ବେଆଇନ ଇଟାଭାଟି ବନ୍ଦ ପାଇଁ ବାରମ୍ବାର ଦାବି ପରେ ବି ଶୁଣିଲେନି ତହସିଲଦାର । ତାତିଲେ ଚାଷୀ, ଅଫିସ ଭିତରେ ଠେଲାପେଲା

134

କନକ ବ୍ୟୁରୋ: ତହସିଲଦାରଙ୍କୁ ଆକ୍ରମଣ । ଚାଷୀଙ୍କ ଆକ୍ରୋଶର ଶିକାର ହେଲେ ତହସିଲଦାର । ବେଆଇନ୍ ଇଟାଭାଟି ବନ୍ଦ କରିବା ଦାବିରେ ତହସିଲଦାର ଅଫିସ୍ ଭିତରେ ପଶି ତହସିଲଦାରଙ୍କୁ ଆକ୍ରମଣ କଲେ ଚାଷୀ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ଖବର ।

ପଟ୍ଟାମୁଣ୍ଡାଇର କଣିପାଳ ଗାଁର ଚାଷୀ, ଦୀର୍ଘ ଦିନ ହେବ ଗାଁରେ ଚାଲିଥିବା ବେଆଇନ୍ ଇଟାଭାଟିକୁ ବନ୍ଦ କରିବାକୁ ତହସିଲଦାରଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିଲେ । ହେଲେ ତହସିଲଦାର ଆଜିକାଲି କହି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ତହସିଲଦାରଙ୍କ ଠାରୁ ବାରମ୍ବାର ନିରାଶ ହେବା ପରେ ଗାଁର ଚାଷୀମାନେ ଧାରଣାରେ ବସିଥିଲେ । ତେବେ ତହସିଲଦାର ଓ ପୋଲିସ୍ ଇଟାଭାଟି ବନ୍ଦ କରିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଥିଲେ ଚାଷୀ । କିନ୍ତୁ ଗତକାଲି ସେହି ବେଆଇନ୍ ଇଟାଭାଟିରେ ଇଟା ପୋଡ଼ି ହେବାକୁ ଉତକ୍ଷୀପ୍ତ ହୋଇପଡ଼ିଥିଲେ ଚାଷୀ ।

ଏହାକୁ ନେଇ ଆଜି ପୁଣି ତହସିଲଦାରଙ୍କୁ ଅବଗତ କରାଇଥିଲେ ଚାଷୀ । ଆଉ ଏହି ସମୟରେ ତହସିଲଦାର ଅଫିସରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଉତକ୍ଷୀପ୍ତ ଚାଷୀ ତହସିଲଦାର କାର୍ଯ୍ୟାଳୟର କର୍ମଚାରୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଏପରିକି ତହସିଲଦାର ମଧ୍ୟ ଚାଷୀଙ୍କ ଆକ୍ରୋଶର ଶିକାର ହୋଇଥିଲେ । ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା । ପୋଲିସ ଦୁଇଜଣଙ୍କୁ ଅଟକ ରଖିଛି । ସେପଟେ ତହସିଲଦାର କହିଛନ୍ତି, ଇଟାଭାଟି ବନ୍ଦ କରିବା ପାଇଁ ପୋଲିସ୍ ଓ ଅଗ୍ନିଶମ ବିଭାଗକୁ ଚିଠି ଲେଖାସରିଛି । ଏହାସତ୍ୱେ କିଛି ଚାଷୀ ତହସିଲଦାର କାର୍ଯ୍ୟାଳୟରେ ଉତେଜନା ସୃଷ୍ଟି କରିଥିବା କହିଛନ୍ତି ତହସିଲଦାର ।