କଟକଣା କୋହଳ ହେବା ପରେ ଆସିଛି ତୋଷାଳି ମେଳା: ୨ବର୍ଷ ପରେ ଭଲ ବ୍ୟବସାୟ କରିବାକୁ ଆଶା ରଖିଛନ୍ତି ବ୍ୟବସାୟୀ 

189

କନକ ବ୍ୟୁରୋ: ତୋଷାଳି ମେଳା ପାଇଁ ସଜେଇ ହୋଇଛି ଭୁବନେଶ୍ୱର ଜନତା ମଇଦାନ । ଏହି ମେଳାରୁ ବିଭିନ୍ନ ପ୍ରକାର ହସ୍ତଶିଳ୍ପ ଏବଂ ଘରକରଣା ସାମଗ୍ରୀ କିଣିବାକୁ ସଂଧ୍ୟା ହେଲେ ଜମୁଛି ରାଜଧାନୀବାସୀଙ୍କ ଭିଡ଼ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କାରିଗର ମାନଙ୍କ ଦ୍ୱାରା ମୋଟ୍ ୪୨୦ଟି ଷ୍ଟଲ ପଡ଼ିଥିବା ବେଳେ ସେଥିରୁ ୨୫୦ଟି ହ୍ୟାଣ୍ଡିକ୍ରାଫ୍ଟ, ୧୪୦ଟି ହ୍ୟାଣ୍ଡଲୁମ୍, ଏବଂ ୩୦ଟି ଫୁଡ଼ ଷ୍ଟଲ ରହିଛି । ମେଳାରେ ପଡ଼ିଥିବା କାଠ, କାଚ, ବେତରେ ତିଆରି ସାମଗ୍ରୀ ଲୋକଙ୍କୁ ଖୁବ୍ ଆକୃଷ୍ଠ କରୁଛି । ସେହିପରି ପିତଳରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ଦେବାଦେବୀଙ୍କ ପ୍ରତିମୂର୍ତି, ଘରକରଣା ସାମଗ୍ରୀ, ଲେଡିଜ ପର୍ସ, ଲାପଟପ ବ୍ୟାଗ କିଣିବାକୁ ଲୋକେ ଭିଡ଼ ଜମାଉଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଘରକରଣା ଜିନିଷ ଲୋକଙ୍କ ମନ ମୋହୁଛି  ।

ହସ୍ତତନ୍ତ ଷ୍ଟଲ ସହ ତୋଷାଳୀ ମେଳାରେ ପଡ଼ିଥିବା ଫୁଡ଼କୋର୍ଟରେ ଲୋକଙ୍କ ଭିଡ଼ ଜମୁଛି । ରାଜ୍ୟର ବିଭିନ୍ନ ସ୍ଥାନର ପାରମ୍ପରିକ ଖାଦ୍ୟ ଏଠାରେ ପ୍ରଦର୍ଶନ କରାଯାଇଥିବା ବେଳେ ଲୋକେ ମେଳା ବୁଲିବା ସହ ଏହି ଖାଦ୍ୟର ଭରପୁର ମଜା ଉଠାଉଛନ୍ତି । ନିମାପଡ଼ା ଛେନା ଝିଲ୍ଲୀ, ପଂଜାବ ସ୍ପେସାଆଲ  ଫାଲୁଦା, ବାରିପଦା ମୁଢ଼ି ମାଂସ, ପତ୍ର ପୋଡ଼ା, ଚିକେନ ବିରିଆନି, ଭେଜ ବିିରିୟାନୀ, ରୋଜି କିଚେନର କ୍ଷୀର ପୋଡ଼ ପିଠା ସହିତ ବିଭିନ୍ନ ପ୍ରକାର ମିଠା ଫୁଡ଼ ଷ୍ଟଲରେ ଲୋକଙ୍କ ଭିଡ଼ ଜମୁଛି ।

କରୋନା କଟକଣା ପାଇଁ ଦୁଇ ବର୍ଷ ହେଲା ବ୍ୟବସାୟ ଫିକା ପଡିଥିବା ବେଳେ ଚଳିତ ବର୍ଷ ଭଲ ବ୍ୟବସାୟ ହେବାର ଲକ୍ଷ୍ୟ ରଖିଛନ୍ତି ବ୍ୟବସାୟୀ । କିନ୍ତୁ ପୂର୍ବ ବର୍ଷ ଭଳି ବିକ୍ରି ବଟା କମ୍ ହେଉଥିବା ବେଳେ ଷ୍ଟଲ ସଂଖ୍ୟା ମଧ୍ୟ ରହିଛି । ଅନ୍ୟପଟେ ଗ୍ରାହକ ଓ ବ୍ୟବସାୟୀଙ୍କ ସୁରକ୍ଷା ପାଇଁ  ସମ୍ପୂର୍ଣ୍ଣ ଜନତା ମଇଦାନକୁ ୨୫ଟି ସିସିଟିଭି କ୍ୟାମେରାରେ ଛାଉଣୀ କରାଯାଇଛି  ।