ବ୍ରହ୍ମପୁର ରାଗିଂ ଘଟଣା: ରାଗିଂକୁ ନେଇ ଆତଙ୍କିତ ପୀଡିତା, କ୍ୟାମେରା ଆଗରେ ବଖାଣିଲେ ନିଜ ଭୟ

448

କନକ ବ୍ୟୁରୋ: ବ୍ରହ୍ମପୁରର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂ ଘଟଣାକୁ ନେଇ ଉଚ୍ଚଶିକ୍ଷା ବିଭାଗର ତନାଘନା । ଜୁନିୟର ଛାତ୍ରଙ୍କୁ ରାଗିଂ କରିବା ଘଟଣାକୁ ଉଚ୍ଚଶିକ୍ଷା ବିଭାଗ ଗୁରୁତର ଭାବେ ଗ୍ରହଣ କରିଛି । ଉଚ୍ଚଶିକ୍ଷା ବିଭାଗର ଆଂଚଳିକ ନିର୍ଦ୍ଦେଶକ କଲେଜରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ର୍ୟାଗିଂକୁ ନେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ଅଧ୍ୟକ୍ଷାଙ୍କ ସହ ମଧ୍ୟ ଏ ଦିଗରେ ଆଲୋଚନା କରିଛନ୍ତି । ସେପଟେ ଘଟଣାର ମୁଖ୍ୟ ଅଭିଯୁକ୍ତ ଅଭିଷେକ ନାୟକଙ୍କ ପାଇଁ ବଢ଼ିଛି ଅଡ଼ୁଆ । ପ୍ରଥମେ କଲେଜରୁ ବହିଷ୍କାର ପରେ ବିଜେଡି କ୍ୟାମ୍ପସ କମିଟିର କନଭେନର ପଦବୀରୁ ବି ନିଲମ୍ବନ ପାଇଁ ସୁପାରିଶ କରିଥିଲା ବ୍ରହ୍ମପୁର ମହାନଗର ଛାତ୍ର ବିଜେଡି ।

ଏପଟେ ଘଟଣାକୁ ନେଇ ରାଜନୀତି ବି ଆରମ୍ଭ ହୋଇଯାଇଛି । କଲେଜ କ୍ୟାମ୍ପସରେ ନିର୍ଦ୍ଦିଷ୍ଟ ଛାତ୍ର ଗୋଷ୍ଠୀକୁ ଶାସକ ଦଳର ପ୍ରୋତ୍ସାହନ ଏଭଳି ରାଗିଂର କାରଣ ବୋଲି କଂଗ୍ରେସ ଅଭିଯୋଗ କରିଛି । ପୂର୍ବରୁ ରାଗିଂରେ ସମ୍ପୃକ୍ତ ଥିବା ୧୨ ଜଣ ଛାତ୍ରଛାତ୍ରୀଙ୍କୁ କଲେଜରୁ ବହିଷ୍କାର କରାଯାଇଛି । ଏମାନଙ୍କ ମଧ୍ୟରେ ୮ ଜଣ ଛାତ୍ର ଓ ୪ ଜଣ ଛାତ୍ରୀ ରହିଛନ୍ତି । ଅନ୍ୟପଟେ ୩ ଜଣ ସାବାଳକ ଓ ୨ ଜଣ ନାବାଳକଙ୍କୁ ପୁଲିସ ଧରିବା ପରେ କୋର୍ଟ ଚାଲଣ କରାଯାଇଛି । ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡକୁ ପଠାଇ ଦିଆଯାଇଛି । ଯୁକ୍ତ ୨ରେ ପଢୁଥିବା ଜଣେ ଛାତ୍ରୀଙ୍କୁ ଏମାନେ ରାଗିଂ କରୁଥିବାର ଦୃଶ୍ୟ କଏଦ ହୋଇଥିଲା । ଏହାପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କଲେଜ କର୍ତୃପକ୍ଷ । ପୂର୍ବରୁ କଲେଜ ଅଧ୍ୟକ୍ଷାଙ୍କ ଅଧ୍ୟକ୍ଷତାରେ ଆଂଟି ର୍ୟାଗିଂ କମିଟି, ଶୃଙ୍ଖଳା କମିଟିର ବୈଠକ ବସିଥିଲା । ଭିଡିଓରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ କଲେଜରୁ ଟିସି ଦେଇ ବାହାର କରିବାକୁ ନିଷ୍ପତି ନିଆଯାଇଥିଲା ।