ଜୀବନ ବଞ୍ଚାଇ ଦେଶ ଛାଡିଦେବାକୁ ଆଫଗାନବାସୀଙ୍କ ସଂଘର୍ଷ ଭିତରେ ତାଲିବାନର ଆଶ୍ୱସ୍ତିବାଣୀ । ଭାବମୂର୍ତ୍ତି ସଜାଡିବା ପାଇଁ ସରକାରୀ କର୍ମଚାରୀଙ୍କୁ କ୍ଷମା କରାଯାଇଥିବା ଘୋଷଣା ।

ଏହାପରେ ମଧ୍ୟ କଠୋର ମୌଳବାଦୀଙ୍କୁ ବିଶ୍ୱାସ କରିପାରୁ ନାହାନ୍ତି ଆଫଗାନର ସାଧାରଣ ନାଗରିକ

271

କନକ ବ୍ୟୁରୋ: କାବୁଲ ସମେତ ସାରା ଆଫଗାନିସ୍ତାନରେ ବିଚିତ୍ର ସ୍ଥିତି ଉପୁଜିଛି । ଗଳିକନ୍ଦିରେ ବୁଲୁଛନ୍ତି ସଶସ୍ତ୍ର ତାଲିବାନୀ । ହେଲେ ଅତ୍ୟାବଶ୍ୟକ ସାମଗ୍ରୀ, ସେବା ଯୋଗାଉଥିବା ବ୍ୟବସ୍ଥା ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ସରକାରୀ କର୍ମଚାରୀ ଓ ଅଧିକାରୀ ଲୁଚି ଯାଇଛନ୍ତି, ସବୁ ଅଫିସ, ବ୍ୟାଙ୍କ ବନ୍ଦ ରହିଛି । ଏପଟେ ମହିଳା କର୍ମଚାରୀଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀଙ୍କୁ କ୍ଷମା କରାଯାଇଛି, ସେମାନେ ବିଶ୍ୱାସର ସହ ଅଫିସ ଆସିବାକୁ କହିଛି ତାଲିବାନ । ଗୋଟିଏ ପଟେ ନିଜ ଭାବମୂର୍ତ୍ତି ସୁଧାରିବାକୁ ଉଦ୍ୟମ କରୁଛନ୍ତି ତାଲିବାନୀ ନେତା, କିପରି ସରକାର ଗଢ଼ିବେ ଏ ନେଇ ଉଦ୍ୟମ ଚଳାଇଛନ୍ତି । ଅନ୍ୟପଟେ ସେମାନଙ୍କୁ ଭରସା କରି ପାରୁନାହାନ୍ତି ସାଧାରଣ ଲୋକ । ତାଲିବାନୀଙ୍କ ଭୟରେ କାବୁଲ ଛାଡିବାକୁ ଲୋକ ବ୍ୟତିବ୍ୟସ୍ତ ହୋଇ ପଡିଥିବା ଦେଖିବାକୁ ମିଳିଛି ।

ଆମେରିକୀୟ ମିଲିଟାରୀ ଏୟାରକ୍ରାର୍ଫ୍ଟ ସି-୧୭ ଗ୍ଲୋବ ମାଷ୍ଟରର ଏକ ଫଟୋ, ସାରା ବିଶ୍ୱରେ ଭାଇରାଲ ହୋଇଛି । ବିମାନ ଭିତରେ ଲୋକାଲ୍ ଟ୍ରେନ ଭଳି ଭିଡ଼ । ପ୍ରାୟ ୬୪୦ ଜଣ ଲୋକ ଭର୍ତ୍ତି ହୋଇ କାବୁଲରୁ କତାର ଯାଇଛନ୍ତି । ବିମାନରେ ଏତେସଂଖ୍ୟକ ଲୋକ ଏକାସାଙ୍ଗରେ ଯିବା ବୋଧହୁଏ ପ୍ରଥମ ଘଟଣା । ତେବେ ସେହି ଫଟୋ ହିଁ ବୟାନ କରୁଛି, ଯେ କାବୁଲ ଛାଡିବା ପାଇଁ ଲୋକ କେତେ ବ୍ୟତିବ୍ୟସ୍ତ ହୋଇ ପଡିଛନ୍ତି ।

ମଙ୍ଗଳବାର କାବୁଲ ଏୟାରପୋର୍ଟକୁ ଶାନ୍ତି ଫେରିଛି କିନ୍ତୁ ତାଲିବାନ ଭୟରେ କାବୁଲ ଛାଡ଼ିବା ପାଇଁ ବ୍ୟସ୍ତତା କମ ହୋଇନାହିଁ । ପୂରା ଏୟାରଫୋର୍ଟକୁ ଆମେରିକା ସେନା ଜଗି ରହିଛି, ଏୟାର କଂଟ୍ରୋଲ ବ୍ୟବସ୍ଥା ମଧ୍ୟ ଆମେରିକା ନିୟନ୍ତ୍ରଣ କରୁଛି । ଆମେରିକା ନାଗରିକ ସୁରକ୍ଷିତ ଭାବେ ଫେରିବା ପର୍ଯ୍ୟନ୍ତ କାବୁଲ ବିମାନବନ୍ଦରକୁ ନିୟନ୍ତ୍ରଣରେ ରଖିବ ଆମେରିକା ସେନା । କାବୁଲ ଏୟାରପୋର୍ଟରୁ ଦେଶ ଛାଡିବା ପାଇଁ ଲୋକଙ୍କ ଭିତରେ ପ୍ରତିଯୋଗିତା ଲାଗି ରହିଛି । କେତେଶୀଘ୍ର ସେମାନେ ଆଫଗାନସ୍ତାନ ଛାଡି ଚାଲିଯିବେ ସେହି ଚିନ୍ତାରେ ରହିଛନ୍ତି । ତାଲିବାନୀମାନେ କୌଣସି ପ୍ରତିଶୋଧଜନିତ ହତ୍ୟା କରିବେନି ବୋଲି ପ୍ରତିଶ୍ରୁତି ଦେଲେ ବି ଏଥିରେ ଲୋକଙ୍କ ଭରସା ପାଉନି ।

ତାଲିବାନର କାବୁଲ ଦଖଲ ପରେ ସାରା ଆଫଗାନିସ୍ତାନରେ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି । ସରକାରୀ ଅଧିକାରୀ ଓ କର୍ମଚାରୀ ଭୟରେ ଲୁଚି ଯାଇଛନ୍ତି, ଏବଂ ସେମାନେ କାର୍ଯ୍ୟାଳୟକୁ ଆସୁନାହାନ୍ତି । ଫଳରେ ମ୍ୟୁନିସିପାଲିଟି ଅଫିସ ଖାଲି ପଡିଛି, ପାନୀୟ ଜଳଯୋଗାଣ ବ୍ୟବସ୍ଥା ଠପ୍ ହୋଇଯାଇଛି, ଇଲେକ୍ଟ୍ରି ଅଫିସ ଖାଲି ପଡିଛି, ବ୍ୟାଙ୍କଗୁଡିକ ବି ବନ୍ଦ ହୋଇଯାଇଛି । ଫଳରେ ପାଣି, ବିଜୁଳି ପରି ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀ ବନ୍ଦ ହୋଇଯାଇଛି । ଲୋକମାନେ ଘର ଭିତରେ ବନ୍ଦ ହୋଇ ରହିଛନ୍ତି, କେହି କିଛି ବୁଝିପାରୁନାହାନ୍ତି, ଆଗକୁ କଣ ହେବାକୁ ଯାଉଛି ।

ସେପଟେ ତାଲିବାନୀମାନେ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ କାମରେ ଯୋଗ ଦେବାକୁ ତାଗିଦ କରିଛନ୍ତି । ନଚେତ ଦଣ୍ଡ ଦିଆଯିବ ବୋଲି ସେମାନଙ୍କ ଘର ଆଗରେ ପୋଷ୍ଟର ମାରିଛନ୍ତି । ଏହାଛଡ଼ା ସମସ୍ତ ସରକାରୀ କର୍ମଚାରୀମାନଙ୍କୁ କ୍ଷମା କରାଗଲା ବୋଲି ତାଲିବାନ ପକ୍ଷରୁ ଘୋଷଣା କରାଯାଇଛି । ସେମାନେ ମଧ୍ୟ ଚାହୁଁଛନ୍ତି ସବୁ ସରକାରୀ ଅଫିସରେ କାର୍ଯ୍ୟ ଆରମ୍ଭ ହେଉ । ଆଫଗାନିସ୍ତାନରେ ଏଭଳି ଏକ ପରିସ୍ଥିତି ଭିତରେ ସମସ୍ତଙ୍କ ନଜର ରହିଥିଲା ଆମେରିକା ଉପରେଆଉ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍ ସାରା ବିଶ୍ୱକୁ ନିରାଶ କରି କହିଥିଲେ, ଆଫଗାନିସ୍ତାନରେ ରାଷ୍ଟ୍ର ନିର୍ମାଣ ଆମେରିକାର ଦାୟିତ୍ୱ ନଥିଲା, ସେମାନେ କେବଳ ଆମେରିକା ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ଦଣ୍ଡ ଦେବାକୁ ଆସିଥିଲେ । ଆମେରିକା ଓ ସାରା ବିଶ୍ୱ ହାତ ଟେକି ଦେବା ପରେ ଆଫଗାନିସ୍ତାନରେ ତାଲିବାନୀଙ୍କ ଦୟା ଉପରେ ନିର୍ଭର କରୁଛି ଏବେ ପ୍ରାୟ ୪ କୋଟି ଆଫଗାନିଙ୍କ ଭାଗ୍ୟ ।