କନକ ବ୍ୟୁରୋ: ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୁଷଣ ସିଂହଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଏଫଆଇଆର ରୁଜୁ କରୁନଥିବାରୁ ଭତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ ମାମଲାର ଶୁଣାଣୀ କରି ଦିଲ୍ଲୀ ପୁଲିସକୁ ପ୍ରଶ୍ନ କରିଛନ୍ତି ଓ ନୋଟିସ ମଧ୍ୟ ପଠାଇଛନ୍ତି । ୨୮ ତାରିଖରେ ଆଗାମୀ ଶୁଣାଣୀ ହେବ । ସେପଟେ କୁସ୍ତିଯୋଦ୍ଧା କହିଛନ୍ତି ମାମଲା ପ୍ରତ୍ୟାହାର କରିବା ପାଇଁ ତାଙ୍କ ଉପରେ ଚାପ ପଡୁଛି ଓ ଲାଂଚ ଯଚାଯାଉଛି । ଅନ୍ୟପଟେ ବ୍ରିଜଭୁଷଣ କହିଛନ୍ତି ମାମଲା ସୁପ୍ରିମକୋର୍ଟରେ ରହିଛି ଓ ନ୍ୟାୟପାଳିକାଙ୍କ ଉପରେ ତାଙ୍କର ସମ୍ପୂର୍ଣ୍ଣ ଭରସା ରହିଛି । ମାମଲା ଉପରେ ଶିଘ୍ର ଶୁଣାଣୀ କରିବାକୁ କୋର୍ଟଙ୍କୁ ନିବେଦନ କରିଛନ୍ତି ବରିଷ୍ଠ ଆଇଜନୀବୀ ତଥା କଂଗ୍ରେସ ନେତା କପିଲ ସିବଲ । ଏଥିସହ ସିବଲ କହିଛନ୍ତି ୭ଜଣ ମହିଳା କୁସ୍ତିଯୋଦ୍ଧା କୋର୍ଟରେ ଆବେଦନ କରିବା ସତ୍ୱେ କିଭଳି ପୁଲିସ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିନି । କୁସ୍ତି ମହାସଂଘ ସଭାପତି ବ୍ରିଜଭୁଷଣଙ୍କ ନାଁରେ ସଂଗୀନ ଅଭିଯୋଗ ରହିଛି ହେଲେ ଦିଲ୍ଲୀ ପୁଲିସ କଣ ପାଇଁ ଏଫଆଇଆର ରୁଜୁ କରୁନି ବୋଲି ପ୍ରଶ୍ନ ଉଠିଛି । ଜାନୁଆରୀ ମାସରେ ରେସଲର ମାନେ ପ୍ରଥମ ଥର ପାଇଁ ସଭାପତିଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥିଲେ । କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଏକ କମିଠି ଗଠନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଲେ କୁସ୍ତିଯୋଦ୍ଧା । ଆନ୍ଦୋଳନ ପ୍ରତ୍ୟାହାରକୁ ୩ମାସ ପୂରିଥିଲେ ବି ରେସଲରଙ୍କ ଅଭିଯୋଗ ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ।