ଟ ଫୋନ୍, ବିନା ମୋବାଇଲରେ କିଭଳି ପଢିଥିବେ ପାଠ ।

106

କନକ ବ୍ୟୁରୋ : ଗତ ଦେଢ ବର୍ଷରୁ ଅଧିକ ସମୟ ଧରି କୋଭିଡ ମହାମାରୀ ଯୋଗୁଁ ବନ୍ଦ ରହିଛି ସ୍କୁଲ । ଫଳରେ ବିକଳ୍ପ ବ୍ୟବସ୍ଥା ଭାବେ ଅନଲାଇନରେ ଚାଲିଛି ପାଠପଢା । ଅନଲାଇନ ପାଠପଢାକୁ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ରିପୋର୍ଟ ମାଗିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ । ଏନେଇ ରାଜ୍ୟ ଦେଇଥିବା ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୧୫ଲକ୍ଷ ୮ହଜାର ୯୩୭ପିଲାଙ୍କ ପାଖରେ ମୋବାଇଲ ବା କୌଣସି ଡିଜିଟାଲ ଡିଭାଇସ ଉପଲବ୍ଧ ନାହିଁ । ଏତେ ପିଲାଙ୍କ ପାଖରେ ମୋବାଇଲ ନଥିବା ଯୋଗୁଁ ପିଲାଙ୍କ ପାଠପଢା କେମିତି ଚାଲିଛି ତାକୁ ନେଇ ପ୍ରଶ୍ନ ଉଠିଛି ।

୨୦୨୦ ମାର୍ଚ୍ଚ ମାସରୁ ଶିକ୍ଷା ବ୍ୟବସ୍ଥାକୁ ଉଜାଡି ଦେଇଥିଲା ମହାମାରୀ କରୋନା । ସଂକ୍ରମଣ ଭୟରେ ସ୍କୁଲ, କଲେଜ ବନ୍ଦ ହେଲା, ପରୀକ୍ଷା ବି ବାତିଲା କରାଗଲା । ଏହାପରେ ଶିକ୍ଷାଦାନ ପାଇଁ ଅନଲାଇନରେ ପାଠପଢା ବିକଳ୍ପ ବାଛିଥିଲେ ସରକାର । ଆଉ ଦୁର୍ଗମ ଅଞ୍ଚଳରେ ଦେଖିବାକୁ ମିଳିଥିଲା ପାଠପଢାର ଦୟନୀୟ ସ୍ଥିତି ।

ଓଡ଼ିଶାରେ କେମିତି ଚାଲିଛି ଅନଲାଇନ ପାଠ ? କେତେ ପିଲାଙ୍କ ପାଖରେ ମୋବାଇଲ୍ ? ଅନଲାଇନ ପାଠପଢାକୁ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ରିପୋର୍ଟ ମାଗିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ । ରାଜ୍ୟଗୁଡିକ ରିପୋର୍ଟ ଦେବା ପରେ ଅନଲାଇନ ପାଠପଢାକୁ ନେଇ ରିପୋର୍ଟ ଜାରି କରିଛନ୍ତି କେନ୍ଦ୍ର ସରକାର ।

ଓଡିଶାରେ ୭୬ଲକ୍ଷ ୮୬ହଜାର ୮୯୪ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟରେ ପଢୁଛନ୍ତି । ସେମାନଙ୍କ ମଧ୍ୟରୁ ୧୫ଲକ୍ଷ ୮ହଜାର ୯୩୭ ପିଲାଙ୍କ ପାଖରେ ମୋବାଇଲ ବା କୌଣସି ଡିଜିଟାଲ ଡିଭାଇସ ନାହିଁ । ରାଜ୍ୟରେ ମୋଟ ବିଦ୍ୟାଳୟ ୬୭ହଜାର ୨୦ ଥିବା ବେଳେ ପାଠ ପଢାଇବା ପାଇଁ ଶିକ୍ଷକ ଅଛନ୍ତି ୩ଲକ୍ଷ ୪୮ହଜାର ୨୪୯ ।

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ରିପୋର୍ଟ କହୁଛି, ଦେଶର ୨କୋଟି ୯୬ଲକ୍ଷ ୪୮ହଜାର ୫୮୩ ପିଲାଙ୍କ ପାଖରେ ମୋବାଇଲ ନାହିଁ । ବିହାରରେ ସର୍ବାଧିକ ୧କୋଟି ୪୩ଲକ୍ଷ ପିଲାଙ୍କ ନିକଟରେ ଡିଜିଟାଲ ଡିଭାଇସ ନାହିଁ । ସେହିପରି ତାମିଲନାଡୁରେ ୧୭ଲକ୍ଷ ୫୦ହଜାର, କର୍ଣ୍ଣାଟକରେ ୩୧ଲକ୍ଷ ୩୧ହଜାର ୯୮ଛାତ୍ରଛାତ୍ରୀ, ଝାଡଖଣ୍ଡରେ ୩୨ଲକ୍ଷ ୫୨ହଜାର ୨୫୫ ପିଲା ଓ ଆସାମରେ ୩୧ଲକ୍ଷ ୬ହଜାର ୨୫୫ଜଣ ପିଲାଙ୍କ ପାଖରେ ମୋବାଇଲ ନାହିଁ । ଏତେ ପିଲାଙ୍କ ପାଖରେ ମୋବାଇଲ ନଥିବା ଯୋଗୁଁ ପିଲାଙ୍କ ପାଠପଢା କେମିତି ଚାଲିଛି ତାକୁ ନେଇ ପ୍ରଶ୍ନ ଉଠିଛି ।